କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭ : ରାଜଧାନୀରେ କରୋନା ମୁକାବିଲା ପାଇଁ ବିଏମ୍ସିରେ ଖୋଲିଛି କଣ୍ଟ୍ରୋଲ ରୁମ୍। କେଉଁ ଅଞ୍ଚଳ ସିଲ୍ ହେବ, ରାଜଧାନୀରେ କ’ଣ କ’ଣ ପଦକ୍ଷେପ ନିଆଯିବ ସେ ନିଷ୍ପତ୍ତି ବିଏମ୍ସି ନେଉଛି। କରୋନା ହୁ ହୁ ହୋଇ ବଢ଼ୁଥିବାବେଳେ ଏବେ ବିଏମ୍ସି ଅଫିସରୁ କରୋନା ଆକ୍ରାନ୍ତ ବାହାରିଛନ୍ତି। ବିଏମ୍ସିର ଜଣେ ନିର୍ବାହୀ ଯନ୍ତ୍ରୀ, ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ ଡ୍ରାଇଭରଙ୍କର କରୋନା ପଜିଟିଭ୍ ବାହାରିଛି। ହଠାତ୍ ବିଏମ୍ସିର ତିନି ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି।
ବିଏମ୍ସିର ଇଞ୍ଜିନିୟରିଂ ବିଭାଗର ତିନି ଜଣ କରୋନା ଆକ୍ରାନ୍ତ ହେବା ପରେ ଇଞ୍ଜିନିୟରିଂ ବିଭାଗକୁ ସିଲ୍ କରିଦିଆଯାଇଛି। ଆଜି ସକାଳେ ଏହି ତିନି ଜଣଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଇଞ୍ଜିନିୟରିଂ ବିଭାଗକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ତିନି ମହଲା ବିଶିଷ୍ଟ ଏହି କୋଠାକୁ ବିଶୋଧନ କରାଯାଇଥିବା ବେଳେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ୧୪ଦିନ ଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ବିଏମ୍ସି ପକ୍ଷରୁ ପ୍ରତି ଜୋନ୍ର ଜୋନାଲ୍ ଡେପୁଟି କମିସନରମାନଙ୍କୁ ଇଞ୍ଜିନିୟରିଂ ବିଭାଗର କର୍ମଚାରୀଙ୍କ ନାମ ଓ ଠିକଣା ଦିଆଯାଇଛି। ରବିବାର ସମସ୍ତଙ୍କ ଘରେ ସଙ୍ଗରୋଧ ଷ୍ଟିକର ଲାଗିବ। ଏହାପରେ ସମସ୍ତଙ୍କର କରୋନା ପରୀକ୍ଷା ହେବ। ରିପୋର୍ଟ ନେଗେଟିଭ୍ ବାହାରିଲେ କର୍ମଚାରୀଙ୍କୁ ଅଫିସ ଆସିବାକୁ ଅନୁମତି ମିଳିବ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଏମ୍ସିର ନିର୍ବାହୀ ଯନ୍ତ୍ର ଜଣକ ବିଏମ୍ସିରେ କରୋନା ମୁକାବିଲା ଦାୟିତ୍ବରେ ଥିଲେ। କିଛି ଦିନ ତଳେ ସେ ତାଙ୍କର ଏକ ପାରିବାରିକ କାର୍ଯ୍ୟକ୍ରମରେ ସମ୍ବଲପୁର ଯାଇଥିଲେ। ତାଙ୍କ ସହ କନିଷ୍ଠ ଯନ୍ତ୍ରୀ ବି ଯାଇଥିଲେ। ସେଠାରୁ ଫେରିବା ପରେ ନିର୍ବାହୀ ଯନ୍ତ୍ରୀଙ୍କୁ ଭୀଷଣ ଜ୍ବର ହୋଇଥିଲା। ଏହାପରେ ସେ ଅଫିସ ଆସୁନଥିଲେ। କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। ଏଥିରୁ ପଜିଟିଭ୍ ବାହାରିଥିଲା। ସେହିପରି କନିଷ୍ଠ ଯନ୍ତ୍ରୀ ଏବଂ ଡ୍ରାଇଭରଙ୍କ ନିକଟରେ କିଛି ଲକ୍ଷଣ ଦେଖାଯିବାରୁ ତାଙ୍କର ବି ସ୍ବାବ୍ ସଂଗ୍ରହ ହୋଇଥିଲା। ଆଜି ସକାଳେ ତିନି ଆକ୍ରାନ୍ତଙ୍କୁ ଲୟୋଲା ସ୍କୁଲ ନିକଟସ୍ଥ କୋଭିଡ୍ କେୟାର ସେଣ୍ଟରକୁ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନିର୍ବାହୀ ଯନ୍ତ୍ରୀ ଜୁନ୍ ୩୦ତାରିଖରେ ବିଏମ୍ସି ଅଫିସ ଆସିଥିଲେ। ଏହାପରେ ଅସୁସ୍ଥତା ଯୋଗୁଁ ଅଫିସ ଆସିନଥିଲେ।
ଅପରପକ୍ଷେ ବିଏମ୍ସିର ଇଞ୍ଜିନିୟରିଂ ବିଭାଗ ଏବେ କରୋନା ମୁକାବିଲାରେ ଆଗଧାଡ଼ିରେ ରହି କାର୍ଯ୍ୟ କରୁଥିବାବେଳେ ସମସ୍ତେ ସଙ୍ଗରୋଧରେ ରହିଲେ ବିଏମ୍ସିର ବିଭିନ୍ନ କାର୍ଯ୍ୟ କିପରି ହେବ ସେ ଚିନ୍ତା ଘାରିଛି। କାରଣ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନେ ପୂର୍ବରୁ ରେଳ ଷ୍ଟେସନ, ବିମାନବନ୍ଦରରେ ଆସୁଥିବା ଲୋକଙ୍କର ନାମ ପଞ୍ଜୀକରଣ ଠାରୁ ଆରମ୍ଭ କରି ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗାଇବା, କୋଭିଡ୍ ଭିତ୍ତିଭୂମି ପ୍ରସ୍ତୁତ କରିବା ଭଳି କାମ କରୁଥିଲେ।
ଏହାବାଦ୍ ଚଳିତବର୍ଷ ରାଜଧାନୀରେ ଯେପରି ଜଳବନ୍ଦୀ ନହେବ ସେଥିପାଇଁ ବିଭିନ୍ନ ସ୍ଥାନରେ ଡ୍ରେନ୍ କାମ ଜୋରଦାର୍ ଚାଲିଥିବାବେଳେ ଇଞ୍ଜିନିୟରିଂ ବିଭାଗର ଦାୟିତ୍ବ ବଢ଼ିଯାଇଥିଲା। ଏବେ ଯଦି ହଠାତ୍ ବଡ଼ ବର୍ଷା ହେବ ତେବେ କିପରି ପମ୍ପ ମୁତୟନ ହେବ, କିପରି ଜଳ ନିଷ୍କାସନ ହେବ ସେ ଚିନ୍ତା ବି ବିଏମ୍ସିକୁ ଘାରିଛି। ବିଏମ୍ସିର ସବୁ କାମରେ ଇଞ୍ଜିନିୟରିଂ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଥିବାରୁ ବିଏମ୍ସି କିପରି ଏହାର ମୁକାବିଲା କରୁଛି ତାହା ଉପରେ ସମସ୍ତଙ୍କ ନଜର।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବିଡିଏରେ ଦୁଇ ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ବିଏମ୍ସି ପକ୍ଷରୁ ବିଡିଏ କାର୍ଯ୍ୟାଳୟକୁ ସିଲ୍ କରାଯିବା ସହ ବିଏମ୍ସି ଓ ବିଡିଏ କାର୍ଯ୍ୟାଳୟକୁ ଜୁଲାଇ ୧ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଥିଲା। ବିଏମ୍ସିରେ ଯେପରି କରୋନା ଆକ୍ରାନ୍ତ ବାହାରିବେନି ସେନେଇ ବହୁ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଥିଲା। ହେଲେ ଏବେ ବିଏମ୍ସିରୁ ତିନି ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ଏହି କରୋନା ଯୋଦ୍ଧାଙ୍କ ମନରେ ଭୟ ପଶିଯାଇଛି।