ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଆଜି ହେବ ବିଜୟ ମହାନ୍ତିଙ୍କ ଅନ୍ତିମ ଶେଷକୃତ୍ୟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଭୀର ଶୋକ ପ୍ରକାଶ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୭ : ଓଡିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି ର ଆଜି ହେବ ଅନ୍ତିମ ସଂସ୍କାର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର ଶେଷ କୃତ୍ୟ କରାଯିବ । ଗତ କାଲି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି । ବେଶ୍ କିଛି ଦିନ ହେବ ଅସୁସ୍ଥ ଥିବା ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଏକ ଡାକ୍ତରୀ ଦଳ ତାଙ୍କ ଜୀବନ ରକ୍ଷା ପାଇଁ ଉଦ୍ୟମ କରିଥିଲେ । ହେଲେ କିଛି ସମୟ ଚିକିତ୍ସା ପରେ ସେମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦେହ ଭଲ ରହୁ ନଥିବାରୁ କିଛି ମାସ ହେଲା ସେ ଅଭିନୟଠାରୁ ଦୂରେଇ ରହିଥିଲେ ।
![](https://i0.wp.com/kalingajyoti.com/wp-content/uploads/2020/07/vnncbmcnbmn.jpg?resize=470%2C264&ssl=1)
ଗତ ମେ ୨୫ ତାରିଖରେ ଝିଅ ପାଖରେ ଥିବାବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କର ହୃଦଘାତ ହୋଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇଥିଲା । ତେବେ ଓଡିଶା ଫେରି ଆସିବାକୁ ଇଛା ପ୍ରକାଶ କରିବାରୁ ଜୁନ୍ ୧୩ରେ ତାଙ୍କୁ ଓଡିଶା ଅଣାଯାଇଥିଲା । ସେବେଠୁ ସେ ଭୁବନେଶ୍ୱରରେ ରହୁଥିଲେ । ବିଭିନ୍ନ ଭୂମିକାରେ ଶତାଧିକ ଚଳଚିତ୍ରରେ ଅଭିନୟ କରି ଓଡିଶାର ଘରେ ଘରେ ପରିଚିତ ହୋଇଥିବା ଏହି ବେତାଜ ବାଦଶାହଙ୍କ ବିୟୋଗରେ ଓଡିଆ ଚଳଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟିଛି । ଦୀର୍ଘ ଛଅ ଦଶନ୍ଧି ଧରି ନିଜ ଅଭିନୟ ଯାଦୁରେ ଓଡିଆ ଚଳଚିତ୍ରପ୍ରେମୀଙ୍କୁ ବାନ୍ଧି ରଖିଥିବା ଅଭିନେତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।
ବିଜୟଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟ ମହାନ୍ତିଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହ ଓଡିଆ ସିନେ ଜଗତ ଜଣେ ମହାନ କଳାକାରଙ୍କୁ ହରାଇଲା ବୋଲି କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି , ଓଡିଆ ସିନେ ଜଗତରେ ଏକ ଯୁଗର ଅବସାନ ଘଟିଲା । ବହୁ ବିଶିଷ୍ଟ ବ୍ୟକ୍ତି ବିଜୟ ମହାନ୍ତିଙ୍କ ଦେହାନ୍ତରେ ଶୋକ ଜଣାଇଛନ୍ତି । ଓଲିଉଡର ଏହି ବିଶିଷ୍ଟ ଅଭିନେତାଙ୍କ ଖବର ସମସ୍ତଙ୍କୁ ମର୍ମାହତ କରିଛି । ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ସେ ନିଜର କାଳଜୟୀ ଅଭିନୟରେ ଓଡିଆ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ । ଓଡିଶାର ଘରେ ଘରେ ଦର୍ଶକଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ବିଜୟ ।