ମହାପ୍ରୟାଣରେ ସତ୍‌ସଙ୍ଗର ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦା

0 413
greentech

ଦୁର୍ଗାପୁର/ଭୁବନେଶ୍ୱର ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୋଟି ହୃଦୟର ଆରାଧ୍ୟ ‘ସତ୍‌ସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି। ୧୬ ତାରିଖ ଗୁରୁବାର ସକାଳ ୯.୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ ୮୯ ବର୍ଷ ବୟସରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି। ‘ସତ୍‌ସଙ୍ଗ’ପକ୍ଷରୁ ଏକ ଭିଡିଓ ବାର୍ତ୍ତା ଜରିଆରେ ଶ୍ରୀଶ୍ରୀଦାଦାଙ୍କର ବିୟୋଗ ସଂକ୍ରାନ୍ତରେ ସୂଚନା ଦିଆଯାଇଛି।

ଗତ କିଛି ମାସ ଧରି ସେ ଅସୁସ୍ଥତା ହେତୁ ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ବୈଦିକ ରୀତିରେ ଆଜି ତାଙ୍କର ଶେଷକୃତ୍ୟ ସୂର୍ଯ୍ୟାସ୍ତ ପୂର୍ବରୁ ଦକ୍ଷିଣ ଦୁର୍ଗାପୁର ସତ୍‌ସଙ୍ଗ ବିହାର ପରିସରରେ ସଂପନ୍ନ ହୋଇଛି। ‘ସତ୍‌ସଙ୍ଗ’ର ପ୍ରଶାସକ ତଥା ଆଚାର୍ଯ୍ୟଦେବଙ୍କ ଜ୍ୟେଷ୍ଠପୁତ୍ର ଅର୍କଦ୍ୟୁତି ଚକ୍ରବର୍ତ୍ତୀ (ପୂଜ୍ୟପାଦ ବାବାଇଦା) ମୁଖାଗ୍ନି ଦେଇଥିବା ବେଳେ ଦୁଇ ପୁତ୍ର ଅନିରୁଦ୍ଧ ଚକ୍ରବର୍ତ୍ତୀ (ପୂଜନୀୟ ସିପାଇଦା), ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜନୀୟ ବିଙ୍କିଦା) ଏବଂ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଶ୍ରୀଶ୍ରୀଦାଦାଙ୍କର ପାରଲୌକିକ କର୍ମାଦି ଝାଡ଼ଖଣ୍ଡର ଦେଓଘର ସତ୍‌ସଙ୍ଗ ଆଶ୍ରମରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।

ଗୁରୁବାର ସକାଳେ ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ଖବର ପ୍ରଚାରିତ ହେବା ପରେ ଦେଶ ଓ ଦେଶ ବାହାରେ ଥିବା କୋଟିକୋଟି ସତ୍‌ସଙ୍ଗୀ ଓ ସତ୍‌ସଙ୍ଗ-ଅନୁରାଗୀ ଶୋକାଭିଭୂତ ହୋଇପଡ଼ିଥିଲେ। ଦୁର୍ଗାପୁରରେ ଶ୍ରୀଶ୍ରୀଦାଦାଙ୍କର ଶେଷକୃତ୍ୟ ସଂପନ୍ନ ହେଉଥିବା ଖବର ମିଳିବା ପରେ ସେଠାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତ-ଅନୁରାଗୀଙ୍କ ସୁଅ ଛୁଟିଥିଲା। ‘ସତ୍‌ସଙ୍ଗ’ ପକ୍ଷରୁ ଏକ ଭିଡିଓ ବାର୍ତ୍ତାରେ ବର୍ତ୍ତମାନର ପରିସ୍ଥିତିକୁ ଧୈର୍ଯ୍ୟର ସହ ମୁକାବିଲା କରିବା ସହ ଯିଏ ଯେଉଁଠାରେ ଅଛନ୍ତି ସେଠାରେ ରହି ଶୋକପାଳନ କରିବାକୁ ନିବେଦନ କରାଯାଇଥିଲା। ‘ସତ୍‌ସଙ୍ଗ’ର ଉପ-ପ୍ରଶାସକ ପୂଜନୀୟ ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ କହିଛନ୍ତି, ‘‘ଆଚାର୍ଯ୍ୟଦେବଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ଲାଗି ଦୁର୍ଗାପୁର ଅଣାଯାଇଥିଲା। ସମସ୍ତଙ୍କର ପ୍ରଚେଷ୍ଟା ଓ ବ୍ୟାକୁଳ ପ୍ରାର୍ଥନା ସତ୍ତ୍ବେ ସ୍ବଧାମକୁ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି।’’

