ବେହାଲ ଚାନ୍ଦବାଲି : ୨ ଦିନର ଲଗାଣ ବର୍ଷାରେ ଘରେ ପଶିଲା ନର୍ଦ୍ଦମା ପାଣି – ଉଜୁଡା ଡ୍ରେନେଜ ଓ ପରିମଳ ବ୍ୟବସ୍ଥା ଯୋଗୁଁ ଲୋକେ ହନ୍ତସନ୍ତ ଏବଂ ଜଳବନ୍ଦୀ ଜୀବନ ବିତାଉଛନ୍ତି

0 306
greentech

ଚାନ୍ଦବାଲି/ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ଓଡିଶା ତଥା ଭଦ୍ରକ ଜିଲ୍ଲାର ପୁରାତନ ବନ୍ଦର ନଗରୀ ଚାନ୍ଦବାଲିରେ ଗତ ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସହରର ହାଲବେହାଲ ହୋଇଯାଇଛି । ମୁୁୁଖ୍ୟତଃ ସହରର ବହୁ ପୁରାତନ ଡ୍ରେନେଜ ସମସ୍ୟାର ସମାଧାନ ହୋଇପାରି ନ ଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଅଧିକାଂଶ ସ୍ଥାନରେ ବର୍ଷା ପାଣି ଜମି ରହୁଛି । ଏପରିକି ବର୍ଷାପାଣି ଲୋକମାନଙ୍କ ଘର ଭିତରେ ଲହଡି ମାରୁଥିବାର ଦେଖିବାକୁ ମିଳିଛି ।

ବିଶେଷ କରି ଚାନ୍ଦବାଲି ଏନ. ଏ. ସି.ର ବିଭିନ୍ନ ୱାର୍ଡର ଡ୍ରେନ ସବୁ ଦୀର୍ଘ ଦିନରୁ ସଫା ହୋଇନଥିବାରୁ ବର୍ଷା ପାଣି ନିଷ୍କାସନ ନହୋଇପାରି ଡ୍ରେନେଜ ପାଣି ସହ ବର୍ଷା ପାଣି ରାସ୍ତାରେ ଜମି ରହିଛି ଏବଂ ଲୋକମାନଙ୍କ ଘର ଭିତରେ ପଶି ଯାଉଛି । ଚାନ୍ଦବାଲି ଏନ. ଏ. ସି ଅନ୍ତର୍ଗତ କାଳୀନଗର, ସତ୍ୟନାରାୟଣ କଲୋନୀ, ପାର୍କ ଗଳି, ଉର୍ଦୁ ସ୍କୁଲ ରୋଡ, ବରେହିଁପୁର ଆଦି ସ୍ଥାନମାନଙ୍କରେ ବର୍ଷା ପାଣି ନିଷ୍କାସନ ହୋଇନପାରି ଜମି ରହିଛି ।

ଏପରିକି ଅତ୍ୟଧିକ ବା ଲଗାଣ ବର୍ଷା ହେଲେ ବର୍ଷା ପାଣି ଓ ନର୍ଦ୍ଦମା ମିଶି ରାସ୍ତା ତଥା ଘର ଭିତରେ ଲହଡି ମାରୁଥିବାର ଦେଖା ଯାଉଛି। ତେବେ ବର୍ଷା ଦିନ ପୂର୍ବରୁ ଡ୍ରେନ ସବୁ ସଫା କରିବାକୁ ଅଞ୍ଚଳ ବାସୀ ଏ. ଏନ. ସି ଅଧିକାରୀଙ୍କୁ ବାରମ୍ବାର ଜଣାଇ ଅନୁରୋଧ କରିଥିଲେ ମଧ୍ୟ ଡ୍ରେନ ସଫା ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଫଳରେ ବର୍ତ୍ତମାନ ବର୍ଷାରେ ପାଣି ନିଷ୍କାସନ ହୋଇନପାରି ଲୋକଙ୍କ ଘରେ ପଶିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି । ରାସ୍ତାରେ ବର୍ଷା ପାଣି ଜମି ରହୁଥିବାରୁ ଲୋକ ଯା’ଆସ କରିବାରେ ନା ନା ହଇରାଣ ହେଉଥିବାର ଦେଖା ଯାଉଛି ଏବଂ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଆଗକୁ ଆହୁରି ବର୍ଷା ହେବା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ତେଣୁ ନାଳ ଓ ଡ୍ରେନେଜ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି ।

Leave A Reply

Your email address will not be published.

20 + 2 =

error: Content is protected !!
Open chat