ବରଗଡ଼ ୧୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଏଥର ଧନୁଯାତ୍ରା ହେବ ନା ନାହିଁ, ଏହାର ଜବାବ କାହାରି ପାଖରେ ନାହିଁ। ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସକାଶେ ଆୟୋଜିତ ପ୍ରଥମ ବୈଠକରେ ବି ଏନେଇ କିଛି ନିଷ୍କର୍ସ ବାହାରି ପାରିଲା ନାହିଁ। ତେଣୁ ଧନୁଯାତ୍ରା ଆୟୋଜନ ନିଷ୍ପତ୍ତି ପୁଣି ଲଟକି ରହିଛି। ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଧନୁଯାତ୍ରା ସହ ସଂପୃକ୍ତ ବିଭିନ୍ନ କମିଟିର ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
ପ୍ରଚଳିତ କୋଭିଡ୍ କଟକଣା ଭିତରେ ଧନୁଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ମାତ୍ର ୨ହଜାର ଦର୍ଶକଙ୍କ ମଧ୍ୟରେ ଧନୁଯାତ୍ରା ସୀମିତ ରହିପାରିବନି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଭର୍ଚୁଆଲ୍ ଧନୁଯାତ୍ରା କିମ୍ବା ତୃତୀୟ ଲହର ଆଶଂକା ଟଳିଲା ପରେ ଏହି ବିଶ୍ବପ୍ରସିଦ୍ଧ ଯାତ୍ରା ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା। କିନ୍ତୁ ଭର୍ଚୁଆଲ୍ ଧନୁଯାତ୍ରା ପରମ୍ପରାକୁ କ୍ଷୁର୍ଣ୍ଣ କରିବ ଏବଂ ଏଥିପାଇଁ କଳାକାର, ଆୟୋଜକ ସହଜ ହେବେ ନାହିଁ ବୋଲି ମତ ପ୍ରକାଶ ପାଇଛି।
ସେହିପରି ଧନୁଯାତ୍ରାକୁ ଘୁଞ୍ଚାଇ ପରେ ଆୟୋଜନ କରିବା ମଧ୍ୟ ସମିଚୀନ ନୁହେଁ ବୋଲି ଯୁକ୍ତି ଉଠିଥିଲା। ଶେଷରେ ଜାନୁଆରି ମାସର କୋଭିଡ୍ ଗାଇଡ୍ଲାଇନ୍ ପ୍ରକାଶ ପାଇବା ପରେ ପୁନର୍ବାର ବୈଠକ ଡକାଯିବ ଓ ଧନୁଯାତ୍ରା ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସ୍ଥିର ହୋଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଧନୁଯାତ୍ରା ଏଥର ବି ଅଘୋଷିତ ଭାବେ ବନ୍ଦ ରହିବ। ଔପଚାରିକତା ଦୃଷ୍ଟିରୁ କେବଳ ଘୋଷଣା କରିବା ବାକି ରହିଲା। ତିଥିକୁ ଆକଳନ କଲେ, ୨୦୨୨ ଜାନୁଆରି ୭ ତାରିଖରୁ ୧୧ ଦିନ ଧରି ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବାକୁ ଅଛି। ଜାନୁଆରି ମାସର ଗାଇଡ୍ଲାଇନ୍ ଡିସେମ୍ବର ୩୧ ତାରିଖ ପୂର୍ବରୁ ପ୍ରକାଶ ପାଇବ। ତେଣୁ ସବୁ ଠିକ୍ ରହିଲେ ବି ମାତ୍ର ୭ଦିନର ପ୍ରସ୍ତୁତିରେ ଧନୁଯାତ୍ରା କରିବା ଅସମ୍ଭବ ହୋଇପାରେ।