ଭୁବନେଶ୍ୱର / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଆଜି ଅପରାହ୍ଣ ୩ଟା ବେଳେ CISCE ନୋଟିଫିକେସନ୍ ଜାରି କରି ରେଜଲ୍ଟର ଘୋଷଣା କରିଛି। କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍ (CISCE) ପକ୍ଷରୁ ଦଶମ (ICSE) ଓ ଦ୍ୱାଦଶ (ISC) ପରୀକ୍ଷା ଫଳ ଆଜି ଘୋଷଣା କରାଯାଇଛି। ଚଳିତ ଥର ICSEରେ ୯୯.୩୩ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ISCରେ ୯୬.୮୪ ପ୍ରତିଶତ ପାସ ହାର ହୋଇଛି। ଫଳାଫଳା ଅନୁଯାୟୀ, ଚଳିତବର୍ଷ ଆଇସିଏସ୍ଇର ମୋଟ ୨,୦୬,୫୨୫ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ପାସ କରିଥିବା ବେଳେ ୧,୩୭୭ ଜଣ ଫେଲ ହୋଇଛନ୍ତି। ସେହିଭଳି ଆଇଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୫,୬୧୧ଜଣ ପାସ କରିଥିବା ବେଳେ ୨,୭୯୮ଜଣ ଫେଲ ହୋଇଛନ୍ତି। ତେବେ କୋଭିଡ୍-୧୯ ପରିସ୍ଥିତି ପାଇଁ ଚଳିତ ବର୍ଷ CISCE, ICSE କିମ୍ବା ISCର ମେରିଟ୍ ତାଲିକା ପ୍ରକାଶ କରାଯିବ ନାହିଁ ବୋଲି କାଉନସିଲ୍ ପକ୍ଷରୁ କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି, ସେମାନେ ନିଜର ରେଜଲ୍ଟ କାଉନସିଲର ଅଫିସିଆଲ୍ ୱେବସାଇଟ୍ cisce.org ଓ results.cisce.orgରେ ଦେଖିପାରିବେ।
ରିଚେକିଂ ପାଇଁ ଛାତ୍ରମାନଙ୍କୁ ଜୁଲାଇ ୧୬ ତାରିଖ ସୁଦ୍ଧା ଆବେଦନ କରିପାରିବେ। କିନ୍ତୁ ରିଚେକିଂ କେବଳ ସେହି ବିଷୟ ପାଇଁ ଉଦିଷ୍ଟ ହେବ, ଯାହା ପାଇଁ ସେମାନେ ପରୀକ୍ଷା ଦେଇଥିଲେ। ଗତବର୍ଷ ଏହି ପରୀକ୍ଷାର ଫଳାଫଳ ମେ’ ୭ ତାରିଖରେ ଜାରି କରାଯାଇଥିଲା, ଯେଉଁଥିରେ ଆଇସିଏସଇରେ ୯୮.୫୪ ପ୍ରତିଶତ ଓ ଦ୍ୱାଦଶରେ ୯୬.୫୨ ପ୍ରତିଶତ ପାସ୍ ହାର୍ ଥିଲା। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ୍ ଯୋଗୁ ରେଜଲ୍ଟକୁ ଜୁଲାଇ ୧୦ ତାରିଖରେ ଜାରି କରିଛି।
କାଉନସିଲ୍ ଆଇସିଏସଇର ଦଶମ ଓ ଆଇଏସସିର ଦ୍ୱାଦଶ ପରୀକ୍ଷାର ବଳକା ପେପରକୁ ଅପ୍ସନାଲ୍ ଆସେସମେଣ୍ଟ ସ୍କିମ୍ ଆଧାରରେ ରେଜଲ୍ଟ ଜାରି କରିଛି, ଯାହା କୋଭିଡ୍-୧୯ ମହାମାରୀ ଯୋଗୁ ବାତିଲ୍ କରିଦିଆଯାଇଥିଲା। ଯେଉଁ ଛାତ୍ରମାନେ ନିଜ ନିଜର ଫଳାଫଳରେ ସନ୍ତୁଷ୍ଟ ନାହାନ୍ତି, ସେମାନେ ରିଚେକିଂ ପାଇଁ ଆବେଦନ କରିପାରିବେ।