
ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ସରକାରଙ୍କ ଚରମବାଣୀ ପରେ ନରମିଛି ସୋସିଆଲ ମିଡିଆ କମ୍ପାନି ଟ୍ବିଟର । ସରକାରଙ୍କ ନୂଆ ଆଇଟି ଆଇନକୁ ପାଳନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଏହି ଆମେରିକୀୟ କମ୍ପାନି କହିଛି ।
କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯ଼ାଇଛି ଯ଼େ ଭାରତର ଲୋକମାନଙ୍କୁ ଆଲୋଚନାର ଏକ ପ୍ରମୁଖ ମଂଚ ପ୍ରଦାନ କରିବାକୁ କମ୍ପାନି ପ୍ରତିଶ୍ରୁତିବଦ୍ଧ । ବିଶ୍ବ ଏବେ ସମ୍ମୁଖୀନ ହେଉଥିବା ଜରୁରି ପରିସ୍ଥିତି ଓ ସଂକଟଜନକ ସ୍ଥିତିରେ ଲୋକମାନଙ୍କୁ ଆଲୋଚନା ସୂଚନା ଆଦାନପ୍ରଦାନର ଏକ ମଂଚ ପ୍ରଦାନ କରିବାକୁ ଟ୍ବିଟର ଅଙ୍ଗୀକାରବଦ୍ଧ ।
ନୂଆ ସୂଚନା ପ୍ରଯୁକ୍ତି ନିୟମକୁ ଠିକ୍ ଭାବେ ପାଳନ କରୁନଥିବା ଟ୍ବିଟର୍କୁ ଗତ ୬ ତାରିଖ ଦିନ କେନ୍ଦ୍ର ସରକାର ଚୂଡ଼ାନ୍ତ ନୋଟିସ୍ ପଠାଇବା ସହ ଚେତାବନୀ ଦେଇଥିଲେ । କଂପାନିର ଡେପୁଟି ଜେନେରାଲ୍ କାଉନ୍ସେଲ୍ ଜିମ୍ ବେକରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ଏହି ନୋଟିସ୍ ଜାରି କରାଯାଇଥିଲା । ନିୟମ ପାଳନ କରିବାରେ ଯଦି କଂପାନି ବିଫଳ ହେବ ତେବେ ଆଇଟି ନିୟମ ଅଧୀନରେ ମିଳୁଥିବା ସୁରକ୍ଷା କବଚ ହରାଇବ ଏବଂ କଂପାନି ବିରୋଧରେ ଦଣ୍ଡମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।