୨୯ରୁ ସିଟି ପରୀକ୍ଷା, ୬୭ କେନ୍ଦ୍ରରେ ପରୀକ୍ଷା ଦେବେ ୬ ହଜାର ଛାତ୍ରଛାତ୍ରୀ

0 461
greentech

କଟକ ୧୫/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ୍‌ (ଡି.ଇଏଲ୍‌.ଇଡି) ବା ସିଟି ପରୀକ୍ଷା (ଦ୍ୱିତୀୟ ବର୍ଷ ଏବଂ ଦ୍ୱିତୀୟ ବର୍ଷ ବ୍ୟାକ୍‌) ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ୬ ଦିନ ବ୍ୟାପୀ ହେବାକୁ ଥିବା ଏହି ପରୀକ୍ଷା ଅକ୍ଟୋବର ୮ତାରିଖରେ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୩୦ଟି ଜିଲ୍ଲାରେ ୬୭ଟି କେନ୍ଦ୍ରରେ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ବୋର୍ଡର ସୂଚନା ଅନୁସାରେ, ପରୀକ୍ଷା ପୂର୍ବାହ୍ଣ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଅର୍ଥାତ୍‌ ୨୯ ତାରିଖରେ କନ୍‌ଟେମ୍ପରାରୀ ଇସ୍ୟୁ ଇନ୍‌ ଏଲିମେଣ୍ଟାରି ଏଜୁକେସନ୍‌ ପରୀକ୍ଷା ରହିଛି । ସେହିପରି ଅକ୍ଟୋବର ୧ ତାରିଖ, ୪ ତାରିଖ, ୫ ତାରିଖ ଓ ୮ ତାରିଖ ଅନ୍ୟ ବିଷୟରେ ପରୀକ୍ଷା ହେବ । କୋଭିଡ୍‌ କଟକଣା ମଧ୍ୟରେ ସମସ୍ତ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । କଟକ ଜିଲ୍ଲାରେ ସର୍ବାଧିକ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ୫ଟି, ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା, ସୁନ୍ଦରଗଡ଼, ମୟୂରଭଞ୍ଜ, ବଲାଙ୍ଗୀର ଜିଲ୍ଲାରେ ୪ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି ।

ଏହାବାଦ୍‌ ପୁରୀ ଓ କେନ୍ଦୁଝରରେ ୩ଟି ଲେଖାଏଁ, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାରେ ୨ଟି ଲେଖାଏଁ କେନ୍ଦ୍ର ହୋଇଛି । ସେହିପରି ବରଗଡ଼, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, କୋରାପୁଟ, ମାଲକାନଗିରି, ନୟାଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ସିଟି ପରୀକ୍ଷା ହେବାରେ ବହୁ ବିଳମ୍ବ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ପରୀକ୍ଷା ତୁରନ୍ତ କରାଇବା ସହ ଅଗଷ୍ଟ ମାସ ସୁଦ୍ଧା ଫଳ ପ୍ରକାଶନ କରିବା ଦାବିରେ ଜୁଲାଇ ୩୦ରେ ଶହ ଶହ ସିଟି ଛାତ୍ରଛାତ୍ରୀ ବୋର୍ଡ ଅଫିସ୍‌ ଘେରିଥିଲେ । ପରୀକ୍ଷା ଖୁବ୍‌ଶୀଘ୍ର କରାଯାଇ ଧାର୍ଯ୍ୟ ସମୟରେ ରେଜଲ୍ଟ ପ୍ରକାଶନ କରାଯିବ ବୋଲି ବୋର୍ଡ ପକ୍ଷରୁ
ପ୍ରତିଶ୍ରୁତି ଦିଆଯିବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରିଥିଲେ।

Leave A Reply

Your email address will not be published.

15 + 15 =

error: Content is protected !!
Open chat