ପ୍ରଧାନମନ୍ତ୍ରୀ ପୂରଣ କଲେ ଭାରତ ବର୍ଷର ଉତ୍କଣ୍ଠା : ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ଭୂମି ପୂଜନ ସଂପନ୍ନ

0 386
greentech

ଅଯୋଧ୍ୟା / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୮ : ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ଭୁମି ପୂଜନ କରୁଥିବା ମୁଖ୍ୟ ପୁରୋହିତ କହିଛନ୍ତି ଯେ ଭୂମି ପୂଜନ ପାଇଁ ଏଠାରେ ମୋଟ ୯ଟି ଇଟା ରଖାଯାଇଥିଲା, ଏହି ଇଟା ଗୁଡିକ ୧୯୮୯ରେ ଭଗବାନ ରାମଙ୍କ ଭକ୍ତମାନେ ସମଗ୍ର ଦେଶ ତଥା ବିଶ୍ବରୁ ପଠାଇଥିଲେ। ରାମ ଭକ୍ତମାନେ ପୃଥିବୀର ବିଭିନ୍ନ ସ୍ଥାନରୁ ମୋଟ ୨ଲକ୍ଷ ୭୫ହଜାର ଇଟା ପଠାଇଛନ୍ତି। ସେଥିମଧ୍ୟରୁ ୧୦୦ଟି ଇଟାରେ ଜୟ ଶ୍ରୀ ରାମ ଲେଖାଯାଇଛି।

ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିବା ପରେ ହନୁମାନଙ୍କ ଦର୍ଶନ କରିଥିଲେ। ୧୦ମ ଶତାବ୍ବିର ହନୁମାନ ଗଢ଼ିରେ ପହଞ୍ଚି ଶ୍ରୀହନୁମାନଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ।  ମନ୍ଦିର ପରମ୍ପରା ଅନୁଯାୟୀ ମୋଦିଙ୍କୁ ଉପହାର ସ୍ୱରୂପ ରୂପା ଖଚିତ ମୁକୁଟ୍ ପ୍ରଦାନ କରାଯାଇଛି। ଏହା ପରେ, ଭୂମି ପୂଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ଦର୍ଶନ କରିଥିଲେ। ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଆଶିଷ ଲାଭ କରିଥିଲେ। ଫୁଲ ମାଳ ଅର୍ପଣ କରିବା ସହ ଅଳତି କରିଥିଲେ ମୋଦି। ରାମଲାଲାଙ୍କ ବେଢ଼ା ପରିକ୍ରମା କରି ବେଶ୍ କିଛି ସମୟ ରାମଲାଲଙ୍କ ସ୍ମରଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଆଜି ଭିନ୍ନ ଓ ଭକ୍ତିପୁତ ଅବତାରରେ ଦେଖିବାକୁ ମିଳିଥିଲା।

ରାମଲାଲାଙ୍କ ଦର୍ଶନ ପରେ ଭୁମି ପୂଜନ କାର୍ଯ୍ୟକ୍ରମ ପୂର୍ବରୁ ପିଏମ ମୋଦୀ ପାରିଜାତ ଫୁଲର ଏକ ବୃକ୍ଷ ରୋପଣ କରିଥିଲେ ।

ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସମାରୋହର ଶୁଭ ସମୟ ୩୨ ସେକେଣ୍ଡ ଥିଲା, ଯାହା ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟା ୪୪ ମିନିଟ ୮ ସେକେଣ୍ଡରୁ ଆରମ୍ଭ ହୋଇ ୧୨ ଘଣ୍ଟା ୪୪ ମିନିଟ ୪୦ ସେକେଣ୍ଡ ପାଇଁ ହିଁ ରହିଥିଲା ​​|ଭୂମି ପୂଜନ ଉତ୍ସବରେ ପ୍ରସ୍ତାବିତ ଗର୍ଭଗୃହ ସ୍ଥାନରେ ଅନ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଓ ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ସଭାପତି ନିତ୍ୟ ଗୋପାଳ ଦାସଙ୍କ ସମେତ କେବଳ ପାଞ୍ଚ ଜଣ ହିଁ ପୂଜାସ୍ଥଳୀରେ ଉପସ୍ଥିତ ଥିଲେ। ଏଥି ସହିତ, ୩୬ ଟି ଆଧ୍ୟାତ୍ମିକ ପରମ୍ପରାର ୧୩୫ ସାଧୁଙ୍କୁ ମିଶାଇ ଏହି ମହାନ କାର୍ଯ୍ୟକ୍ରମ ପାଇଁ ୧୭୫ ଜଣ ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ଭୂମି ପୂଜନ ଅନୁଷ୍ଠାନ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯୋଗୀ ଆଦିତ୍ୟନାଥ, ଆର୍‌ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ସଭାମଞ୍ଚରେ ଉପସ୍ଥିତ ଅନ୍ୟମାନଙ୍କ ଗହଣରେ ଯୋଗ ଦେଇଥିଲେ। ରାମ ମନ୍ଦିର ଭୂମି ପୂଜନ ଅବସରରେ ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଭୁ ରାମଙ୍କ ସତ୍ତା ବିଲୋପ ପାଇଁ ବହୁ ଉଦ୍ୟମ ହେବା ସତ୍ତ୍ବେ ସେ ଆମ ହୃଦୟରେ ବିରାଜମାନ କରିଛନ୍ତି। ସେ ଆମ ସଂସ୍କୃତିର ଆଧାର ବୋଲି ଆଜି ରାମ ଜନ୍ମଭୂମି ଭୂମି ପୂଜନ ଅନୁଷ୍ଠାନ ଶେଷ କରିବା ପରେ ବକ୍ତବ୍ୟ ପ୍ରଦାନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

‘ଜୟଶ୍ରୀରାମ’ ଧ୍ବନି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, କେବଳ ପ୍ରଭୁ ରାମଙ୍କ ନଗରୀରେ ନୁହେଁ ସମଗ୍ର ବିଶ୍ବରେ ଏହି ଧ୍ବନି ଗୁଞ୍ଜରିତ ହେଉଛି। ଦୀର୍ଘ ବର୍ଷ ଧରି ଶିବିରରେ ବାସ କରୁଥିବା ଆମ ରାମ ଲାଲାଙ୍କ ପାଇଁ ବିଶାଳ ମନ୍ଦିରଟିଏ ତୋଳାଯିବ। ଆଜିର ଏହି ଦିନ ସେହି ତପ, ତ୍ୟାଗ ଏବଂ ସଙ୍କଳ୍ପର ପ୍ରତୀକ। ଏହି ମନ୍ଦିର ଆମ ଜାତୀୟ ଭାବନାର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜନ ଓ ଶିଳାନ୍ୟାସ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସ୍ୱାଧୀନତା ଆନ୍ଦୋଳନ ସମୟରେ ଆମ ପିଢ଼ିମାନେ ସବୁକିଛି ତ୍ୟାଗ କରିଦେଇଥିଲେ। ଦେଶର ଏପରି କୌଣସି ଭାଗ ନାହିଁ, ଯେଉଁଠି ସ୍ୱାଧୀନତା ପାଇଁ ବଳିଦାନ ଦିଆଯାଇ ନାହିଁ। ଅଗଷ୍ଟ ୧୫ ଏସବୁ ବଳିଦାନର ପ୍ରତୀକ। ଠିକ୍ ସେହିପରି ରାମ ମନ୍ଦିର ପାଇଁ ଶତାବ୍ଦୀ ଶତାବ୍ଦୀ ପର‌୍ୟ୍ୟନ୍ତ ଆମ ପିଢ଼ି ଉଦ୍ୟମ କରିଛନ୍ତି। ଆଜି ତାହା ସମାପ୍ତ ହୋଇଛି। ଏହି ମନ୍ଦିର ଲୋକଙ୍କୁ ସଙ୍କଳ୍ପର ପ୍ରେରଣା ଦେଇଚାଲିବ। ରାମ ମନ୍ଦିର ଯୋଗୁ ଏହି ଅଞ୍ଚଳର ସମ୍ପୂର୍ଣ୍ଣ ଅର୍ଥନୀତି ବଦଳିଯିବ। ଏଠାରେ ସବୁକ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇବ। ସାରା ବିଶ୍ଵରୁ ଲୋକମାନେ ଏଠାକୁ ଆସିବେ। ଏହା ଦ୍ୱାରା ବହୁ ପରିବର୍ତ୍ତନ ହେବ। ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ରାଷ୍ଟ୍ରକୁ ଯୋଡ଼ିବାର ଉପକ୍ରମ ବୋଲି ମୋଦୀ କହିଛନ୍ତି।

