ବଦଳିଲା ନିୟମ: ୨୧ ବର୍ଷ ପୂର୍ବରୁ ଝିଅଙ୍କ ବିବାହ ମନା, ପ୍ରଚଳିତ ୩ ଆଇନରେ ଅଣାଯିବ ସଂଶୋଧନ

0 379
greentech

ନୂଆଦିଲ୍ଲୀ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ୨୧ ବର୍ଷକୁ ବୃଦ୍ଧି ପାଇବ । ବର୍ତ୍ତମାନ ଏହା ୧୮ ବର୍ଷ ରହିଛି । ବୟସସୀମା ବଢ଼ାଇବା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ସୂତ୍ର ମୁତାବକ, ଏ ନେଇ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସରକାର ୩ଟି ପ୍ରଚଳିତ ଆଇନରେ ସଂଶୋଧନ ଆଣିବେ । ଏହି ଆଇନ ମଧ୍ୟରେ ରହିଛି ବାଲ୍ୟ ବିବାହ ନିବାରଣ ଆଇନ ୨୦୦୬, ସ୍ୱତନ୍ତ୍ର ବିବାହ ଆଇନ ୧୯୫୪ ଓ ହିନ୍ଦୁ ବିବାହ ଆଇନ ୧୯୫୫ ।

ପ୍ରଚଳିତ ଆଇନ ଅନୁସାରେ ପୁରୁଷଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଥିବା ବେଳେ ମହିଳାଙ୍କ ପାଇଁ ଏହା ୧୮ ରହିଛି । ଯାହାକି ଲିଙ୍ଗଗତ ବିଭେଦତା ମଧ୍ୟ ସୃଷ୍ଟି କରୁଛି । ତା’ଛଡା ଏତେ ସ୍ୱଳ୍ପ ବୟସରେ ବିବାହ କରିବା ଦ୍ୱାରା ମହିଳାଙ୍କ ଉପରେ ପାରିବାରିକ ଚାପ ବଢୁଛି । ଅଧିକାଂଶ ମହିଳା କୁପୋଷଣର ଶିକାର ହୋଇ ବିଭିନ୍ନ ଦୁରାରୋଗରେ ବି ପଡୁଛନ୍ତି । ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ମଧ୍ୟ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଜୟା ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର ଏକ ଟାସ୍କଫୋର୍ସ ଗଠନ କରିଥିଲେ । ଏହି ଟାସ୍କ ଫୋର୍ସ ନୀତି ଆୟୋଗକୁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ ।ଫଳରେ ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ବଢ଼ାଇବା ଲାଗି ନୀତି ଆୟୋଗ ସୁପାରିସ କରିଥିଲେ ।

ଗତବର୍ଷ ଜୁନ୍‌ରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଟାସ୍କଫୋର୍ସ ଗଠନ କରାଯାଇଥିଲା ଏବଂ ଏହା ସେହିବର୍ଷ ଡିସେମ୍ବରରେ ଟାସ୍କଫୋର୍ସ ନିଜ ରିପୋର୍ଟ ଦାଖଲ କରିଥିଲା । ନୀତି ଆୟୋଗ ସଦସ୍ୟ ଡା. ଭି କେ ପଲ୍‌ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଶିକ୍ଷା ତଥା ସାକ୍ଷରତା ମିଶନ ଏବଂ ଆଇନ ମନ୍ତ୍ରଣାଳୟର ବିଧେୟକ ବିଭାଗ ସଚିବମାନେ ଟାସ୍କଫୋର୍ସର ସଦସ୍ୟ ଥିଲେ ।

