କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ
ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୧୦: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ କେନ୍ଦ୍ର ସରକାରଙ୍କ କୃଷିବିଲକୁ ବିରୋଧ କରି ଆଜି ଧର୍ମଗଡ଼ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବନେତା ତଥା ପିସିସି ସଭ୍ୟ ଦିଗାମ୍ବର ଦୁରିଆଙ୍କ ନେତୃତ୍ୱରେ ଏକ ରେଲି ବାହାରି ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ଉପ-ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା।
ସୂଚନା ଯୋଗ୍ୟ ଯେ, ପାର୍ଲାମେଣ୍ଟରେ ଆଗତ ହୋଇଥିବା କୃଷିବିଲକୁ ନେଇ ଦେଶବ୍ୟାପି ପ୍ରତିବାଦ ମୁଣ୍ଡ ଟେକିଛି। ତେବେ କୃଷିବିଲ କୃଷକଙ୍କ ବିପକ୍ଷ ଥିବା ଓ ସାଧାରଣ କୃଷକ ମାରଣା ନୀତି ଭାବେ ଗଠନ ହୋଇଥିବା ନେଇ ବିଭିନ୍ନ ମହଲରୁ ବିରୋଧ କରାଯାଉଛି। ଏହା ସତ୍ତ୍ୱେ ମଧ୍ୟ ବିଲ ଉପରେ ରାଷ୍ଟ୍ରପତିଙ୍କ ମୋହର ଲାଗିଛି। ତେବେ ଏହାର ପୁନଃବିଚାର କରିବା ସହ ସରକାର କୃଷିବିଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବିରେ ଉଲ୍ଲେଖ କରାଯାଇଛି। ଯଦି ସରକାର ବିଲକୁ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବ ବୋଲି କର୍ମୀ ମାନେ ଚେତାବନୀ ଦେଇଛନ୍ତି।