ରାଉରକେଲାରେ ଶିଶୁ ବିକ୍ରି ରାକେଟର ଫେରାର କିଙ୍ଗପିନ ଓ ସହଯୋଗୀଙ୍କୁ ଧରିଲା ପୁଲିସ୍

0 555
greentech

ରାଉରକେଲା ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ସ୍ମାର୍ଟ‌ ସିଟି ରାଉରକେଲାରେ ଶିଶୁ ବିକ୍ରି ରାକେଟର ଫେରାର କିଙ୍ଗପିନ ସଙ୍ଗୀତା ଅଗ୍ରୱାଲଙ୍କ ସ୍ୱାମୀ ଜିତେନ୍ଦ୍ର ଅଗ୍ରୱାଲ ଓ ସହଯୋଗୀଙ୍କୁ ଜାଲ ବିଛାଇ ପୁଲିସ କାବୁ କରିଛି। ଏହାଫଳରେ ମୋଟ ଗିରଫ ଲୋକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଗତକାଲି ଗିରଫ ହୋଇଥିଲେ ରାକେଟର ୫ ମହିଳା ଓ ୨ ପୁରୁଷ ସଦସ୍ୟ।

 ସୂଚନାଯୋଗ୍ୟ,  ରାଉରକେଲାରେ ଶିଶୁପୁତ୍ରର ଦାମ୍ ୩-୪ ଲକ୍ଷ ହୋଇଥିବାବେଳେ ଶିଶୁକନ୍ୟାର ୩୦ ହଜାର ଟଙ୍କା। ଏହି ଦର ଧାର୍ଯ୍ୟ କରିଛନ୍ତି ଇସ୍ପାତ ସହରରେ ମାତିଥିବା ଶିଶୁ ଚାଲାଣ ରୢାକେଟ୍‌ର ସଦସ୍ୟ/ସଦସ୍ୟାମାନେ। ଏମାନେ ପ୍ରଥମେ ନିରୀହ ଗରିବଙ୍କୁ ଯୋଗାଯୋଗ କରୁଛନ୍ତି। ପିଲା ବିକ୍ରି କରିବାକୁ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି। ଦୁର୍ଦିନରେ କାଳାତିପାତ କରୁଥିବା ଗରିବ ଅର୍ଥ ଲାଳସାରେ ଫସିଯାଇ ଜନ୍ମକଲା ପିଲା ବିକ୍ରି କରୁଛନ୍ତି। ପିଲାକିଣା ରାଉରକେଲାରେ ହିଁ ହେଉଥିବାବେଳେ ସେମାନଙ୍କୁ ଝାଡ଼ଖଣ୍ଡ ଓ ରାୟଗଡ଼କୁ ଚାଲାଣ କରାଯାଉଛି। ଏଭଳି ଏକ ଶିଶୁ ବିକ୍ରି ରୢାକେଟ୍‌ର ପର୍ଦ୍ଦାଫାସ କରିଛି ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ।

ଗତକାଲି ଏହି ଗ୍ୟାଙ୍ଗ୍‌ର ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ, ଡେଲି ମାର୍କେଟ୍‌ ଜନତା ନିବାସ ଗଳିର ସୀମା ଅଗ୍ରୱାଲ ଓରଫ୍‌ ସୀମା ଗର୍ଗ(୪୫), କ୍ରିଷ୍ଣା ହୋଟେଲ ସମ୍ମୁଖରେ ରହୁଥିବା ସରୀତା ଅଗ୍ରୱାଲ(୫୦), ଡିଏଭି ସ୍କୁଲ ଲେନ୍‌ର ନୀତା ଅଗ୍ରୱାଲ(୪୪), ଗୁରୁଦ୍ବାରା ରୋଡ୍‌ର ଆଶା ଦେବୀ(୩୮), ଡିଏଭି ଲେନ୍‌ର ନିଖିଳ ଅଗ୍ରୱାଲ(୨୫), ପାୱାର ହାଉସ୍‌ ରୋଡ୍‌ର ସୁମିତ ଅଗ୍ରୱାଲ(୨୧) ଓ ବିଶ୍ରା ଡାହାର ରୋଡ୍‌ର ଶୀଲା ଅଗ୍ରୱାଲ(୩୮)।

