ସୋସିଆଲ ମିଡିଆର ଅପବ୍ୟବହାର ମାମଲା: ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

0 415
greentech

କଟକ: ସୋସିଆଲ ମିଡିଆର ଅପବ୍ୟବହାର ଯେପରି ନ ହେବ ତାହା ସରକାର ଦେଖିବା କଥା। ଯଦି ଏ ନେଇ ଅଭିଯୋଗ ହୁଏ ଓ ପ୍ରାଥମିକ ଭାବେ ଧର୍ତବ୍ୟ ଅପରାଧ ନେଇ ତଥ୍ୟ ରହିଥ‌ାଏ ତେବେ ପୁଲିସ ଯଥା ଶୀଘ୍ର ଏତଲା ରୁଜୁ କରିବା ଆବଶ୍ୟକ। ବିଳମ୍ବ ନ କରି ପୁଲିସ ଏପରି ଅଭିଯୋଗର ତଦନ୍ତ କରିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଏସ.କେ. ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନାବାଳିକାର ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପ୍ରସଂଗ ସଂପର୍କିତ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ପ୍ରସାର କରିବା ଭଳି ବିପଦଜନକ କାର୍ଯ୍ୟ ଏବେ ଯୁବ ପିଢି ପାଇଁ ସମସ୍ୟା ହୋଇଛି। ବିଶେଷ କରି ଯୁବତୀଙ୍କ ପାଇଁ ଏହି ସମସ୍ୟା ଦେଖା ଦେଇଛି।

ସୋସିଆଲ ମିଡିଆର ଏଭଳି ଅପବ୍ୟବହାର ପାଇଁ ଅନୁମତି ନ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ଖଣ୍ଡପୀଠ କହିଛନ୍ତି। ଏଥି ସହିତ ନାବାଳିକାର ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରଣ ନେଇ ହୋଇଥିବା ଅଭିଯୋଗର ଯାଞ୍ଚ କରିବାକୁ ଜଗତପୁର ଥାନା ଆଇଆଇସିଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆବଶ୍ୟକ ହୁଏ ତେବେ ଘଟଣାର ତଦନ୍ତ ସହିତ ଅଭିଯୁକ୍ତଙ୍କ ଘର ଉପରେ ଚଢାଉ କରିବା ପାଇଁ ପୁଲିସ ପଦକ୍ଷେପ ଗ୍ରହଣ କରିବ। ଏହି ପ୍ରସଂଗରେ ପୁଲିସର ତ୍ବରିତ ପଦକ୍ଷେପ ଗ୍ରହଣ ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିବା ସହିତ ଏ ସଂପର୍କିତ ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ନାବାଳିକା ଉଦ୍ଧାର ପ୍ରସଂଗ ନେଇ ଏହି ମାମଲା ଦାୟର ହୋଇଥିଲା। ମାମଲା ବିଚାରାଧୀନ ଥିବା ବେଳେ ନାବାଳିକା ଉଦ୍ଧାର ହୋଇଥିଲା। କିନ୍ତୁ ନାବାଳିକାର ଆପତ୍ତିଜନକ ଭିଡିଓ ‌ସୋସିଆଲ ମିଡିଆରେ ପ୍ରସାରଣ କରି ଅଭିଯୁକ୍ତ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.

ten − eight =

error: Content is protected !!
Open chat