ଅଲବିଦା ପ୍ରଣବ ଦା’: ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର – କରୋନା କଟକଣା ମଧ୍ୟରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ଶେଷକୃତ୍ୟ

0 570
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯ : ଆଜି ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ୧୦, ରାଜାଜୀ ମାର୍ଗ ସ୍ଥିତ ବାସଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ତିନି ସେନାର ମୁଖ୍ୟଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଏବଂ କଂଗ୍ରେସର ଅନ୍ୟ ପ୍ରମୁଖ ନେତା ପ୍ରଣବ ମୁଖାର୍ଜୀଙ୍କ ଶେଷ ଦର୍ଶନ କରିଥିଲେ । ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ତାଙ୍କ ସରକାରୀ ବାସଭବନ ୧୦, ରାଜାଜୀ ମାର୍ଗ ସ୍ଥିତ ବାସଭବନକୁ ଅଣାଯାଇଥିଲା ଯେଉଁଠାରେ ବହୁ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ତାଙ୍କ ୧୦, ରାଜାଜୀ ମାର୍ଗ ସ୍ଥିତ ବାସଭବନରୁ ଲୋଧି ରୋଡ଼ ସ୍ଥିତ ଶ୍ମଶାନ ଘାଟକୁ ନିଆଯାଇଥିଲା ।

ପୂର୍ବତନ ରାଷ୍ଟ୍ରପତି ତଥା ଲୋକପ୍ରିୟ ଜନନେତା ପ୍ରଣବ ଦା’ଙ୍କର ଶେଷକୃତ୍ୟ ନୂଆଦିଲ୍ଲୀର ଲୋଦି କ୍ରିମେଟୋରିୟମରେ ସ୍ୱର୍ଗତ ମୁଖାର୍ଜୀଙ୍କ ପ୍ରିୟ ପରିଜନ ଉପସ୍ଥିତିରେ କରୋନା ସଂକ୍ରମଣ ଜନିତ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ଅନୁଯାୟୀ ଶେଷକୃତ୍ୟ ସଂପନ୍ନ ହୋଇଛି । ସ୍ୱର୍ଗତ ମୁଖାର୍ଜୀଙ୍କ ଶେଷ ଯାତ୍ରାରେ ବହୁ ରାଜନେତା, ପରିଜନ ଓ ସାଧାରଣ ଲୋକେ ସାମିଲ ହୋଇଥିଲେ। ଆଜି ଅପରାହ୍ନ ୨ଟାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବ ମୁଖାର୍ଜୀଙ୍କ ଆନ୍ତ୍ୟୋଷ୍ଟିକ୍ରିୟା ସମାପିତ ହୋଇଥିବା ସୂଚନା ମିଳିଛି।

ଗତକାଲି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀର ସାମରିକ ଡାକ୍ତରଖାନାରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶେଷ ଦର୍ଶନ ପାଇଁ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା ।

କରୋନାଭାଇରସ୍ ସଂକ୍ରମଣ କାରଣରୁ ଜାରି ରହିଥିବା କଟକଣାକୁ ଦୃଷ୍ଟିରେ ରଖି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ସେନାର ଗନ୍ କ୍ୟାରେଜ ବଦଳରେ ସ୍ୱର୍ଗରଥ ଗାଡ଼ିରେ ଶ୍ମଶାନରେ ପହଞ୍ଚିଥିଲା। ସେଠାରେ ତାଙ୍କ ପୁତ୍ର ଅଭିଜିତ୍ ମୁଖାର୍ଜୀ ମୁଖାଗ୍ନି ଦେବା ସହ ଶେଷକୃତ୍ୟ ରୀତିନୀତି ସଂପନ୍ନ କରିଥିଲେ ।  ଏହି ଅବସରରେ ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଏବଂ ପରିବାରର ସମସ୍ତ ସଦସ୍ୟ ପିପିଇ କିଟ ପିନ୍ଧିଥିବାର ନଜର ଆସିଥିଲେ।

Leave A Reply

Your email address will not be published.

one × 2 =

error: Content is protected !!
Open chat