କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮:କରୋନାରେ ସାରା ଦେଶରେ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଅଧିଂକାଶ ସାଧରଣ ବିଭାଗ ଓ ଡାକ୍ତରି ଅଭ୍ୟାସ କରୁଥିବା ଡାକ୍ତର ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(IMA) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଏହି ଘଟଣାରେ IMA ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି।
IMAର ତଥ୍ୟ ଅନୁସାରେ ଅଧିକାଂଶ ରୋଗୀ ଜ୍ୱର ଓ ତତ୍ ସମ୍ଭନ୍ଧୀୟ ଲକ୍ଷଣ ଦେଖାଦେଲେ ଆଗ ସାଧାରଣ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି। ଏଥିପାଇଁ ଏହି ଡାକ୍ତରମାନେ ରୋଗୀ ସମ୍ପର୍କରେ ଅଧିକ ଆସିଥାନ୍ତି। IMA ସଦ୍ୟ ତଥ୍ୟ ଅନୁସାରେ, ଦେଶରେ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ୧୯୬ ଜଣ ଡାକ୍ତରଙ୍କ ପ୍ରାଣ ଗଲାଣି।
ସେମାନଙ୍କ ମଧ୍ୟରୁ ୧୭୦ ଜଣଙ୍କ ବୟସ ୫୦ରୁ ଅଧିକ ହେବ। ପାଖାପାଖି ୮୦ ପ୍ରତିଶତ ଡାକ୍ତର ଅସୁରକ୍ଷିତ ଶ୍ରେଣୀରେ ଥିଲେ ବୋଲି IMA କହିଛି। ତେବେ ଏହି ମୃତ୍ୟୁ ସଂଖ୍ୟାର ପାଖାପାଖି ୪୦ ପ୍ରତିଶତ ସାଧାରଣ ଚିକିତ୍ସକ ଅଛନ୍ତି।
ଭାରତରେ ତାମିଲ୍ନାଡ଼ୁରେ ଅଧିକ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ ରହିଛି ମହାରାଷ୍ଟ୍ର ଓ ଗୁଜରାଟ। ଏହି ଦୁଇ ରାଜ୍ୟରେ ୨୩ ଜଣ ଲେଖାଏ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା IMA ସୂଚନା ଦେଇଛି। ସେହିଭଳି ବିହାରରେ ୧୯ ଓ ପଶ୍ଚିମ ବଙ୍ଗରେ ୧୬ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ୧୨ ଜଣ ଡାକ୍ତର କୋଭିଡ୍-୧୯ରେ ପ୍ରାଣ ହରାଇଛନ୍ତି ବୋଲି IMA କହିଛି।
କରୋନା ସମୟରେ ଡାକ୍ତର ଓ ତାଙ୍କ ପରିବାର ସୁରକ୍ଷା ଓ ଯତ୍ନ ସମ୍ପର୍କରେ ଚିନ୍ତା ପ୍ରକଟ କରି ଏହି ଘଟଣାରେ ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛି IMA। ଡାକ୍ତରମାନେ ଅଧିକ ରିସ୍କରେ ଥିବାରୁ ସେମାନଙ୍କର ଓ ସେମାନଙ୍କ ପରିବାର ସୁରକ୍ଷା ସହିତ ଲାଇଫ୍ ଇନ୍ସୁରାନ୍ସ ଫେସିଲିଟି ବଢ଼ାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।