ପରଲୋକରେ ‘ପଣ୍ଡିତଜୀ’ : ବିଶିଷ୍ଟ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତୀ ପଣ୍ଡିତ ଯଶରାଜଙ୍କ ଦେହାନ୍ତ

0 405
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮: ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତି ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି । ପଣ୍ଡିତ ଯଶରାଜଙ୍କର ୯୦ ବର୍ଷ ବୟସରେ ଆଜି ଯୁକ୍ତରାଷ୍ଟ୍ର ଆମେରିକା ନିଉ ଜର୍ସିରେ ଦେହାନ୍ତ ହୋଇଯାଇଛି । ‘ପଣ୍ଡିତଜୀ’ ଭାବରେ ପରିଚିତ ପଣ୍ଡିତ ଯଶରାଜ ଭାରତୀୟ ସଙ୍ଗୀତ ଜଗତର ଧ୍ରୁବତାରା ରୂପେ ପରିଗଣିତ ଓ ସେ ମେୱାନୀ ଘରାନା ସହ ସମ୍ପୃକ୍ତ । ତାଙ୍କ ମୃତ୍ୟୁ ଖବର ଝିଅ ଦୁର୍ଗା ଯଶରାଜ ଘୋଷଣା କରିଛନ୍ତି। ଆମେରିକୀୟ ସମୟ ସକାଳ ୫.୧୫ରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି ବୋଲି ଦୁର୍ଗା ଯଶରାଜ କହିଛନ୍ତି । ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ଏ ବର୍ଷ ଜାନୁଆରି ମାସରେ ସେ ୯୦ ବର୍ଷରେ ପଦାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପଣ୍ଡିତ ଯଶରାଜଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ତାଙ୍କର ବିୟୋଗ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ପଣ୍ଡିତ ଯଶରାଜ ୧୯୩୦ ମସିହା ଜାନୁୟାରୀ ୨୮ରେ ହରିୟାଣାର ହିସାର ଜିଲ୍ଲାର ପିଲି ମାଣ୍ଡୋରିରେ ଜନ୍ମଗ୍ରହଣ କରିଥିଲେ। ଏକ  ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ବାପା ଥିଲେ ଶାସ୍ତ୍ରୀୟ ଗାୟକ ପଣ୍ଡିତ ମୋତିରାମ। ୧୯୩୪ ମସିହାରେ ମୋତିରାମଙ୍କର ପରଲୋକ ହୋଇଥିଲା। ଫଳରେ ମାତ୍ର  ଚାରି ବର୍ଷ ବୟସରେ ଯଶରାଜ ନବାବ୍ ମୀର ଓସମାନ ଅଲି ଖାନଙ୍କ  ଦରବାରୀ ଗାୟକ  ଭାବରେ ନିଯୁକ୍ତ ହୋଇଥିଲେ। ଯଶରାଜଙ୍କ ବଡ ଭାଇ ପଣ୍ଡିତ ପ୍ରତାପ ନାରାୟଣ ମଧ୍ୟ ଜଣେ ଦକ୍ଷ ସଂଗୀତଜ୍ଞ ଥିଲେ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଯୋଡି ଯତିନ୍-ଲଲିତ, ଗାୟକ-ଅଭିନେତ୍ରୀ ସୁଲକ୍ଷନା ପଣ୍ଡିତ ଏବଂ ଅଭିନେତ୍ରୀ ବିଜୟ ପଣ୍ଡିତଙ୍କ ପିତା ଥିଲେ। ମାତ୍ର ୧୪ ବର୍ଷ ବୟସରେ ସେ ସଙ୍ଗୀତଗାନ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଓ ଏହାପୂର୍ବରୁ ତବଲା ବାଦନ ଶିକ୍ଷା ଶେଷ କରିଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ପଣ୍ଡିତଜୀ ଭାରତ,କାନାଡ଼ା ଓ ଆମେରିକାରେ ସଙ୍ଗୀତ ଶିକ୍ଷା ଦେଇଥିଲେ ।

ଯଶରାଜଙ୍କ ଯୁବାବସ୍ଥା ହାଇଦ୍ରାବାଦ କଟିଥିଲା। ଏହି ସମୟରେ ସେ ଗୁଜୁରାଟର ସାନନ୍ଦକୁ ଯାଇ ମେୱତି ଘାରନାର ସଂଗୀତଜ୍ଞମାନଙ୍କଠାରୁ  ସଙ୍ଗୀତ ଅଧ୍ୟୟନ କରିଥିଲେ। ଏହାପରେ ୧୯୪୬ ମସିହାରେ ଯଶରାଜ କଲିକତା ଯାଇଥିଲେ ଏବଂ ସେଠାରେ ସେ ରେଡିଓରେ ଶାସ୍ତ୍ରୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଏହାପରେ ସେ ନିଜକୁ ଜଣେ ଆଗଧାଡ଼ିର ଶାସ୍ତ୍ରୀୟ ସଂଗୀତଜ୍ଞ ଭାବେ ପ୍ରତିପାଦିତ କରିଥିଲେ। ୧୯୬୨ ମସିହାରେ ଜଶରାଜ ବିଶିଷ୍ଟ  ଚଳଚ୍ଚିତ୍ର ନିର୍ଦ୍ଦେଶକ ଭି.ଶାନ୍ତାରାମଙ୍କ ଝିଅ ମଧୁରା ଶାନ୍ତାରାମଙ୍କୁ ବିବାହ କରିଥିଲେ।  ମଧୁରାଙ୍କୁ ସେ ପ୍ରଥମେ ୧୯୬୦ରେ ବମ୍ବେରେ ଭେଟିଥିଲେ। ଦୁଇ ସନ୍ତାନର ଜନକ ଥିଲେ ସେ, ପୁଅ ଶାରଙ୍ଗ ଦେବ ପଣ୍ଡିତ ଏବଂ ଗୋଟିଏ ଝିଅ ଦୁର୍ଗା ଜଶରାଜ । ଯଶରାଜଙ୍କ ପତ୍ନୀ ମାଧୁରା ୨୦୦୯ରେ ‘ସଂଗୀତ ମାର୍ତ୍ତଣ୍ଡ ପଣ୍ଡିତ ଜଶରାଜ’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ତାଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର ‘ଆୟାଇ ତୁଜା ଆଶିରୱାଡ’ର ନିର୍ଦ୍ଦେଶନା ଦେଇଥିଲେ।  ଏଥିରେ ତାଙ୍କ ସ୍ୱାମୀ ପଣ୍ଡିତ ଯଶରାଜ୍ ଏବଂ ଲତା ମଙ୍ଗେସକର ମରାଠୀରେ ଗୀତ ଗାଇଥିଲେ।

Leave A Reply

Your email address will not be published.

eight + 12 =

error: Content is protected !!
Open chat