କୋଭିଡ ମୃତ୍ୟୁହାର ହ୍ରାସ ପାଇଁ ଅଧିକ ସମ୍ବଳର ସର୍ବାଧିକ ଉପଯୋଗ କରି ଚିକିତ୍ସାଗତ ପରିଚାଳନାରେ ଉନ୍ନତି ଆଣିବାକୁ ରାଜ୍ୟ ସମୂହକୁ କେନ୍ଦ୍ରର ନିର୍ଦ୍ଦେଶ

0 431
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ତତ୍ପରତାପୂର୍ଣ୍ଣ ପରିଚାଳନା ବ୍ୟବସ୍ଥା ଯୋଗୁଁ ଦେଶରେ କୋଭିଡ-୧୯ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟାର ହାର ୨.୦୪ ଶତାଂଶ ରହିଛି । କୋଭିଡ ମୃତ୍ୟୁହାର ହ୍ରାସ କରିବା ସହ ଏ କ୍ଷେତ୍ରରେ ଚିକିତ୍ସାଗତ ପରିଚାଳନାରେ ଅଧିକ ସମନ୍ୱୟ ଆଣିବା ପାଇଁ ଦୁଇଟି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ  ୭ ଓ ୮ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯେଉଁ ରାଜ୍ୟରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ମୃତ୍ୟୁହାର ଅଧିକ ହେଉଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା । ଏଥିରେ କୋଭିଡ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁହାର ହ୍ରାସ କରିବା ପାଇଁ ଏବଂ ସଂକ୍ରମଣ ରୋକିବା ପାଇଁ ସଂପୃକ୍ତ ରାଜ୍ୟଗୁଡିକୁ ବିଭିନ୍ନ ପରାମର୍ଶ ଦିଆଯାଇଛି ।

.

ଆଜି ଅନୁଷ୍ଠିତ ବୈଠକରେ ୮ଟି ରାଜ୍ୟର ୧୩ଟି ଜିଲାରେ ଅଧିକ କୋଭିଡ ମୃତ୍ୟୁ ଘଟଣା ଉପରେ ବିଶେଷ ଆଲୋଚନା କରାଯାଇଥିଲା । ସେଗୁଡିକ ହେଲା ଆସାମର କାମରୂପ ମେଟ୍ରୋ, ବିହାରର ପାଟନା, ଝାଡଖଣ୍ଡର ରାଞ୍ଚି, କେରଳର ଆଲପୁଜା ଏବଂ ତିରୁଅନନ୍ତପୁରମ୍‌, ଓଡ଼ିଶାର ଗଞ୍ଜାମ, ଉତ୍ତର ପ୍ରଦେଶର ଲକ୍ଷ୍ନୌ, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା, ହୁଗୁଳି, ହାବଡା, କଲକାତା ଓ ମାଲ୍‌ଦା ଏବଂ ଦିଲ୍ଲୀ ସ୍ଥିତି ନେଇ ବିଶେଷ ଚର୍ଚ୍ଚା ହୋଇଥିଲା । ଏହିସବୁ ଜିଲାରେ ଦେଶର ୯ ଶତାଂଶ ସକ୍ରିୟ କୋଭିଡ ସଂକ୍ରମିତ ଅଛନ୍ତି ଏବଂ ଦେଶରେ ମୋଟ କୋଭିଡ ମୃତ୍ୟୁହାରରେ ଏସବୁ ଜିଲାର ଅଂଶ ୧୪ ଶତାଂଶ । ଏସବୁ ଜିଲାରେ ମଧ୍ୟ ଧାର୍ୟ୍ୟ ନୀତିନିୟମ ଅନୁସାରେ ଲୋକଙ୍କ କରୋନା ପରୀକ୍ଷା ହେଉ ନ ଥିବା ଜଣାପଡିଛି । ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ଯେତିକି ଲୋକଙ୍କର ଦୈନିକ ପରୀକ୍ଷା କରାଯିବା କଥା ତାହା ନିର୍ଦ୍ଧାରିତ ସଂଖ୍ୟାଠାରୁ କମ୍‌ ରହୁଛି । ଆହୁରି ମଧ୍ୟ ଯେଉଁମାନଙ୍କର ପରୀକ୍ଷା ହେଉଛି ସେମାନଙ୍କ ମଧ୍ୟରୁ ଅଧିକ ସଂକ୍ରମିତ ବାହାରୁଛନ୍ତି । ଆସାମର କାମରୂପ ମେଟ୍ରୋ, ଉତ୍ତର ପ୍ରଦେଶର ଲକ୍ଷ୍ନୌ ଏବଂ କେରଳର ତିରୁଅନନ୍ତପୁରମ୍‌ ତଥା ଆଲାପୂଜା ଜିଲାରେ ଦୈନିକ ନୂଆ ନୂଆ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେଉଥିବା ଜଣାପଡିଛି । ଆଜିର ଏହି ଭର୍ଚୁଆଲ ବୈଠକରେ ସଂପୃକ୍ତ ୮ଟି ଜିଲାର ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ, ଜିଲା ସର୍ଭେଲାନ୍ସ ଅଧିକାରୀ, ଜିଲାପାଳ, ମୁନିସିପାଲ କମିଶନର, ଚିଫ୍‌ ମେଡିକାଲ ଅଫିସର ଏବଂ ମେଡିକାଲ କଲେଜର ଅଧୀକ୍ଷକମାନେ ଅଂଶଗ୍ରହଣ କରିଥିଲେ ।

