ସଙ୍କଟ ସମୟରେ ବେକାରୀ ଯୁବକଙ୍କୁ ରୋଜଗାର ଦେବାର ପନ୍ଥା ଆପଣାନ୍ତୁ ରାଜ୍ୟ ସରକାର: ପ୍ରଦୀପ୍ତ ନାଏକ

0 438
greentech

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୯/୦୭ :  ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି। ଅନେକ ବିଭାଗରେ ସରକାରୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିବା ପରେ ବି ପୂରଣ ହେଉନି। ବିଶେଷ କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗରେ ଅନେକ ପଦବୀ ଖାଲି ରହିଛି। ରାଜ୍ୟର ଅନେକ ସ୍କୁଲରେ ଶିକ୍ଷକ ନାହାଁନ୍ତି। ମେଡିକାଲରେ ଡାକ୍ତର ଏବଂ ଆଧୁନିକ ଯନ୍ତ୍ରପାତି ଅଭାବ କାରଣରୁ ହଜାର ହଜାର ରୋଗୀ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏହା ପ୍ରତି ରାଜ୍ୟ ସରକାର କେବେ ଦୃଷ୍ଟି ଦେଇ ନାହାଁନ୍ତି। ଏବେ କରୋନାକୁ ଏକ ବାହାନା ବନାଇ ଖର୍ଚ୍ଚ କାଟ କରିବା ପାଇଁ ସରକାରୀ ନିଯୁକ୍ତିକୁ ୨ ବର୍ଷ ଲାଗି ବନ୍ଦ କରିବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିଜ ଦାୟୀତ୍ୱରୁ ଖସିଯିବାର ଏକ ଷଡଯନ୍ତ୍ର ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି।

ପ୍ରତିବର୍ଷ ରାଜ୍ୟରେ ବେକାରୀ ସମସ୍ୟା ବଢିବାରେ ଲାଗିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ରାଜ୍ୟ ସରକାର ଚାହୁଁ ନାହାଁନ୍ତି। ସେହିପରି ରାଜ୍ୟରେ ରାଜସ୍ୱ ଆଦାୟ କରିବା ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟସରକାର କେବଳ ମଦ ବିକ୍ରି କରି ରାଜସ୍ୱ ପାଇବା କଥା ଚିନ୍ତା କରି ସେ ଦିଗରେ ମାତିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ବିଧାନସଭାମଣ୍ଡଳୀର ପଂଚାୟତରେ ଅଧିକାଂଶ ପିଇଓ ପଦବୀ ଖାଲି ରହିଛି। ଯାଜପୁର ଜିଲ୍ଲା ବହୁ ଚର୍ଚ୍ଚିତ ନଗଡାରେ ୨୬ ଟି ପଂଚାୟତରେ କେବଳ ୨ ଜଣ ପିଇଓ କାର୍ଯ୍ୟ କରୁଛନ୍ତି। ସରକାରୀ ପଦବୀ ଖାଲି ରହିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖର୍ଚ୍ଚ କାଟ କରିବା। ଏଭଳି ସମୟରେ ବେକାରୀ ସମସ୍ୟାକୁ ହଟାଇବା ପାଇଁ ରାଜ୍ୟସରକାର ନିଜ ନିଷ୍ପତି ବଦଳାଇ ରୋଜଗାର ଦେବାର ପନ୍ଥା ଆପଣାନ୍ତୁ ବୋଲି ଶ୍ରୀ ନାଏକ କହିଛନ୍ତି।

ଦେଶ ଓ ରାଜ୍ୟର କରୋନାର ଘଡିସନ୍ଧି ମୁହୁର୍ତରେ ଲୋକପ୍ରତିନିଧୀ ମାନଙ୍କର ବହୁତ ବଡ ଭୂମିକା ରହିଛି। ଏଥିଲାଗି ଓଡିଶାର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି ତଥା ଏମଏଲଏ ଲାଡ୍ ଫଣ୍ଡକୁ ୨ ବର୍ଷ ପାଇଁ ବନ୍ଦ କରିବା ସହ ବିଧାୟକ ଏବଂ ମନ୍ତ୍ରୀଙ୍କର ଦରମା ଅନ୍ୟୁନ ୧ ବର୍ଷ ପାଇଁ ୩୦ ପ୍ରତିଶତ କମ କରିବା ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି।

ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟସରକାରଙ୍କ ଉଦ୍ୟୋଗ ଗୁଡିକରେ ସଭାପତି/ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତି ବିଶେଷ ମାନେ ମଧ୍ୟ ୩୦ପ୍ରତିଶତ କମ ଦରମା ନେବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ସାଂସଦମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି ଓଡିଶାରେ ମଧ୍ୟ ଅନୁରୂପ ଭାବେ ଏହାକୁ ଲାଗୁ କରାଯାଉ ବୋଲି ଶ୍ରୀ ନାଏକ କହିଛନ୍ତି।

ଏମଏଲଏ ଲାଡ ଫଣ୍ଡରୁ ଏବଂ ମନ୍ତ୍ରୀ ଓ ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ ସେଥିରେ ଏକ ବିଶେଷ ପାଣ୍ଠି ଗଠନ କରି ଏହାକୁ କରୋନା ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ମେଡିକାଲ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘ ମିଆଦି ଯୋଜନା କରିବାକୁ ଶ୍ରୀ ନାଏକ ଦାବି କରିଛନ୍ତି।

Leave A Reply

Your email address will not be published.

12 − 5 =

error: Content is protected !!
Open chat