କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୧/୦୭: ଭୁବନେଶ୍ବରରେ କରୋନା ସ୍ଥିତି ନେଇ ଶନିବାର ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହଟ୍ସ୍ପଟ୍ ଅଞ୍ଚଳରୁ ଲୋକେ ଭୁବନେଶ୍ବର ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସ୍ଲମ୍ ଏରିଆରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସ୍ଲମ୍ କମିଟି ଗଠନ ହୋଇଛି। ଭୁବନେଶ୍ବରରେ ୱାର୍ଡ କମିଟିମାନେ ସକ୍ରିୟ ଅଛନ୍ତି। ବସ୍ତି ଅଞ୍ଚଳରେ କିପରି ସଂକ୍ରମଣ ବଢ଼ିବନି, ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। କରୋନାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ।
ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି କରୋନା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ହଟସ୍ପଟ ଅଞ୍ଚଳରୁ ଲୋକେ ଭୁବନେଶ୍ୱର ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଯାହା ବିଏମସି ପାଇଁ ଏକ ବଡ ଚ୍ୟାଲେଞ୍ଜ। ଗତ ୧୦ ଦିନରେ ଭୁବନେଶ୍ୱରରେ ୩୧୭ କେସ ସାମ୍ନାକୁ ଆସିଛି। ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ହସ୍ପିଟାଲରୁ ୬୧ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ଶନିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ହଟସ୍ପଟ ଜିଲାରୁ ଆସୁଥିବା ଲୋକଙ୍କୁ ଧ୍ୟାନରେ ରଖି ମନିଟର କରାଯାଉଛି। ପଜିଟିଭ କେସ ଚିହ୍ନଟ ହେଲେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି। ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ହାତ ଧୁଅନ୍ତୁ । ନିଜ ଦାୟିତ୍ୱ ନିଜେ ନିଅନ୍ତୁ। ମାକେର୍ଟ ଅଞ୍ଚଳରେ ସାମାଜିକ ଦୂରତା ନିୟମ ଭଙ୍ଗ ହେଉଛି। କରୋନାକୁ ସାମ୍ନା କରିବା ପାଇଁ ନିଜେ ନିଜର ଦାୟିତ୍ୱ ନିଅନ୍ତୁ। ବେଶି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ, ସବୁବେଳେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ସ୍ଲମ ଏରିଆରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସ୍ଲମ କମିଟି ଗଠନ ହୋଇଛି। ଭୁବନେଶ୍ୱର ବସ୍ତି ଅଞ୍ଚଳରେ ଓ୍ବାର୍ଡ କମିଟିମାନେ ସକ୍ରିୟ ଅଛନ୍ତି। ବସ୍ତି ଅଞ୍ଚଳରେ କିପରି ସଂକ୍ରମଣ ବଢିବନି ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି କମିଶନର ପ୍ରେମଚାନ୍ଦ ଚୌଧୁରୀ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଏ ଯାବତ୍ ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧୭ ଚିକିତ୍ସାଧିନ ଅଛନ୍ତି । ଶେଷ ୧୦ ଦିନରେ ଭୁବନେଶ୍ବରରେ ୩୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲ୍ ଲିଙ୍କରେ ୬୧ ପଜିଟିଭ୍ ବାହାରିଛି। ୨୧୨ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଛି ଓ ୩୭ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।