ଆଳୁ ଖୋଳୁଖୋଳୁ ମହାଦେବ ମିଳିବା ଭଳି ଏହି ମାମଲାର ପର୍ଦ୍ଦାଫାସ କରିଛି ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ। ଏହି ଗ୍ୟାଙ୍ଗ୍‌ର ଦୁଇ ସଦସ୍ୟା ସଙ୍ଗୀତା ଓ ନୀତା ପ୍ରାୟ ୩ ଦିନ ପୂର୍ବେ ଟିମ୍ବର କଲୋନି ବୈଷ୍ଣୋଦେବୀ ମନ୍ଦିର ପାଖରେ ରହୁଥିବା ସୀମା ଖୁଣ୍ଟିଆ(୪୦)ଙ୍କୁ ଯୋଗାଯୋଗ କରିଥିଲେ। ଦୁଇ ଅଭିଯୁକ୍ତ ଶ୍ରୀମତୀ ଖୁଣ୍ଟିଆଙ୍କୁ ନିଜ ନାତୁଣୀକୁ ବିକ୍ରି କରିବାକୁ ପ୍ରଲୋଭିତ କରିଥିଲେ। କହିଥିଲେ, ଶିଶୁ କନ୍ୟାର ଦାମ୍‌ ୩୦-୪୦ ହଜାର ଥିବାବେଳେ ଶିଶୁ ପୁତ୍ରର ଦାମ୍‌ ହେଉଛି ୩-୪ ଲକ୍ଷ ଟଙ୍କା। ଯୋଜନା ମୁତାବକ, ଗତକାଲି ରାତି ପ୍ରାୟ ୮ଟାରେ ସୀମା ନିଜର ଦେଢ଼ବର୍ଷର ନାତୁଣୀକୁ ଧରି ମହତାବ ରୋଡ୍‌ ସ୍ଥିତ ଇଦ୍‌ଗା ପଡ଼ିଆକୁ ଆସିଥିଲେ। ସେଠାରେ କିନ୍ତୁ ଡିଲ୍‌ କରିଥିବା ଦୁଇ ଅଭିଯୁକ୍ତ ସଙ୍ଗୀତା ଓ ନୀତାଙ୍କ ବଦଳରେ ଅନ୍ୟ ଦୁଇ ଅଭିଯୁକ୍ତ ସରୀତା ଅଗ୍ରୱାଲ ଓ ସୀମା ଅଗ୍ରୱାଲ ଏବଂ ଗ୍ୟାଙ୍ଗ୍‌ର ପୁରୁଷ ସଦସ୍ୟ ଥିଲେ। ଏହାକୁ ଦେଖି ଶ୍ରୀମତୀ ଖୁଣ୍ଟିଆ ବିରୋଧ କରିବା ସହ ଡିଲ୍‌ କରିଥିବା ପୂର୍ବର ଦୁଇ ଅଭିଯୁକ୍ତଙ୍କୁ ଖୋଜିଥିଲେ। ତେବେ ସେଠାରେ ଉପସ୍ଥିତ ସରିତା ଓ ସୀମା ବୁଝାସୁଝା କରିବା ସହ ଡିଲ୍‌ କରିଥିବା ଦୁଇ ସଦସ୍ୟା ହିଁ ଶିଶୁକୁ ନେବାକୁ ସେମାନଙ୍କୁ ପଠାଇଥିବା କହିଥିଲେ। ଫଳରେ ଅଭିଯୋଗକାରିଣୀ ଶ୍ରୀମତୀ ଖୁଣ୍ଟିଆ ଦୁଇ ମହିଳାଙ୍କୁ ନିଜର ନାତୁଣୀକୁ ଦେଇଥିଲେ। ପରେ ଟଙ୍କା ମାଗିବାରୁ ଉଭୟେ ଜନତା ନିବାସ ଗଳିକୁ ଆସି ନେବାକୁ କହି ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଦୀର୍ଘ ସମୟଧରି ଖୋଜାଖୋଜି କରିବାପରେ ମଧ୍ୟ ସେମାନଙ୍କର ପତ୍ତା ନ ମିଳିବାରୁ ଶ୍ରୀମତୀ ଖୁଣ୍ଟିଆ ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ଏତଲା ଦେଇଥିଲେ।

Leave A Reply

Your email address will not be published.

12 − eleven =

error: Content is protected !!
Open chat