ଭଦ୍ରକ/ଆରଡ଼ି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯ : ଗତ ଲଘୁଚାପରେ ସ୍ଥାନୀୟ ଅଞ୍ଚଳ ଏବଂ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ, ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ଭଦ୍ରକ ଜିଲ୍ଲାର ଜଳଦେଶ ଭାବେ ପରିଚିତ, ଚାନ୍ଦବାଲି ବ୍ଲକ, ଆରଡ଼ି ଅଞ୍ଚଳର ୧୪ଟି ପଞ୍ଚାୟତରେ ପାଖାପାଖି ୭୦ ଗୋଟି ଗାଁକୁ ଜଳବନ୍ଦୀ କରିଛି । ବୈତରଣୀ ନଦୀର ବନ୍ୟା, ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଆରଡ଼ି ପଞ୍ଚାୟତର ମୁଆଁ, ସନ୍ତରା, ଶୀତଳପୁର, ସିଂଗିପୁର ଆଦି ଗାଁ ମାନଙ୍କରେ ଘର ଭିତରେ ବନ୍ୟା ଜଳ ପଶିଥିବା ବେଳେ ଏହି ସବୁ ଗାଁ ମାନଙ୍କରେ ବସବାସ କରୁଥିବା ହଜାର ହଜାର ଅଞ୍ଚଳବାସୀ ଜଳବନ୍ଦୀ ଜୀବନ ବିତାଉଛନ୍ତି ।
ଏଭଳି ସମୟରେ ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଢ଼ୀ ଏକ ଵୋଟ ଯୋଗେ ପଞ୍ଚାୟତର ବିଭିନ୍ନ ଗାଁ କୁ ଗାଁ ଯାଇ ବନ୍ୟା ବିପନ୍ନଙ୍କୁ ଭେଟିବା ସହ ଚୁଡା, ବିସ୍କୁଟ, ଅଟା ଭଳି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏହା ସହ ସ୍ଥାନୀୟ ପଞ୍ଚାୟତ ଅଞ୍ଚଳରେ ବହୁ କଚ୍ଚା ଘର ଭାଙ୍ଗିଯିବା ସହ ଲୋକମାନେ ଏବେ ବି ଜଳବନ୍ଦୀ ଅବସ୍ଥାରେ ଜୀବନ ବିତାଉଛନ୍ତି । ସ୍ଥାନୀୟ ପଞ୍ଚାୟତବାସୀ ଅକଥନୀୟ ପରିସ୍ଥିତିରେ ଥିବାରୁ ପ୍ରଶାସନ ତୁରନ୍ତ ରିଲିଫ ପ୍ରଦାନ କରିବାକୁ ସରପଞ୍ଚ ଅରବିନ୍ଦ ପାଢ଼ୀ ଦାବି କରିଛନ୍ତି ।