ଜୁଲାଇ ୨୦ରୁ ସିବିଡିଟି ପକ୍ଷରୁ ସ୍ୱେଚ୍ଛାକୃତ ଆୟକର ପ୍ରଦାନ ସଂକ୍ରାନ୍ତ ଇ-ଅଭିଯାନ ଆରମ୍ଭ ହେବ

0 355
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭: ସ୍ୱେଚ୍ଛାକୃତଭାବେ ଆୟକର ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଚଳିତମାସ ୨୦ ତାରିଖ ସୋମବାରଠାରୁ ଇ-ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ୧୧ ଦିନଧରି ଚାଲି ଜୁଲାଇ ୩୧ ତାରିଖରେ ଶେଷ ହେବ। ଏଥିରେ ମୁଖ୍ୟତଃ କରଦାତା/ଆସେସି ଯେଉଁମାନେ ରିଟର୍ଣ୍ଣ ଫାଇଲ କରୁନାହାନ୍ତି କିମ୍ବା ୨୦୧୮-୧୯ ଆର୍ଥିକ ବର୍ଷରେ ସେମାନଙ୍କ ରିଟର୍ଣ୍ଣ ଫାଇଲରେ ତ୍ରୁଟି ଅଥବା ତଥ୍ୟଗତ ଅଭାବ ରହିଛି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବ। ଏହି ଅଭିଯାନ କେବଳ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଉଦ୍ଦିଷ୍ଟ।

ଏହି ଅଭିଯାନ କାଳରେ ଟିକସଦାତାଙ୍କୁ ଅନ୍ଲାଇନ ବ୍ୟବସ୍ଥାରେ ନିଜର ଟିକସ/ଆର୍ଥିକ କାରବାର ସଂପର୍କରେ ତଥ୍ୟ ପ୍ରଦାନ କରିବାକୁ ସଚେତନ କରାଯିବ। ସ୍ୱେଚ୍ଛାକୃତ ଭାବରେ ନିଜର ଆୟ ଏବଂ ଟିକସ ଆଦି ସଂପର୍କରେ ଆୟକର ବିଭାଗକୁ ସୂଚନା ଦେବାକୁ ଲୋକଙ୍କୁ କୁହାଯିବ। ଏହାଫଳରେ ସଂପୃକ୍ତ ବ୍ୟକ୍ତିବିଶେଷ ବା ଆୟକାରୀ ଅଯଥା ଆୟକର ବିଭାଗର ସନ୍ଦେହରେ ରହିବେ ନାହିଁ କିମ୍ବା ତାଙ୍କ ପାଖକୁ ନୋଟିସ ପଠାଯିବ ନାହିଁ।

ଏହି କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା କେତେକ ଟିକସଦାତାଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ଇ-ମେଲ ଓ ଏସ୍ଏମ୍ଏସ୍ପଠାଯିବ। ଏଥିରେ ସେମାନଙ୍କର ବିଭିନ୍ନ ସୂତ୍ରରୁ ହୋଇଥିବା ଆୟ, ଆର୍ଥିକ କାରବାର, ଟିଡିଏସ୍, ଟିସିଏସ୍, ଫରେନ ରେମିଟାନ୍ସ ଆଦି ସଂପର୍କରେ ପ୍ରଶ୍ନ ପଚରାଯିବ। ପଚରାଯାଇଥିବା ପ୍ରଶ୍ନଗୁଡିକ ସଂପର୍କରେ ସଂପୃକ୍ତ ଆୟକାରୀଙ୍କୁ ଆୟକର ବିଭାଗକୁ ତଥ୍ୟ ଦେବାକୁ ପଡିବ। ଆୟକର ବିଭାଗ ମଧ୍ୟ ଜିଏସ୍ଟି, ରପ୍ତାନୀ, ଆମଦାନୀ ଏବଂ ପ୍ରତିଭୂତି କାରବାର, ମ୍ୟୁଚୁଆଲ ଫଣ୍ଡ, କମଡିଟିଜ୍ଓ ଡେରିଭେଟିସ୍ଆଦି ଆର୍ଥିକ କାରବାର ସଂକ୍ରାନ୍ତ ସୂଚନା ସଂଗ୍ରହ କରିଛି। ଏ ସବୁ ବିଷୟରେ ମଧ୍ୟ ଆୟକରଦାତାଙ୍କୁ ପଚରାଯାଇପାରେ। ଡେଟା ସଂଗ୍ରହ କରିବା ପାଇଁ ଏସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆହୁରି ମଧ୍ୟ ଆୟକର ବିଭାଗର ତଥ୍ୟରୁ ଜଣାପଡିଛି ଯେ ଗତ ଆର୍ଥିକ ବର୍ଷରେ କେତେକ ଟିକସଦାତା ବିପୁଳ ପରିମାଣର ଆର୍ଥିକ କାରବାର କରିଥିଲେ ହେଁ ସେମାନେ ତାହାର ରିଟର୍ଣ୍ଣ ଦାଖଲ କରିନାହାନ୍ତି। ଆହୁରି ମଧ୍ୟ କେତେକ ବ୍ୟକ୍ତିବିଶେଷ ମୋଟା ଅଙ୍କର ଅର୍ଥ କାରବାର କରିଥିଲେ ହେଁ ନିଜର ଆୟକର ରିଟର୍ଣ୍ଣ ନିୟମ ଅନୁସାରେ ତାହା ଦର୍ଶାଇ ନାହାନ୍ତି। ଏମାନଙ୍କୁ ସବୁ ଚିହ୍ନଟ କରାଯାଇଛି।

