କ୍ୟାପିଟାଲ ହସ୍ପିଟାଲର ୪ କର୍ମଚାରୀ ପଜିଟିଭ୍: କାର୍ଡିଓଲୋଜି ଓପିଡି ୪୮ ଘଣ୍ଟା ବନ୍ଦ; ଆଜିଠାରୁ ଆରମ୍ଭ ହେବ ଟ୍ରୁନାଟ୍‌ ପରୀକ୍ଷା

0 288
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭ :କ୍ୟାପିଟାଲ ହସ୍ପିଟାଲରେ ଆଜି ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ବୋଲି ଜଣାପଡ଼ିଛି। ଯାହାଫଳରେ କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି।

ଅପରପକ୍ଷରେ ଗତକାଲି ହସ୍ପିଟାଲର ହୃଦ୍‌ରୋଗ ବିଭାଗରେ ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ବିଭାଗକୁ ସାନିଟାଇଜ୍ କରିବା ଲାଗି ଆଜିଠାରୁ ୪୮ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି। ତେବେ ପୂର୍ବରୁ ୪୮ଘଣ୍ଟା ପାଇଁ ବନ୍ଦ ରହିଥିବା ଭେଷଜ ବିଭାଗ ଓପିଡି ପୁଣିଥରେ ଆଜିଠାରୁ ରୋଗୀଙ୍କ ପାଇଁ ଖୋଲାଯାଇଛି।

ସୂଚନା ଅନୁସାରେ, କରୋନା ଲକ୍ଷଣ ରହିଥିବା କାରଣରୁ ୩ଜଣଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରାଯାଇଥିଲା। ତହିଁରେ ଜଣେ ପଜିଟିଭ୍ ଆସିଥିଲେ। ଯାହାକୁ ନେଇ ହସ୍ପିଟାଲର କର୍ମଚାରୀ ମହଲରେ ଆତଙ୍କ ଖେଳି ଯାଇଛି। ତେବେ ଯେଉଁମାନଙ୍କର ଆଣ୍ଟିଜେନ୍ କିଟ୍‌ରେ ରିପୋର୍ଟ ନେଗେଟିଭ୍ ରହିଛି ସେମାନଙ୍କୁ ହସ୍ପିଟାଲରେ ସଙ୍ଗରୋଧରେ ରହିବା ଲାଗି ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ଅପରପକ୍ଷରେ ଆସନ୍ତାକାଲିଠାରୁ ହସ୍ପିଟାଲରେ ଟ୍ରୁନାଟ୍‌ରେ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ଆବଶ୍ୟକ କିଟ୍‌ ଦୁଇ ଦିନ ତଳେ ହସ୍ପିଟାଲକୁ ଯୋଗାଇ ଦିଆଯାଇଛି। ଏହାସହ କର୍ମଚାରୀଙ୍କୁ ମଧ୍ୟ ଏ ବବାଦ ତାଲିମ ପ୍ରଦାନ କରାଯାଇଛି। ଟ୍ରୁନାଟ୍‌ରେ ନମୁନାକୁ ୨ଥର ପରୀକ୍ଷା କରିବାକୁ ହେବ। ଯେଉଁ ‌ବ୍ୟକ୍ତିଙ୍କ ନମୁନା ପଜିଟିଭ୍ ଆସିବା ପୁନର୍ବାର ତାଙ୍କର ରିକନର୍ଫମେସନ୍ ପାଇଁ ପରୀକ୍ଷା କରାଯିବ ବୋଲି ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯାହାଫଳରେ ହସ୍ପିଟାଲରେ ଏବେ ରାପିଡ୍‌ ଆଣ୍ଟିଜେନ୍ କିଟ୍ ସହିତ ଟ୍ରୁନାଟ୍ ପରୀକ୍ଷା ମଧ୍ୟ କରାଯିବ। ରୋଗୀଙ୍କଠାରୁ ଆରମ୍ଭ କରି ହସ୍ପିଟାଲ କର୍ମଚାରୀଙ୍କ ଏଥିରେ ପରୀକ୍ଷା ହେବ। ଏହାସହ ହସ୍ପିଟାଲରୁ ପ୍ରତ୍ୟେକ ଦିନ ସ୍ବାବ୍ ସଂଗ୍ରହ କରାଯାଇ ଆରଟି-ପିସିଆର ପରୀକ୍ଷା ପାଇଁ ମଧ୍ୟ ପଠାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ତେବେ ଦିନକୁ ଦିନ ହସ୍ପିଟାଲରେ ରୋଗୀଙ୍କ ସମେତ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀମାନଙ୍କୁ ସଙ୍ଗରୋଧରେ ରହିବା ଲାଗି କୁହାଯାଉଛି। ଫଳରେ ହସ୍ପିଟାଲରେ ଚିକିତ୍ସା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି।

Leave A Reply

Your email address will not be published.

twelve + 13 =

error: Content is protected !!
Open chat