ଆସନ୍ତାକାଲି ଆସିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ତା କଡାକଡି

0 386
greentech

ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଶନିବାର ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ। ୨୧ ତାରିଖ (ରବିବାର)ରେ ରାଷ୍ଟ୍ରପତି ରାଉରକେଲା ଯାଇ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଓ ପରେ ସେଠାରେ ଆଇଜିଏଚର ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବେ।
୨୨ ତାରିଖ (ସୋମବାର)ରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ପୁରୀ ଓ କୋଣାର୍କ ପରିଦର୍ଶନରେ କାର୍ଯ୍ୟକ୍ରମ ରହିଛି। ୨୧ ତାରିଖ ସକାଳେ ରାଷ୍ଟ୍ରପତି ରାଜଭବନରୁ ଭୁବନେଶ୍ୱର ଏୟାରପୋର୍ଟ ଯାଇ ସେଠାରୁ ଝାରସୁଗୁଡ଼ା ଏୟାରପୋର୍ଟରେ ପହଂଚିବେ। ଝାରସୁଗୁଡ଼ାରୁ ରାଷ୍ଟ୍ରପତି ରାଉରକେଲା ଗସ୍ତ କରିବେ। ସକାଳ ୧୧ଟାରେ ରାଉରକେଲା ଏନ୍‍ଆଇଟି ସମାବର୍ତନ ଉତ୍ସବରେ ଯୋଗଦେବେ। ଅପରାହ୍ଣ ୧୨ଟା ବେଳେ ରାଉରକେଲା ଏନଆଇଟି ଛାଡ଼ି ଅପରାହ୍ନରେ ରାଷ୍ଟ୍ରପତି ଆଇଜିଏଚର ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ। ସେହିଦିନ ସନ୍ଧ୍ୟା ୬.୧୦ରେ ରାଷ୍ଟ୍ରପତି ଭୁବନେଶ୍ୱର ଆସି ରାଜଭବନରେ ରହିବେ।
୨୨ ତାରିଖ ସକାଳ ୧୧ଟାରେ ରାଷ୍ଟ୍ରପତି ପୁରୀରେ ପହଂଚିବେ ଓ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ତା’ପରେ କୋଣାର୍କ ଯିବେ। ସେଠାରେ ବିଶ୍ରାମ ନେବେ। ଅପରାହ୍ଣ ୪.୧୫ରେ ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବେ। ଏହା ପରେ ଅପରାହ୍ଣ ୫ଟା ବେଳେ ରାଷ୍ଟ୍ରପତି କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଆସିବେ ବୋଲି ସୂଚନା ମିଳିଛି।
ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ରାଜ୍ୟ ପୋଲିସ୍‍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଶେଷ କରି କୋଭିଡ୍‍ ଗାଇଡ୍‍ ଲାଇନ୍‍ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ ସଂସ୍ପର୍ଶରେ ଆସିବାକୁ ଥିବା ସମସ୍ତଙ୍କର କୋଭିଡ୍‍ ଟେଷ୍ଟ କରାଯିବ। ଇତି ମଧ୍ୟରେ ସୁରକ୍ଷା ବ୍ୟବସ୍ତା ତଦାରଖ ନିମନ୍ତେ ଏନଏସଜିର ଏକ ଟିମ ପହଂଚି ସାରିଥିବା ସୂଚନା ମିଳିଛି।

Leave A Reply

Your email address will not be published.

9 + 13 =

error: Content is protected !!
Open chat