ଟାସ୍କଫୋର୍ସର କହିବା କଥା ହେଲା ପ୍ରଥମ ପିଲା ଜନ୍ମ ଦେବା ସମୟରେ ମହିଳାଙ୍କ ବୟସ ଅନ୍ତତଃ ୨୧ ବର୍ଷ ହେବା ନିହାତି ଜରୁରି । କିନ୍ତୁ ପ୍ରଚଳିତ ଆଇନରେ ୧୮ ବର୍ଷରେ ବିବାହ ଅନୁମତି ଥିବାରୁ କିଛି ମହିଳା ୨୧ ବର୍ଷରେ ପଦାର୍ପଣ ପୂର୍ବରୁ ପିଲା ଜନ୍ମ କରି ନିଜ ପାଇଁ ବିପଦ ଡାକିଆଣୁଛନ୍ତି । ବିବାହ ବିଳମ୍ବରେ ହେବା ଦ୍ୱାରା ପରିବାର, ମହିଳା, ପିଲା ଏବଂ ସମାଜର ଆର୍ଥିକ, ସାମାଜିକ ଓ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ । କେବଳ ଏତିକି ନୁହେଁ ସ୍କୁଲ ପାଠ୍ୟକ୍ରମରେ ଯୌନଶିକ୍ଷା, ପଲିଟେକ୍ନିକ ପ୍ରତିଷ୍ଠାନରେ ମହିଳାଙ୍କୁ ତାଲିମ୍‌, ମହିଳାଙ୍କୁ ଜୀବନ ଧାରଣ ପାଇଁ ଦକ୍ଷତା ଓ ବ୍ୟବସାୟିକ ତାଲିମ୍‌ ପ୍ରଦାନ ଏବଂ ଦୂରଦୁରାନ୍ତ ଅଞ୍ଚଳରୁ ପାଠପଢ଼ିବାକୁ ଆସୁଥିବା ଝିଅମାନଙ୍କ ଯାତାୟତ ଲାଗି ପରିବହନ ବ୍ୟବସ୍ଥାକୁ ସହଜ କରିବା ଭଳି କେତେକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଟାସ୍କଫୋର୍ସ ମଧ୍ୟ ସୁପାରିସ କହିଛି । ଟାସ୍କଫୋର୍ସ କହିଛି କି ମହିଳାମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେଲେ ପିତାମାତାମାନେ କମ୍‌ ବୟସରେ ତାଙ୍କୁ ବିବାହ କରାଇବା ପୂର୍ବରୁ ଦୁଇଥର ଚିନ୍ତା କରିବେ ।

ବହୁବର୍ଷ ପୂର୍ବରୁ ଆସିଥିବା ଶାରଦା ଆଇନ ୧୯୨୯ରେ ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ୧୪ ଏବଂ ପୁରୁଷଙ୍କର ୧୮ ବର୍ଷ ରହିଥିଲା । ଦେଶ ସ୍ୱାଧୀନତା ଲାଭ କରିବାର ଦୁଇବର୍ଷ ପରେ ୧୯୪୯ରେ ଏହି ଆଇନରେ ପରିବର୍ତ୍ତନ କରାଯାଇ ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ୧୫ କରାଯାଇଥିଲା । ତେବେ ୧୯୭୮ରେ ଉକ୍ତ ଆଇନରେ ପୁଣିଥରେ ପରିବର୍ତ୍ତନ କରାଯାଇ ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ୧୮ ଓ ପୁରୁଷଙ୍କର ୨୧ ବର୍ଷକୁ ବୃଦ୍ଧି ହୋଇଥିଲା । ଦୀର୍ଘ ୪୩ ବର୍ଷ ପରେ ପୁଣିଥରେ ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ବଦଳିବାକୁ ଯାଉଛି । ଏହି ପଦକ୍ଷେପକୁ ସ୍ୱାଗତ ଜଣାଇ ରାଜ୍ୟସଭା ସାଂସଦ ଜୟା ବଚ୍ଚନ କହିଛନ୍ତି, ଏହା ଏକ ଭଲ ନିଷ୍ପତ୍ତି । ଏହାଦ୍ୱାରା ଝିଅମାନେ ଅଧିକ ପାଠ ପଢ଼ିବା ପାଇଁ ସୁଯୋଗ ପାଇବେ । ସେମାନେ ନିଜ କ୍ୟାରିୟର ଗଢ଼ିବା ସହିତ ସ୍ୱାଧୀନତାକୁ ଆହୁରି ଭଲ ଭାବେ ଉପଭୋଗ କରିପାରିବେ।

Leave A Reply

Your email address will not be published.

nine + seventeen =

error: Content is protected !!
Open chat