ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଚିନ୍ତା ବଢାଇ ଦେଇଛି ଜୁଲାଇ। ଗତ ୨୦ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ପ୍ଲାଜ୍ମା ଥେରାପିର ସଫଳ ଚିକିତ୍ସା କିଛିଟା ଆଶ୍ୱାସନା ଦେଇଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଦ୍ୱାରା ଉତ୍ସାହଜନକ ଫଳାଫଳ ମିଳୁଛି । ତେଣୁ ଗୁରୁତର କରୋନା ଆକ୍ରାନଙ୍କ ଚିକିତ୍ସା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ଲାଜ୍ମା ଥେରାପି ସଫଳ ହେବା ପରେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଏହା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
ସୂଚନାଥାଉ କି, କେବଳ ଜୁଲାଇରେ ହିଁ ଆଉ ୧୦ ହଜାର ଆକ୍ରାନ୍ତ ହୋଇପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ଆଶଙ୍କା କରିଛନ୍ତି । ଜୁଲାଇ ମାସରେ ୧୧ ହଜାର ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩ ହଜାର ୪୯୩ରେ ପହଞ୍ଚିଛି। ଅର୍ଥାତ ୩୧ ପ୍ରତିଶତ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ । କେବଳ ସେତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୯୭ ଜଣଙ୍କ ମୃତ୍ୟୁରୁ କେବଳ ଜୁଲାଇ ମାସରେ ହିଁ ଗଲାଣି ୭୨ ଜୀବନ। ମାସ ସରିବାକୁ ଆଗକୁ ଆହୁରି ୧୦ ଦିନ ବାକି ରହିଛି। ତେଣୁ ଏଭଳି ଯଦି ସଂକ୍ରମଣ ଏବଂ ମୃତ୍ୟୁ ହାର ଜାରି ରହେ, ତେବେ ସ୍ଥିତି ସଂଗୀନ ହୋଇପାର ସ୍ଥିତି।