ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ବିକ୍ରିବଟା ପାଇଁ ଫ୍ଲିପ୍‌କାର୍ଟ ସହ ହାତ ମିଳାଇଲେ ଓଡ଼ିଶା ସରକାର

0 429
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭: ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ବିକ୍ରିବଟା ଏବଂ ପ୍ରଚାର ପ୍ରସାର ଲାଗି ଦେଶର ଲୋକପ୍ରିୟ ଇ-କମର୍ସ ପ୍ଲାଟ୍‌ଫର୍ମ ‘ଫ୍ଲିପ୍‌କାଟ’ ସହ ରାଜ୍ୟ ସରକାର ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେଭ୍‌ଲପ୍‌ମେଣ୍ଟ ଅଫ୍‌ ଆର୍ଟସ୍‌ ଆଣ୍ଡ କ୍ରାଫ୍ଟସ୍‌(ଏସ୍‌ଆଇଡିଏସି) ସହ ଏହି ସହଭାଗିତା କରାଯାଇଛି।

ଏହାଦ୍ୱାରା ଓଡ଼ିଶାର କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କୁ ନିଜର ହଲ୍‌ମାର୍କ ଉତ୍ପାଦକୁ ଦେଶର ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପ୍ରଦର୍ଶିତ କରାଯାଇପାରିବ। ଉଭୟ ଏସ୍‌ଆଇଡିଏସି ଏବଂ ଫ୍ଲିପ୍‌କାର୍ଟ ସମାଜର ଅଣସଂରକ୍ଷିତ ବର୍ଗର ଲୋକମାନଙ୍କ ପାଇଁ ବାଣିଜ୍ୟ ସୁଯୋଗ ଓ ବ୍ୟବସାୟ ବୃଦ୍ଧି ପାଇଁ ନୂତନ ମାର୍ଗ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ଏହାଦ୍ୱାରା ‘ମେଡ୍‌ ଇନ୍‌ ଇଣ୍ଡିଆ’ ପ୍ରୟାସକୁ ଅଧିକ ପ୍ରୋତ୍ସାହନ ମିଳିପାରିବ।


ଅନ୍ୟପକ୍ଷରେ ଏହି ଚୁକ୍ତିନାମାର ଏକ ଅଂଶ ଭାବେ ‘ବୟନିକା’, ‘ଉତ୍କଳିକା’ ଓ ‘ସମ୍ବଲପୁରୀ ବସ୍ତ୍ରାଳୟ’ ଭଳି ପ୍ରତିଷ୍ଠିତ ଓଡ଼ିଆ ବ୍ରାଣ୍ଡ ସହ ଫ୍ଲିପ୍‌କାର୍ଟ ମିଳିତ ଭାବେ କାର୍ଯ୍ୟ କରିବ। ଏହି ଚୁକ୍ତିନାମା ସମ୍ପର୍କରେ ସୂଚନା ଦେଇ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ସାହୁ କହିଛନ୍ତି, ଫ୍ଲିପକାର୍ଟ ସହ ସହବନ୍ଧିତା ଦ୍ୱାରା ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବ। ଓଡ଼ିଶାର ଅପହଞ୍ଚ ଅଞ୍ଚଳରେ ରହୁଥିବା ହସ୍ତତନ୍ତ ଏବଂ ହସ୍ତଶିଳ୍ପ କାରିଗରମାନେ ଫ୍ଲିପକାର୍ଟ ସହାୟତାରେ ସମଗ୍ର ଭାରତବର୍ଷରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାର ସୁଯୋଗ ପାଇବେ। ଏହି ସହଭାଗିତା କାରିଗରଙ୍କୁ ସେମାନଙ୍କ ଆଞ୍ଚଳିକ କଳା ଏବଂ ହଲମାର୍କ ଉତ୍ପାଦକୁ ପ୍ରଦର୍ଶନ କରିବାବେଳେ ବ୍ରାଣ୍ଡିଂ, ଡିଜିଟାଲ ମାର୍କେଟିଂ ଏବଂ ଆର୍ଥତ୍କ ପରିଚାଳନା ବିଷୟରେ ଜ୍ଞାନ ପ୍ରଦାନ କରିବ ବୋଲି ସେ କହିଛନ୍ତି।

ଏ ନେଇ ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଚିଫ୍‌ କର୍ପୋରେଟ୍‌ ଆଫାୟାର୍ସ ଅଫିସର ରଜ୍‌ନିସ କୁମାର କହିଛନ୍ତି, ଆମେ ଓଡ଼ିଶାର କଳା, ଐତିହ୍ୟକୁ ଆମ ପ୍ଲାଟ୍‌ଫର୍ମକୁ ଆଣିବା ସହ କାରିଗର ଓ ବୁଣାକାରଙ୍କୁ ସର୍ବଭାରତୀୟସ୍ତରରେ ନିଜ ବ୍ୟବସାୟ ବିସ୍ତାର କରିବାର ସୁଯୋଗ ଦେବୁ। ଓଡ଼ିଶା ସରକାରଙ୍କ ସହିତ ହାତ ମିଳାଇବା ଆମର ସୌଭାଗ୍ୟ। ଏହି ଚୁକ୍ତି ରାଜ୍ୟରେ ହଜାର ହଜାର ହସ୍ତତନ୍ତ କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କ ପାଇଁ ଫ୍ଲିପ୍‌କାର୍ଟ ସମର୍ଥର ଲାଭ ଆଣିଦେବ। ଫ୍ଲିପ୍‌କାର୍ଟ ସମର୍ଥ ଏବେ ଦେଶବ୍ୟାପୀ ୫ ଲକ୍ଷରୁ ଅଧିକ କାରିଗର, ବୁଣାକାର ଓ କ୍ଷୁଦ୍ର ଶିଳ୍ପଗୁଡ଼ିକର ଜୀବିକାକୁ ସମର୍ଥନ କରୁଛି।

Leave A Reply

Your email address will not be published.

9 + 2 =

error: Content is protected !!
Open chat