ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: କଟକ କେନ୍ଦ୍ରସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ଅଧିନସ୍ଥ ବଳଦେବଜୀଉ ସେବା ସମବାୟ ସମିତିରେ ଦୁର୍ନିତି ନେଇ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ଚାଷୀଙ୍କ ଅଭିଯୋଗ ମୁତାବକ ଗତ ୨୦୦୭ – ୦୮ ମସିହାରେ ସରକାର କୃଷିଋଣ ଛାଡ କରିଥିଲେ । ଏହି ସମୟରେ ଉକ୍ତ ସେବାସମବାୟ ସମିିତିରେ କଳାତାଲିକାଭୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କର ଋଣଛାଡ କରାଯାଇଥିବା ବେଳେ ପ୍ରକୃତ ଗରିବ ଚାଷୀ ଏଥିରୁ ବଂଚିତ ହୋଇଥିଲେ । ଏଥିସହ ଋଣ ଛାଡ ଓ ଋଣ ପ୍ରଦାନରେ ବ୍ୟାପକ ଚଂଚକତା ଓ ଜାଲିୟାତି କରାଯାଇଛି । ସେହିପରି ସମିତିର ପୂର୍ବତନ ସଂପାଦକଙ୍କ ସଂପର୍କୀୟଙ୍କ ନାମରେ ୭୦୦ କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି କରାଯାଇଅଛି ବୋଲି ଅଭିଯୋଗରେ ଦର୍ଶାଯିବା ସହିତ ଜଣେ ବ୍ୟକ୍ତିଙ୍କ ନାମରେ କିପରି ଏତେ ପରିମାଣର ଧାନ ବିକ୍ରି କରାଗଲା ବୋଲି ପ୍ରଶ୍ନ କରାଯାଇଅଛି । ଏହାଛଡା ସେବାସମବାୟ ସମିତିର ନିଜସ୍ୱ ଜମି ରହିଥିଲେ ମଧ୍ୟ ଗୃହ ନିର୍ମାଣ କରାନଯାଇ ଜଣେ ପୂର୍ବତନ ସଂପାଦକଙ୍କ ଘରକୁ ଭଡା ସୂତ୍ରରେ ନିଆଯିବା, ପ୍ରତିବର୍ଷ ପୂର୍ବତନ ସଂପାଦକଙ୍କ ଜମିରେ ଧାନ ମଣ୍ଡି ଖୋଲାଯାଇ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯିବା ସହିତ ସମିତିରେ ବୟସାଧିକ ହୋଇଥିବା ବ୍ୟକ୍ତିଙ୍କୁ କମ୍ପ୍ୟୁଟର ଅପରେଟର ଭାବେ ନିଯୁକ୍ତି କରାଯାଇଛି ବୋଲି ଚାଷୀ ଓ ଅଂଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସୂଚନା ଅଧିକାର କମିଶନର, ସମବାୟ ମନ୍ତ୍ରୀ, କଟକ ଜିଲ୍ଲାପାଳ, ରାଜ୍ୟ ସମବାୟ ନିବନ୍ଧକ ଓ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗର ତଦନ୍ତ କରିବାକୁ ଚାଷୀମାନେ ଦୃଢ ଦାବି କରିଛନ୍ତି ।