ଶ୍ରୀଶ୍ରୀଦାଦାଙ୍କ ବିୟୋଗରେ ଭାରତ ଓ ବହିର୍ଭାରତରେ ଥିବା କୋଟିକୋଟି ସତ୍‌ସଙ୍ଗୀ ଅଭିଭାବକହୀନ ହୋଇପଡ଼ିବା ସହ ଦେଶର ଆଧ୍ୟାତ୍ମିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବାର୍ତ୍ତାରେ କହିଛନ୍ତି ଯେ, ସମାଜ ପ୍ରତି ନିଜର ନିସ୍ବାର୍ଥପର ସେବା ଲାଗି ଆଚାର୍ଯ୍ୟଦେବ ମନେ ରହିବେ। ଶିକ୍ଷା, ସ୍ବାସ୍ଥ୍ୟସେବା ,ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଭିନ୍ନ ରାଜ୍ୟର ବହୁ ମନ୍ତ୍ରୀ ଓ ବିଧାୟକ ଟୁଇଟ୍ କରି ଶୋକପ୍ରକାଶ କରିବା ସହ ସମାଜ ପ୍ରତି ଶ୍ରୀଶ୍ରୀଦାଦାଙ୍କର ଥିବା ଅବଦାନକୁ ସ୍ମରଣ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୋକପ୍ରକାଶ କରିବା ସହ ସତ୍‌ସଙ୍ଗ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ବିଧାୟକ ଦେବୀପ୍ରସାଦ ମିଶ୍ର ଆଚାର୍ଯ୍ୟଦେବଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପୌତ୍ର ଶ୍ରୀଶ୍ରୀଦାଦା (ଅଶୋକ ଚକ୍ରବର୍ତ୍ତୀ) ଶ୍ରୀଶ୍ରୀଠାକୁରଙ୍କର ଭାବାଦର୍ଶ ଓ ‘ସତ୍‌ସଙ୍ଗ’ ଆନ୍ଦୋଳନର ବିସ୍ତାରରେ ନିଜକୁ ଆବାଲ୍ୟ ବ୍ରତୀ କରିଥିଲେ। ୧୯୩୩ ମସିହା ଅକ୍ଟୋବର ୨୧ ତାରିଖରେ ସେ ଅଧୁନା ବାଂଲାଦେଶର ହିମାୟିତପୁରଠାରେ ଜନ୍ମଗ୍ରହଣ କରିଥିଲେ। ଏହାପରେ ତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ଶ୍ରୀଶ୍ରୀଠାକୁରଙ୍କ ସହ ଦେଓଘର ଆସିଥିଲେ। ସେଠାରେ ସ୍କୁଲ ଓ କଲେଜ ଶିକ୍ଷା ପରେ କୋଲକାତାରେ ଡାକ୍ତରୀ ଅଧ୍ୟୟନ କରିଥିଲେ। ବିଭିନ୍ନ ସମସ୍ୟାରେ କବଳିତ ହୋଇ ତାଙ୍କର ଡାକ୍ତରୀ ଶିକ୍ଷାରେ ଡୋରି ବନ୍ଧା ହୋଇଥିଲା। ଏହାପରେ ସେ କଲିକତା ବିଶ୍ବବିଦ୍ୟାଳୟରେ ପଢ଼ି ଏମ୍‌ଏ ଏବଂ ପରେ ଏଲ୍‌ଏଲ୍‌ବି ଡିଗ୍ରି ହାସଲ କରିଥିଲେ। ଆଇନଛାତ୍ର ଭାବେ କୋଲକତାରେ ଓକିଲାତି ଆରମ୍ଭ କରିଥିଲେ। ମାତ୍ର ଏସବୁ ପ୍ରତି ତାଙ୍କର ମନ ବଳି ନ ଥିଲା। ସେ ସଂପୂର୍ଣ୍ଣଭାବେ ଇଷ୍ଟସେବାରେ ନିଜକୁ ସମର୍ପିତ କରି ଶ୍ରୀଶ୍ରୀଠାକୁରଙ୍କ ଭାବଧାରା ପ୍ରଚାରପ୍ରସାରରେ ବ୍ରତୀ ହୋଇଥିଲେ। ‘ସତ୍‌ସଙ୍ଗ’ର କାର୍ଯ୍ୟଧାରାରେ ସକ୍ରିୟ ହେବା ପରେ ତାଙ୍କର ପ୍ରୟାସରେ ଆସାମର ରାଜଧାନୀ ଗୌହ୍ବାଟୀରେ ସତ୍‌ସଙ୍ଗ ଶ୍ରୀମନ୍ଦିର ନିର୍ମାଣ ହୋଇଥିଲା। ଏହାପରେ ସେ ଭକ୍ତ-ଅନୁରାଗୀଙ୍କୁ ଦିଗ୍‌ଦର୍ଶନ ଦେଇ ବିଭିନ୍ନ ସ୍ଥାନରେ ସତ୍‌ସଙ୍ଗ କେନ୍ଦ୍ର, ବିହାର ଓ ମନ୍ଦିର ପ୍ରତିଷ୍ଠା କରାଇଥିଲେ। ଭୁବନେଶ୍ବରରେ ଶୋଭା ପାଉଥିବା ସତ୍‌ସଙ୍ଗର ବିଶାଳ ଶ୍ରୀମନ୍ଦିର ତାଙ୍କର ପରିକଳ୍ପନା, ଦିଗ୍‌ଦର୍ଶନ ଓ ସକ୍ରିୟ ଯୋଗଦାନ ଦ୍ବାରା ଗଢ଼ିଉଠିଛି। ଓଡ଼ିଶା ସହ ଆଚାର୍ଯ୍ୟଦେବଙ୍କର ଥିଲା ଅନ୍ତରଙ୍ଗ ସଂପର୍କ। ତାଙ୍କର ଜୀବନକାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ବହୁବାର ଓଡ଼ିଶା ଆସିଛନ୍ତି ଓ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଗସ୍ତକରି ସତ୍‌ସଙ୍ଗର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ତାଙ୍କର ନିର୍ଦ୍ଦେଶ ଓ ଆଶୀର୍ବାଦରେ ଏବେ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସତ୍‌ସଙ୍ଗ ବିହାର ଓ ମନ୍ଦିର ଗଢ଼ିଉଠିଛି ଏବଂ ସମାଜରେ ଭ୍ରାତୃତ୍ବ, ସହନଶୀଳତା ଓ ସମ୍ପ୍ରଦାୟ-ନିରପେକ୍ଷତାର ବାର୍ତ୍ତା ଦେଇଚାଲିଛି।