ଇ-କ୍ୟାମ୍ପେନ ବ୍ୟବସ୍ଥାରେ ଟିକସଦାତାଙ୍କୁ ସେମାନଙ୍କର ମୋଟା ଅଙ୍କର ଆର୍ଥିକ କାରବାର ସଂପର୍କରେ ପୂର୍ଣ୍ଣାଙ୍ଗ ସୂଚନା ଆୟକର ବିଭାଗର ଉଦ୍ଦିଷ୍ଟ ପୋର୍ଟାଲରୁ ମିଳିପାରିବ। ନିଜର ଉତ୍ତର ରଖିବା ପାଇଁ ସଂପୃକ୍ତ ବ୍ୟକ୍ତିବିଶେଷ ନିମନ୍ତେ ଅନ୍ଲାଇନ ସୁବିଧା ପ୍ରଦାନ କରାଯାଇଛି। ସେମାନେ ଏହି ତଥ୍ୟ ଉପରେ ହଁ କି ନା କହି ବିଭାଗକୁ ସୂଚନା ଦେଇପାରିବେ। ପୋର୍ଟାଲରେ ଯେଉଁସବୁ ସୁବିଧା ବା ଅପ୍ସନ ରହିଛି ସେଗୁଡିକ ହେଲା- (୧) ସୂଚନା ଠିକ୍(୨) ସୂଚନା ଆଂଶିକ ଠିକ୍(୩) ଅନ୍ୟ ବ୍ୟକ୍ତି/ବର୍ଷ ପାଇଁ ସୂଚନା (୪) ପ୍ରଦତ୍ତ ସୂଚନା ନକଲି/ଅନ୍ୟ ସୂଚନାରେ ପ୍ରଦର୍ଶିତ ହୋଇଛି (୫) ସୂଚନାକୁ ଅସ୍ୱୀକାର କରାଯାଉଛି। ଏସବୁ କାର୍ଯ୍ୟ ପାଇଁ ଆୟକର ଅଫିସକୁ ଯିବାକୁ ପଡିବ ନାହିଁ ଏବଂ ଅନ୍ଲାଇନରେ ଏହିସବୁ କରାଯାଇପାରିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ ବର୍ଷ (୨୦୧୮-୧୯ ଆର୍ଥିକ ବର୍ଷ ପାଇଁ) ନିମନ୍ତେ ଆୟକର ରିଟର୍ଣ୍ଣ ଦାଖଲ ଓ ସଂଶୋଧନ କରିବାର ଶେଷ ତାରିଖ ୨୦୨୦ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଯେଉଁ ଇ-କ୍ୟାମ୍ପେନ ଆରମ୍ଭ ହୋଇଛି ନିଜର ସୁବିଧା ପାଇଁ ଆୟକରଦାତାମାନେ ତାହାର ସୁଯୋଗ ନେବାକୁ ଆୟକର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.

fifteen − six =

error: Content is protected !!
Open chat