ଆଜିର ବୈଠକରେ ମୃତ୍ୟୁହାର ହ୍ରାସ କରିବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ଉପଲ୍‌ବଧ ସ୍ୱାସ୍ଥ୍ୟଗତ ବ୍ୟବସ୍ଥା ଓ ସମ୍ବଳକୁ ପୂର୍ଣ୍ଣମାତ୍ରାରେ ବ୍ୟବହାର କରି ମୃତ୍ୟୁହାର କମାଇବାକୁ ପରାମର୍ଶ ଦିଆଯାଇଛି । ଲ୍ୟାବଗୁଡିକର ଉପଯୋଗ ବଢାଇବା ସହିତ ଯେଉଁଠି ଦୈନିକ ୧୦୦ରୁ କମ୍‌ ଟେଷ୍ଟ ହେଉଛି ତାହାକୁ ବଢାଇବା ଏବଂ ୧୦ ଲକ୍ଷ ଜନସଂଖ୍ୟାରେ ଧାର୍ୟ୍ୟ ସଂଖ୍ୟକ ଲୋକଙ୍କୁ ଦୈନିକ ଟେଷ୍ଟ କରିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଆହୁରି ମଧ୍ୟ କେତେକ କ୍ଷେତ୍ରରେ ଟେଷ୍ଟ ରିପୋର୍ଟ ମିଳିବାରେ ବିଳମ୍ବ ହେଉଥିବାରୁ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ସର୍ବୋପରି ନିର୍ଭୁଲ ରିପୋର୍ଟ ଯେପରି ଆସେ ସେଥିପ୍ରତି ଯତ୍ନବାନ ହେବାକୁ କୁହାଯାଇଛି ।