ଜୀବଦଶା ମଧ୍ୟରେ ରାମ ମନ୍ଦିର ନିର୍ମାଣ ସ୍ବପ୍ନ ସାକାର ହେବା ଦେଖିପାରି ନ ଥିବା ପୂର୍ବପିଢ଼ିଙ୍କ ସ୍ବପ୍ନ ପୂରଣ କରିଥିବାରୁ ପ୍ରଥମେ ବକ୍ତବ୍ୟ ଆରମ୍ଭ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଲେ ଯେ, ବିବାଦ କିଭଳି ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ମାମ୍ବିଧାନିକ ଭାବେ ସମାଧାନ ହୋଇପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର କ୍ଷମତା ଏବଂ ତାହାର ନ୍ୟାୟପାଳିକା ବିଶ୍ବକୁ ଦେଖାଇ ଦେଇଛି।

ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ କହି‌ଲେ, ସମଗ୍ର ଦେଶରେ ଆଜି ଆନନ୍ଦର ତରଙ୍ଗ। ଯୁଗ ଯୁଗର ଆଶ ପୂର୍ଣ୍ଣ ହେବାର ଆନନ୍ଦ। ସବୁଠାରୁ ଆନନ୍ଦର ବିଷୟ ହେଲା, ଭାରତକୁ ଆତ୍ମନିର୍ଭର କରିବାକୁ ଯେଉଁ ଆତ୍ମବିଶ୍ବାସର ଆବଶ୍ୟକତା ଥିଲା ତାହାର ଶୁଭ-ସାକାର ଅଧିଷ୍ଠାନ ଆଜି ହେଉଅଛି। ସେ ପୁଣି କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ଲାଗି ୨୦/୩୦ ବର୍ଷ ଲାଗିବ ବୋଲି ଆର୍‌ଏସ୍ଏସ୍ ଜାଣିଥିଲା। ଶେଷରେ ତିନି ଦଶନ୍ଧି ପରେ ସ୍ବପ୍ନ ସାକାର ହେଲା। ଆମ ଦେଶ ବସୁଦେବ କୁଟୁମ୍ବକମ୍‌ରେ ବିଶ୍ବାସ କରେ। ଆମ ଦେଶବାସୀଙ୍କର ଏହି ସ୍ବଭାବ ସବୁ ସମସ୍ୟା ସମାଧାନର ଉପାୟ ବତାଇ ଦିଏ ।

ଉଲ୍ଲେଖନୀୟ କଥା ହେଉଛି, ଆଜି ସମଗ୍ର ବିଶ୍ୱର ଆଖି ଭାରତ ଉପରେ ରହିଥିଲା, ଏହି ମହାନ୍ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ସମେତ ସମଗ୍ର ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି | ଏହି ଅବସରରେ ସାରା ଦେଶରେ ଥିବା ରାମ ଭକ୍ତମାନେ ମନ୍ଦିରର ମୂଳଦୁଆ ନେଇ ଉତ୍ସବ ମନାଉଛନ୍ତି । ଦୀର୍ଘ ୨୯ ବର୍ଷ ପରେ ପିଏମ ମୋଦୀ ଅଯୋଧ୍ୟାରେ ପହଞ୍ଚିଛନ୍ତି । କେବଳ ଏତିକି ନୁହେଁ, ରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଥିବା ନରେନ୍ଦ୍ର ମୋଦୀ ମଧ୍ୟ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଗତ ବର୍ଷ ସୁପ୍ରିମକୋର୍ଟ ଐତିହାସିକ ରାୟରେ ବିବାଦୀୟ ସ୍ଥାନକୁ ରାମ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏଠାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ନେଇ ଆରମ୍ଭ ହୋଇଥିଲା ପ୍ରସ୍ତୁତି ।

Leave A Reply

Your email address will not be published.

19 + four =

error: Content is protected !!
Open chat