ରାଜଗାଙ୍ଗପୁର: ତେଜରାତି ଗୋଦାମରୁ ଚୋରି ଅଭିଯୋଗରେ ୭ ଦୃର୍ବୁତ୍ତ ଗିରଫ – ଲକ୍ଷାଧିକ ଟଙ୍କାର ତେଜରାତି ସାମଗ୍ରୀ ସମେତ ୩ ପିକଅପ ଜବତ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁଙ୍କ ରିପୋର୍ଟ),୨୨/୦୮ : ରାଜଗାଙ୍ଗପୁରର ତେଜରାତି ବ୍ୟବସାୟୀ ବିନୋଦ ଟିବ୍ରେୱାଲଙ୍କ ତେଜରାତି ଗୋଦାମରୁ ଗତ ୧୮ ତାରିଖ ରାତିରେ କିଛି ଦୃର୍ବୁତ୍ତ ତାଙ୍କ ତେଜରାତି ଗୋଦାମର ଜଗୁଆଳିଙ୍କୁ ମାରଣ।ନ୍ତକ ଆକ୍ରମଣ କରି ଗୋଦାମର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଗ୍ରୋସରୀ ଜିନିଷ ଲୁଟି ନେଇ ଯାଇଥିଲେ । ରାଜଗାଙ୍ଗପୁର ପୋଲିସ ଉକ୍ତ ଚୋରି ଘଟଣାର ପର୍ଦାଫାସ କରି ଘଟଣାରେ ସଂପୃକ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଲୁଟ ସାମଗ୍ରୀ ସମେତ ଲୁଟ ପାଇଁ ବ୍ୟବହୃତ ତିନୋଟି ଗାଡିକୁ ମଧ୍ୟ ରାଜଗାଙ୍ଗପୁର ପୋଲିସ ଜବତ କରିଛି ।
![](https://i0.wp.com/kalingajyoti.com/wp-content/uploads/2020/08/gp-3.jpg?resize=1024%2C466&ssl=1)
ଘଟଣାରୁ ପ୍ରକାଶ ଯେ, ସହରର ସୁବାଷ ଛକ ନିକଟରେ ଥିବା ବୁନି ବାଗାନ ଭିତରେ ବ୍ୟବସାୟୀ ବିନୋଦ ଟିବ୍ରେୱାଲଙ୍କ ତେଜରାତି ଗୋଦାମରୁ ଗତ ୧୮ ତାରିଖ ରାତି ବିଳମ୍ବିତ ରାତି ପ୍ରାୟ ୨ ଟାରେ ଲକ୍ଷାଧିକ ଟଙ୍କାର ତେଜରାତି ସାମଗ୍ରୀ ଲୁଟ ହୋଇଥିଲା । ତେଜରାତି ଗୋଦାମରେ କାର୍ଯ୍ୟରତ ସିକୁରିଟି ଗାର୍ଡ ଉପରେ ମାରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ହାତଗୋଡ ବାନ୍ଧି ଦୁର୍ବୁତ୍ତମାନେ ଗୋଦାମର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାବୁନ, ଡିଟରଜେଣ୍ଟ ପାଉଡର, ତେଲ ସମେତ ଅନ୍ୟାନ ରାସନ ସାମଗ୍ରୀ ଲୁଟ କରି ନେଇ ଯାଇଥିଲେ । ଏ ସଂକ୍ରାନ୍ତରେ ଖବର ପାଇ, ଗୋଦାମ ମାଲିକ ଗତ ଅଗଷ୍ଟ ୧୯ ତାରିଖ ଦିନ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ରାଜଗାଙ୍ଗପୁର ପୋଲିସ କେସ ନଂ – ୨୨୭/୨୦ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ । ଏହି ଘଟଣାର ତଦନ୍ତକାଳରେ କୌଣସି ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁର ପୋଲିସ, ରାଉରକେଲା, ସେକ୍ଟର-୧୫ରେ ଚଢ଼ାଉ କରି ଅବଦୁଲ ଖାଲୀଦ ଖାନ ପାଖରୁ ଲକ୍ଷାଧିକ ଟଙ୍କାର ଲୁଟ ସାମଗ୍ରୀ, ଲୁଟରେ ବ୍ୟବହୃତ ହୋଇଥିବା ତିନୋଟି ଗାଡିକୁ ମଧ୍ୟ ରାଜଗାଙ୍ଗପୁର ପୋଲିସ ଜବତ କରିଛି । ଏହା ସହ ଏଭଳି ସାଂଘାତିକ ଲୁଟରେ ସାମିଲ ଥିବା ୭ ଜଣ ଅଭିଯୁକ୍ତଙ୍କୁ ଧରିବାରେ ମଧ୍ୟ ପୋଲିସ ସଫଳ ହୋଇଛି । ଗିରଫ ହୋଇଥିବା ୭ଜଣ ଯାକ ଅଭିଯୁକ୍ତମାନେ ହେଲେ, ସିନ୍ଧିପଡା, ରାଜଗାଙ୍ଗପୁରର ଅବିନାଶ ଚୌଧୁରୀ (୨୭), ରୋହିତ ଚୌଧୁରୀ (୨୧), ରାଉରକେଲା, ସେକ୍ଟର-୧୫, ଜାମା ମସଜିଦ ରୋଡ଼ର ଅବଦୁଲ ଖାଲୀଦ ଖାନ (୨୩), ରାଜଗାଙ୍ଗପୁର, ଇଦଗା ମୋହଲାର ଏମ. ଡି. ୟାସିମ (୨୧) ,ଏମ. ଡି. ଆଝାର (୨୦) , ରାଜଗାଙ୍ଗପୁର, କର୍ଲାକାନି, କିଶାନପଡ଼ାର ନେହେରୁ ଲାକ୍ରା (୩୦), ରାଜଗାଙ୍ଗପୁର, ବଗିଚାପଡ଼ା, ଗାନ୍ଧୀ ଛକର ସଂଜିତ ସା (୨୧) । ଗ୍ରୋସରି ସାମଗ୍ରୀ ସହିତ ଲୁଟରେ ବ୍ୟବହୃତ ହୋଇଥିବା ଗୋଟିଏ ଟାଟା ଏ.ସି. ଓଡି – ୧୪ ଏନ ୧୧୫୨ ଓ ଦୁଇଟି ବୋଲେରୋ ପିକଅପ ଭ୍ୟାନ ଓଡି – ୧୪ୟୁ ୬୨୩୭ ଏବଂ ଓଡି – ୧୪ୟୁ ୧୭୮୮କୁ ପୋଲିସ ଜବତ କରିଛି । ରାଜଗାଙ୍ଗପୁର ପୋଲିସ ଅଭିଯୁକ୍ତ ମାନଙ୍କୁ ପଚରାଉଚରା ପରେ ଘଟଣାର ସରଜମିନ ତଦନ୍ତକରି ୭ଜଣ ଯାକ ଦୁର୍ବୃତ୍ତଙ୍କୁ ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ସୂଚନା ଦେଇଛନ୍ତି। ରାଜଗାଙ୍ଗପୁର ପୋଲିସର ଏହି ବଡ଼ ସଫଳତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।