ଲକ୍ଡାଉନ ପରେ ବୃଦ୍ଧି ପାଇଛି ବିଦ୍ୟୁତ ରାଜସ୍ୱ ଆଦାୟ ! ! ରାଜ୍ୟରେ ଖୁବ୍ ଶୀଘ୍ର ସ୍ଥାପିତ ହେବ ଆରଟି – ଡିଏଏସ ସିଷ୍ଟମ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ରାଜ୍ୟରେ କରୋନାଜନିତ ଲକ୍ଡାଉନ୍ ପରେ ବିଦ୍ୟୁତ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଛି । ଗତକାଲି ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ସମୟରେ ଏା ଜଣାପଡ଼ିଛି । ଲକ୍ଡାଉନ୍ ସମୟରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ସେକ୍ଟର ରାଜସ୍ୱ ସଂଗ୍ରହ ବୃଦ୍ଧି ଘଟିଥିବାରୁ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଲକ୍ଡାଉନ୍ ପରବର୍ତୀ ସମୟରେ ସମସ୍ତ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଇଛି । ଏଥି ସହିତ ରାଜସ୍ୱ ଆଦାୟଜନିତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ କ୍ୟାପ୍ଟିଭ୍ ପାୱାର ପ୍ଲାଂଟରେ ଦୂରସଂବେଦୀ ଯୋଗେ ପ୍ରକୃତ ସମୟ ତଥ୍ୟ ସଂଗ୍ରହ ବ୍ୟବସ୍ଥା ସ୍ଥାପନ ଖୁବ୍ଶୀଘ୍ର କରାଯିବାକୁ ସେ ବିଦ୍ୟୁତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଘଟିଥିବା ବିଦ୍ୟୁତ ଦୁର୍ଘଟଣାଗୁଡ଼ିକର କ୍ଷତିପୂରଣ ବାବଦରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦିଆଯିବ । ତେବେ ଘଟୁଥିବା ଦୁର୍ଘଟଣାରୁ ୯୦ ପ୍ରତିଶତ ମନୁଷ୍ୟକୃତ ତ୍ରୁଟି ପାଇଁ ହେଉଥିବା ଯୋଗୁଁ ଭବିଷ୍ୟତରେ ଏହାକୁ ହ୍ରାସ କରିବା ଦିଗରେ ଅଧିକ ଯତ୍ନବାନ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବେ ୧୧ କେଭି ଏବଂ ଏଲଟି ସିଷ୍ଟମରେ ଦୁର୍ଘଟଣା ଘଟୁଥିବା ଯୋଗୁଁ ବିଦ୍ୟୁତ ସୁରକ୍ଷା ତାଲିମ, ସୁରକ୍ଷା ଯାଂଚ, କ୍ଷେତ୍ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଏବଂ ସଚେତନା ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।
ସେ ନିୟମିତ ସୁରକ୍ଷା ବ୍ୟବସ୍ଥାରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲେ । ସୁରକ୍ଷା କର୍ଣ୍ଣର ଭାବେ ପ୍ରତି ସେକ୍ସନ୍, ସବ୍ଡିଭିଜନ୍, ଡିଭିଜନ୍ରେ ସେଲ୍ ଖୋଲାଯାଇ ବିଦ୍ୟୁତ ବ୍ୟବହାରବେଳେ ସୁରକ୍ଷା ପ୍ରତି ଧ୍ୟାନ ଉପରେ ଜନସଚେତନତା ସୃଷ୍ଟି କରାଯିବାକୁ ଗୁରୁତ୍ୱ ଦେଇଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ବିଦ୍ୟୁତ ସୁରକ୍ଷା ଉପରେ ଅନେକ ପ୍ରସ୍ତାବ ଦେଇ ସୁରକ୍ଷା ଉପରେ ମାସିକ କିମ୍ବା ତ୍ରୈମାସିକ ରିପୋର୍ଟ ପ୍ରଦାନ ଉପରେ ଜୋର ଦେଇଥିଲେ । ଏହି ଭର୍ଚୁଆଲ୍ ବୈଠକରେ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଦ୍ୟୁତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ସନ୍ତୋଷ ଦାସ ଅଂଶଗ୍ରହଣ କରିଥିଲେ ।