ଶରଧାବାଲିରେ ପହଞ୍ଚିବା ପରେ ତିନି ରଥ ସାମ୍ନାରେ ଗାନ କରାଗଲା ଗୀତଗୋବିନ୍ଦ, ଭାବବିହ୍ବଳ ହେଲେ ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ

0 182
greentech

ପୁରୀ: କାଳିଆର ଲୀଳା ଅଲୌକିକ। କାଳିଆ କୃପାରେ ଅସମ୍ଭବ ହୋଇଯାଏ ସମ୍ଭବ। ରଥଯାତ୍ରା ବନ୍ଦ ହେବା ଏକପ୍ରକାର ସ୍ଥିର ହୋଇ ସାରିଥିବା ବେଳେ ଗୋଟିଏ ରାତିରେ ଓଲଟି ପଡ଼ିଥିଲା ସବୁକିଛି। ବଦଳି ଯାଇଥିଲା ସୁପ୍ରିମକୋର୍ଟଙ୍କ ରାୟ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି ପୁରୀରେ। ଆଉ ଶ୍ରୀମନ୍ଦିରର ସେବାୟତମାନେ ହିଁ ତିନିରଥକୁ ଶ୍ରୀମନ୍ଦିରରୁ ଭିଡ଼ି ନେଇ ଗୁଣ୍ଡିଚାମନ୍ଦିରରେ ସନ୍ଧ୍ୟାପୂର୍ବରୁ ପହଞ୍ଚାଇ ଦେଲେ। ମୁଣ୍ଡଫଟା ଖରା ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦତା ହେତୁ ହାଲିଆ ହୋଇପଡ଼ୁ ଥିଲେ ସେମାନେ, ତଥାପି ଥକୁ ନଥିଲେ।  ବିଶ୍ରାମ ନେଉଥିଲେ, କିନ୍ତୁ ପୁଣି ନୂଆ ଉତ୍ସାହରେ ଭିଡୁଥିଲେ ରଥ ଦଉଡ଼ି। ଆଉ ଏହାରି ଭିତରେ ସବୁ ଆଶା-ଆଶଙ୍କାର ଅବସାନ ଘଟାଇ ମାତ୍ର ୪ଘଣ୍ଟା ଭିତରେ ତିନି ଥର ଲାଗିଗଲା ଶରଧାବାଲିରେ।ରଥ ଶରଧାବାଲିରେ ଲାଗିଲା ପରେ ଦେଖିବାକୁ ମିଳିଥିଲା ଏକ ଭାବବିହ୍ଵଳ ଦୃଶ୍ୟ। ସମସ୍ତ ସେବାୟତ ରଥ ସାମ୍ନାରେ ଛିଡା ହୋଇ ଏକ ସ୍ୱରରେ ଶ୍ରୀଜଗନ୍ନାଥଙ୍କ ଗୀତଗୋବିନ୍ଦ ଗାନ କରିଥିଲେ। ହାତରେ ତାଳି ଦେଇ ବରିଷ୍ଠ ସେବାୟତ ରାମକୃଷ୍ଣ ଦାଶମହାପାତ୍ରଙ୍କ ନେତୃତ୍ବରେ ପିଲାରୁ ବୃଢ଼ା ଯାଏଁ ସବୁ ବୟସର ସେବାୟତ ଅତ୍ୟନ୍ତ ଭାବପୂର୍ଣ୍ଣ ଭାବେ ଗାନ କରୁଥିଲେ.. ‘ସେତ ନନ୍ଦଦୁଲାଲ ବସୁଦେବ ବାଳ ଜୟଜୟଦେବ ହରେ।’ କେବଳ ସେବାୟତ ନୁହେଁ, ସେମାନଙ୍କ ସହ ଏହି ଭାବପୂର୍ଣ୍ଣ ମୁହୂର୍ତ୍ତରେ ସାମିଲ ହୋଇଥିଲେ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଡ.କ୍ରିଷନ୍‌ କୁମାର। ମନେ ହେଉଥିଲା, ପ୍ରଶାସକ ଓ ସେବାୟତ ଏବଂ ଉପସ୍ଥିତ ସମସ୍ତେ ଯେଭଳି ମହାପ୍ରଭୁଙ୍କୁ ଯେଭଳି କୃତଜ୍ଞତା ଜଣାଉଥିଲେ  କି ତାଙ୍କର କରୁଣାରୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ତିନିରଥ ଆସି ସମୟ ପୂର୍ବରୁ ଗୁଣ୍ଡିଚାରେ ପହଞ୍ଚି ଯାଇଛି।ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମସ୍ତକୁ ବିଶେଷ କରି ସେବାୟତ ,ପୁରୀ ଜିଲ୍ଲା ପଶାସନ, ଶ୍ରୀମନ୍ଦିର ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।

ଆଜି ଚତୁର୍ଦ୍ଧା ମୂରତି ରଥରେ ରହିବେ ଏବଂ ସେହି ରଥରେ ହିଁ ବିଭିନ୍ନ ନୀତିକାନ୍ତି ସମାପିତ ହେବ। ଆସନ୍ତାକାଲି ସକାଳେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ନିଆଯିବ।

Leave A Reply

Your email address will not be published.

three − 1 =

error: Content is protected !!
Open chat