କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୯ : ଲଦାଖରେ ଭାରତ-ଚୀନ୍ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ସୋମବାର ବିଳମ୍ବିତ ରାତିରେ ପାଙ୍ଗୋଙ୍ଗ ତ୍ସୋ ହ୍ରଦ ନିକଟ ଏଲଏସିରେ ଚୀନ ସୈନିକମାନେ ଗୁଳିକାଣ୍ଡ କରିଥିବାର ଖବର ମିଳିଛି। ତେବେ ଅନ୍ୟପକ୍ଷେ ଚୀନର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ ଭାରତୀୟ ସୈନିକମାନେ ପାଙ୍ଗୋଭ୍ଗ ତ୍ସୋ ହ୍ରଦର ଦକ୍ଷିଣ ପଟେ ଗୁଳିକାଣ୍ଡ କରିଥିବାର ଅଭିଯୋଗ କରିଛି। ତେବେ ସେନା ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଚୀନ ପକ୍ଷରୁ ପ୍ରଥମେ ଗୁଳିକାଣ୍ଡ ହୋଇଥିଲା, ଏହାପରେ ଭାରତ ପଟୁ ପାଲଟା ଜବାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସବୁଠାରୁ ବଡ କଥା ଏହା ଯେ, ୧୯୭୫ ପରେ ସୀମାରେ ଭାରତ ଓ ଚୀନର ସୈନିକଙ୍କ ଭିତରେ ଏଭଳି ପ୍ରଥମ ଥର ଗୁଳିକାଣ୍ଡ ହୋଇଛି।
ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟ, ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ)ର ମୁଖପାତ୍ର କର୍ନଲ ଝାଙ୍ଗ୍ ସୁଇଲିଙ୍କ ପକ୍ଷରୁ ଏଲଏସିର ତାଜା ସ୍ଥିତି ନେଇ ବୟାନ ଜାରି କରାଯାଇଛି। ସେ କହିଛନ୍ତି, ଭାରତୀୟ ସୈନିକମାନେ ଉକସାଇବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯାହାଫଳରେ ଚୀନ୍ ସୈନିକଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଛି।
ଚୀନ୍ ଗଣମାଧ୍ୟମର ମୁଖପାତ୍ର ଅଭିଯୋଗ କରିଛନ୍ତି, ଯେତେବେଳେ ଚୀନ୍ ସେନାର ପାଟ୍ରୋଲିଂ ପାର୍ଟି ଭାରତର ଯବାନଙ୍କ ସହ କଥା ହେବାକୁ ଆଗକୁ ବଢିଥିଲା, ସେତେବେଳେ ସେମାନେ ଓ୍ବାର୍ନିଂ ସଟ୍ ଫାୟାର କରିଥିଲେ। ଚୀନର ଏଭଳି ବୟାନ ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି, ଚୀନର ଏଭଳି ସୂଚନା ଭୁଲ, ଆମ ପଟୁ ଆଗ ଫାୟାରିଂ ହୋଇନଥିଲା।