ରାଜ୍ୟର ସମସ୍ତ ବିଚାରପତିଙ୍କ ପାଇଁ ‘କାର୍ଯ୍ୟ ମାପଦଣ୍ଡ’ ଧାର୍ଯ୍ୟ: ପ୍ରତ୍ୟେକ ବିଚାରପତିଙ୍କ ପାଇଁ ବର୍ଷକୁ ୨୪୦ଟି କାର୍ଯ୍ୟ ଦିବସ ରହିବ – ଓଡିଶା ହାଇକୋର୍ଟ

0 417
greentech

ଭୁବନେଶ୍ୱର/କଟକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ରାଜ୍ୟର ସମସ୍ତ କ୍ୟାଡର୍‌ର ବିଚାରପତିଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ମାପଦଣ୍ଡ (ୟାର୍ଡଷ୍ଟିକ୍‌) ସ୍ଥିର ହୋଇଛି। ସୋମବାର ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁୟାରୀରୁ ଏହି ନୂତନ ମାପଦଣ୍ଡ ବ୍ୟବସ୍ଥା ଲାଗୁ ହେବ। ଏଥିରେ ପ୍ରତ୍ୟେକ ବିଚାରପତିଙ୍କ ପାଇଁ ବର୍ଷକୁ ୨୪୦ଟି କାର୍ଯ୍ୟ ଦିବସ ରହିବ। ବିଭିନ୍ନ ମାମଲାର ଫଇସଲା ଅନୁଯାୟୀ କାର୍ଯ୍ୟଦିବସ ଗଣତି କରାଯିବ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଜିଲା ଜଜ୍‌ କ୍ୟାଡର୍‌ର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌, ସ୍ବତନ୍ତ୍ର କୋର୍ଟ ଜଜ୍‌ ଏବଂ ସିବିଆଇ ସ୍ବତନ୍ତ୍ର କୋର୍ଟ ଜଜ୍‌ମାନଙ୍କ ପାଇଁ ସ୍ଥିର ହୋଇଥିବା ମାପଦଣ୍ଡ ଅନୁଯାୟୀ, ଗୋଟିଏ ଟ୍ରାପ୍‌ କେସ୍‌ର ଫଇସଲା ହେଲେ ଏହା ୭ଟି କାର୍ଯ୍ୟ ଦିବସରେ ଗଣତି ହେବ। ସେହିଭଳି ଆୟ ବର୍ହିଭୂତ ସମ୍ପତ୍ତି, ଅର୍ଥ ଆତ୍ମସାତ୍‌ ମାମଲା ଓ ସିବିଆଇର ଗୋଟିଏ ମାମଲାର ଫଇସଲା ହେଲେ ୧୦ଟି କାର୍ଯ୍ୟ ଦିବସ ଭାବେ ଗଣାଯିବ। ଏନ୍‌ଡିପିଏସ୍‌, ପୋକ୍ସୋ ମାମଲାର ଫଇସଲା ପାଇଁ ୪ଟି କାର୍ଯ୍ୟ ଦିବସ, ଅନୁସୂଚିତ ଜାତି ଓ ଜନଜାତି ଆଇନ୍‌-୧୯୮୯ରେ ଗୋଟିଏ ମାମଲାର ଫଇସଲା ପାଇଁ ୪ଟି କାର୍ଯ୍ୟ ଦିବସ ରଖାଯାଇଛି। କ୍ରିମିନାଲ୍‌ ଅପିଲ୍‌ ଓ ଜେଲ୍‌ କ୍ରିମିନାଲ୍‌ ଅପିଲ୍‌ର ଫଇସଲା ପାଇଁ ଗୋଟିଏ କାର୍ଯ୍ୟ ଦିବସ, କ୍ରିମିନାଲ୍‌ ରିଭିଜନ୍‌, ସିଭିଲ୍‌ ଅପିଲ୍‌, ନିର୍ବାଚନ ମାମଲା ଓ ଜମି ଅଧିଗ୍ରହଣ ସଂପର୍କିତ ମାମଲାର ଫଇସଲା ହେଲେ ୨ଟି ଲେଖାଏଁ ଓ ଆର୍ଥତ୍କ ସଂସ୍ଥାରେ ଜମା ସଂପର୍କିତ ମାମଲା ଫଇସଲା ପାଇଁ ୭ଟି କାର୍ଯ୍ୟ ଦିବସ ଗଣତି କରାଯିବ।

ସେହିପରି ଅନ୍ୟ ବିଚାରପତିମାନଙ୍କ ପାଇଁ ମଧ୍ୟ ମାମଲା ଫଇସଲା ଅନୁଯାୟୀ କାର୍ଯ୍ୟ ଦିବସ ସ୍ଥିର ହୋଇଛି। ଯଦି କୌଣସି କୋର୍ଟରେ ମାମଲା ସଂଖ୍ୟା କମ୍‌ ରହିଥିବ, ତେବେ ସେଠାରେ ୨୦ ପ୍ରତିଶତ କାର୍ଯ୍ୟ ଦିବସ ଯୋଡ଼ାଯିବ। ପୁରୁଣା ମାମଲାଗୁଡ଼ିକର ଶୁଣାଣି ହୋଇପାରିଲେ ତଦନୁଯାୟୀ କାର୍ଯ୍ୟଦିବସ ଦିଆଯିବ। ଯଦି ୫ରୁ ୧୦ ବର୍ଷ ପୁରୁଣା ମାମଲାର ଫଇସଲା ହେଲେ ସମ୍ପୃକ୍ତ ମାମଲା ପାଇଁ ଥିବା କାର୍ଯ୍ୟ ଦିବସର ୨୫ ପ୍ରତିଶତ ଏବଂ ୧୦ରୁ ୨୦ ବର୍ଷ ମାମଲାର ଫଇସଲା ପାଇଁ ୫୦ ପ୍ରତିଶତ ଏବଂ ୨୦ ବର୍ଷ ମାମଲାର ଫଇସଲା ପାଇଁ ୭୫ ପ୍ରତିଶତ ଅତିରିକ୍ତ କାର୍ଯ୍ୟ ଦିବସ ପ୍ରଦାନ କରାଯିବ। ଏ ସଂପର୍କିତ ସଂପୂର୍ଣ୍ଣ ବିବରଣୀ ଷ୍ଟେଟ୍‌ କୋର୍ଟ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ (ଏସ୍‌ସିଏମ୍‌ଏସ୍‌)ର ସଦସ୍ୟ ସଚିବ ରାଜେଶ ଦାସଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.

four × two =

error: Content is protected !!
Open chat