ଶ୍ରୀଶ୍ରୀଦାଦା ୧୯୯୪ ମସିହାରେ ‘ସତ୍‌ସଙ୍ଗ’ର ଆଚାର୍ଯ୍ୟଦେବ ଭାବେ ଅଭିଷିକ୍ତ ହେବାପରେ ତାଙ୍କର ଅଭିଭାବକତ୍ବ ଓ ନେତୃତ୍ବରେ କାୟାବିସ୍ତାର କରିଥିଲା ସତ୍‌ସଙ୍ଗ। ପ୍ରତିଟି ମଣିଷକୁ ସୁଖ-ଶାନ୍ତି-ଆନନ୍ଦରେ ବଞ୍ଚିବାର ସୂତ୍ର ଧରାଇବା ଲାଗି ତା’ର ଦ୍ବାରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ ସେ। ତାଙ୍କର ଐଶୀ ପ୍ରେରଣା ଓ ଆଶୀର୍ବାଦକୁ ପାଥେୟ କରି ‘ସତ୍‌ସଙ୍ଗ’ର ପ୍ରତିଟି କର୍ମୀ ସକ୍ରିୟ ହୋଇ ଉଠିଥିଲେ ଏବଂ ନିଜ ସାମର୍ଥ୍ୟର ବାହାରକୁ ଯାଇ ଜାତି-ବର୍ଣ୍ଣ-ସଂପ୍ରଦାୟ-ନିର୍ବିଶେଷରେ କୋଟିକୋଟି ଆଗ୍ରହୀ ମଣିଷଙ୍କୁ ସତ୍‌ନାମରେ ଅଭିମନ୍ତ୍ରିତ କରିଥିଲେ। ଫଳରେ ବର୍ତ୍ତମାନ ଭାରତର ପ୍ରତି ରାଜ୍ୟ ଓ ବିଶ୍ବର ଅନେକ ରାଷ୍ଟ୍ରରେ ଶ୍ରୀଶ୍ରୀଠାକୁରଙ୍କ ଅନୁଗାମୀ ରହିଥିବା ବେଳେ ‘ସତ୍‌ସଙ୍ଗ’ କେନ୍ଦ୍ର, ମନ୍ଦିର ଓ ବିହାର ଗଢ଼ିଉଠିଛି। ସମାଜର ସବୁବର୍ଗର ମଣିଷ ଶ୍ରୀଶ୍ରୀଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଚାର୍ଯ୍ୟଦେବଙ୍କ ମାର୍ଗଦର୍ଶନ ମାଧ୍ୟମରେ ସର୍ବସମସ୍ୟାର ସମାଧାନ ପାଇପାରୁଥିଲେ।