ଯେଉଁ ସଂକ୍ରମିତମାନେ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ତୁରନ୍ତ ହସ୍‌ପିଟାଲରେ ଭର୍ତ୍ତି କରିବାକୁ ଗୁରୁତ୍ୱ ଦିଆଯାଉଛି । କାରଣ ଏହି ୮ଟି ଜିଲାରେ ସଂକ୍ରମିତଙ୍କୁ ବିଳମ୍ବରେ ଚିକିତ୍ସା ପ୍ରଦାନ କରାଯାଉଥିବାରୁ ହସପିଟାଲରେ ଭର୍ତ୍ତି ହେବାର ୪୮ ଘଣ୍ଟା ମଧ୍ୟରେ ପ୍ରାଣ ହରାଉଥିବା ରୋଗୀଙ୍କ ସଂଖ୍ୟ ଅଧିକ ଥିବା ଜଣାପଡିଛି । ଆମ୍ବୁଲାନ୍ସ ମିଳୁନଥିବା ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତୁରନ୍ତ ତାହାର ସମାଧାନ କରିବା ସହ ଯେଉଁମାନେ ଏହି ସେବା ଯୋଗାଇବାକୁ ଅନିଚ୍ଛୁକ ହେବେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନଙ୍କର ଲକ୍ଷଣ ନାହିଁ ସେମାନଙ୍କୁ ଘରେ ପୃଥକବାସରେ ରଖି ଚିକିତ୍ସା କରିବାକୁ କୁହାଯାଇଛି । ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀମାନେ ବ୍ୟକ୍ତିଗତଭାବରେ ସେମାନଙ୍କ ଘରକୁ ଯାଇ କିମ୍ବା ଫୋନ ଯୋଗେ ସଂପୃକ୍ତ ରୋଗୀମାନଙ୍କୁ ଦୈନିକ ପରାମର୍ଶ ଦେବାକୁ କୁହାଯାଇଛି । ଆହୁରି ମଧ୍ୟ ରୋଗୀ ସଂଖ୍ୟାର ବୃଦ୍ଧି, ସଂକ୍ରମଣର ହାର ଆଦିକୁ ବିଚାରକୁ ନେଇ ଆଇସିୟୁ ବେଡ୍‌, ଅକ୍ସିଜେନ ଯୋଗାଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ସଂପୃକ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ନୂଆଦିଲ୍ଲୀ ଏମ୍ସ ପକ୍ଷରୁ ପ୍ରତି ସପ୍ତାହର ମଙ୍ଗଳ ଓ ଶୁକ୍ରବାର ଦୁଇଥର ଭର୍ଚୁଆଲ ସେସନ୍‌ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରୀ ଦଳ କୋଭିଡ ରୋଗୀଙ୍କ ଚିକିତ୍ସା, ପରିଚାଳନା ଏବଂ ଆଇସିୟୁ ବ୍ୟବସ୍ଥା ସଂପର୍କରେ ବିଭିନ୍ନ ରାଜ୍ୟର ଚିକିତ୍ସକମାନଙ୍କୁ ଟେଲି/ଭିଡିଓ ବ୍ୟବସ୍ଥାରେ ପରାମର୍ଶ ଦେଉଛନ୍ତି । ମୃତ୍ୟୁହାରକୁ କିପରି କମାଯାଇପାରିବ ସେ ବିଷୟରେ ସବୁ ରାଜ୍ୟର ହସପିଟାଲଗୁଡିକର ଡାକ୍ତରମାନଙ୍କୁ ଅବଗତ କରାଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ କୋଭିଡ ହସପିଟାଲ ଓ ଅନ୍ୟାନ୍ୟ ଏକ୍ସଲେନ୍ସ ସେଣ୍ଟରଗୁଡିକର ଚିକିତ୍ସକ ଓ ପରିଚାଳନା ଦାୟିତ୍ୱରେ ଥିବା ବିଶେଷଜ୍ଞମାନେ ଏହିସବୁ ଅଧିବେଶନରେ ଯେପରି ନିୟମିତ ଯୋଗ ଦିଅନ୍ତି ତାହାର ବ୍ୟବସ୍ଥା ନିଶ୍ଚିତ କରିବାକୁ କୁହାଯାଇଛି । ବିଭିନ୍ନ ପୁରୁଣା ରୋଗଥିବା ବ୍ୟକ୍ତିବିଶେଷ ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଓ ଶିଶୁମାନେ ହାଇରିସ୍କ ଗ୍ରୁପ୍‌ର ହୋଇଥିବାରୁ ସେମାନଙ୍କ ଚିକିତ୍ସା ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

1 + nineteen =

error: Content is protected !!
Open chat