ତିରପତି / ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ‘ତିରପତି ତିରୁମାଲା ଦେବସ୍ଥାନମ୍’ର ପୂର୍ବତନ ମୁଖ୍ୟ ପୂଜାରୀଙ୍କର କରୋନାରେ ନିଧନ ହୋଇଛି । ଶ୍ରୀନିବାସ ଦିକ୍ଷୀତୁଲୁ ତିରୁପତିଙ୍କର ପୂର୍ବତନ ମୁଖ୍ୟ ପୂଜାରୀ ରହିଥିଲେ । ତାଙ୍କର ବୃକକ ଏବଂ ହୃଦ ସମସ୍ୟା ରହିଥିଲା (କିଡନୀ ଏବଂ ହାର୍ଟ) । କରୋନା ଆକ୍ରାନ୍ତ ହେବାପରେ ତାଙ୍କର ଚିକିତ୍ସା ଚାଲିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ଜୁଲାଇ ୧୯ ତାରିଖ ସକାଳେ ଶ୍ରୀ ଭେଙ୍କଟେଶ୍ୱର ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ତାଙ୍କ ଦେହାନ୍ତ ହୋଇଛି । ଗୁରୁବାରରେ ତାଙ୍କର କରୋନା ପଜେଟିଭ୍ ବୋଲି ସୂଚନା ମିଳିଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁବାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ରବିବାରରେ ତାଙ୍କର ନିଧନ ହୋଇଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ପୂର୍ବରୁ ଖରାପ ଥିବାରୁ ମନ୍ଦିରର ପୂଜା କାର୍ଯ୍ୟ ଆଉ କରୁ ନଥିଲେ।
ମହାମାରୀ ସମୟରେ ତିରୁପତି ମନ୍ଦିର ଖୋଲା ରଖିବା ପାଇଁ ଟିଟିଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାପରେ ମନ୍ଦିରର ୧୪୦ ଜଣ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି ପଜେଟିଭ୍ ବୋଲି ଜଣା ପଡିଥିଲା । ଏମାନଙ୍କ ମଧ୍ୟରେ ୧୪ ଜଣ ସହକାରୀ ପୂଜାରୀ, ୧୬ ଜଣ ଲଡୁ ତିଆରି କରୁଥିବା ବ୍ୟକ୍ତି , ୫୬ ଜଣ ସୁରକ୍ଷା କର୍ମୀ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଜଣ ସୁସ୍ଥ ହୋଇଛନ୍ତି । ମହାମାରୀ ସମୟରେ ୧୨ଶହ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଟିଟିଡି ଅନୁମତି ଦେଉଛି । କଣ୍ଟାନମେଣ୍ଟ ଜୋନ୍ର ବ୍ୟକ୍ତିଙ୍କୁ ଏଥିପାଇଁ ଅନୁମତି ଦିଆଯାଉ ନାହିଁ ବୋଲି ଟିଟିଡି ପକ୍ଷରୁ କୁହାଯାଇଛି । ଏହା ସହ ଯେଉଁ ରାଜ୍ୟରେ କରୋନା ଅଧିକ ବ୍ୟାପିଛି ସେଠାର ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଉ ନାହିଁ । ମାତ୍ର ପୋଲିସ ପକ୍ଷରୁ ଟିଟିଡିକୁ ଲୋକଙ୍କର ସ୍ୱାସ୍ଥ୍ୟ ଏବଂ ଜୀବନର ସୁରକ୍ଷା ପାଇଁ ଦର୍ଶନ ବନ୍ଦ ରଖିବାକୁ ପତ୍ର ଲେଖାଯାଇଛି ।
ଏବେ ତିରୁପତିର ମୁଖ୍ୟ ପୂଜାରୀ ଦାୟିତ୍ୱରେ ଥିବା ରମଣ ଦିକ୍ଷୀତାଲୁ ମନ୍ଦିରରେ ଦର୍ଶନ ବନ୍ଦ କରିବା ପାଇଁ ଆନ୍ଧ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ନହେଲେ ଏହି ମହାମାରୀ ଯୋଗୁଁ ମନ୍ଦିର କର୍ତ୍ତୃପକ୍ଷ ଏବଂ ଭକ୍ତ ପ୍ରଭାବିତ ହେବେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେ ପ୍ରକାଶ କରିଛନ୍ତି ।