ଦୀକ୍ଷିତ-ଅଦୀକ୍ଷିତ-ନିର୍ବିଶେଷରେ ପ୍ରତିଟି ମଣିଷର ଦୁଃଖ-ବେଦନା, ସମସ୍ୟା-ସଂକଟ, ଦ୍ବନ୍ଦ୍ବ-ଅନୁଶୋଚନା ଦୂର କରିବା ଲାଗି ସେ ସଦା ଜାଗ୍ରତ ଥିଲେ। ପ୍ରତ୍ୟହ ତାଙ୍କ ନିକଟକୁ ଦେଶବିଦେଶର କୋଣ-ଅନୁକୋଣରୁ ଛୁଟି ଆସୁଥିଲେ ହଜାରହଜାର ସମସ୍ୟାଜର୍ଜରିତ ମଣିଷ। ଅତି ଆପଣାର ମଣିଷ ଭାବି କହିପକାଉଥିଲେ ବୁକୁତଳର ବ୍ୟଥା। ଆଉ ସେ ସକଳ ଦୁର୍ଦ୍ଦଶାକୁ ଟାଣିନେଇ ସ୍ବସ୍ତି ଓ ଆଶ୍ବସ୍ତିର ପଥ ଦେଖାଇ ଦେଉଥିଲେ। କିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ତ ଆଉ କିଏ ଆର୍ଥିକ ଅନଟନର ଶିକାର, ପୁଣି କିଏ ପାରିବାରିକ ସମସ୍ୟା-କବଳିତ ହୋଇ ଅଶାନ୍ତିରେ ଆଉଟୁପାଉଟୁ, ଏମିତି କେତେ ଜଟିଳ ସମସ୍ୟାର ସରଳ ସମାଧାନ ଦେଇ ମଣିଷକୁ ସୁଖ-ଶାନ୍ତି-ଆନନ୍ଦରେ ବଞ୍ଚିବାର ରାହା ଦେଖାଉଥିଲେ ସେ। ତାଙ୍କର ନିର୍ଦ୍ଦେଶ ପରିପାଳନ କରି କେତେ ଯେ ମଣିଷ ମୃତ୍ୟୁମୁଖରୁ ଫେରି ଆସିଛନ୍ତି ଓ ତାଙ୍କ ପ୍ରଦତ୍ତ ଚିକିତ୍ସାମାର୍ଗର ଅନୁସରଣ କରି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ ହୋଇଛନ୍ତି ତା’ର କଳନା ନାହିଁ।

ଜଣେ ସିଦ୍ଧ ସାଧକ ଓ ତ୍ରିକାଳଜ୍ଞ ପୁରୁଷ ହେବା ସହ ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦା ଥିଲେ ଜଣେ କବି ଓ ସଂଗୀତଜ୍ଞ। ସେ ଶ୍ରୀଶ୍ରୀଠାକୁରଙ୍କ ଉଦ୍ଦେଶ୍ୟରେ ଶହଶହ ଭକ୍ତିକବିତା ରଚନା କରିଯାଇଛନ୍ତି। ଏହି ସବୁ ସାହିତ୍ୟକୃତି ଗ୍ରନ୍ଥ-ଆକାରରେ ପ୍ରକାଶ ପାଇଛି। ଏମଧ୍ୟରୁ ଅନେକ ଭକ୍ତିଗୀତିକୁ ସେ ସ୍ବରାରୋପିତ କରିଛନ୍ତି, ଯାହା ଲବ୍ଧପ୍ରତିଷ୍ଠ କଣ୍ଠଶିଳ୍ପୀଙ୍କ କଣ୍ଠରେ ଉଦ୍‌ଗୀତ ହୋଇଛି। ଏଥିସହ ସାଧାରଣ ମଣିଷକୁ ରୋଗବ୍ୟାଧିରୁ ମୁକ୍ତ କରିବା ଲାଗି ସେ ବିଭିନ୍ନ ଚେରମୂଳି ଓ ବୃକ୍ଷଲତା ଉପରେ ଗବେଷଣା କରି ବହୁ ଦୁରାରୋଗ୍ୟ ବ୍ୟାଧିର ଉପଶମ ଲାଗି ଉପଚାର ମଧ୍ୟ ଦେଇଯାଇଛନ୍ତି।

Leave A Reply

Your email address will not be published.

seventeen − 3 =

error: Content is protected !!
Open chat