ସମ୍ଭାବିତ ବନ୍ୟା ଦୃଷ୍ଟିରୁ ଜନସାଧାରଣଙ୍କୁ ଅଧିକ ପ୍ରସ୍ତୁତ ଓ ସତର୍କ ରହିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଦଳର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ
ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଜନସାଧାରଣଙ୍କୁ ଆହୁରି ଅଧିକ ପ୍ରସ୍ତୁତ ଓ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ସେହିପରି ଦଳର ଅଧିକରୁ ଅଧିକ କାର୍ଯ୍ୟକର୍ତା ଏହି କାମରେ ସହଯୋଗୀ ହୋଇ ଲୋକମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ଟ୍ୱିଟ କରି ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି ଯେ ବିଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ପ୍ରବାହିତ ନଦୀ ଗୁଡ଼ିକର ଜଳସ୍ତର ବଢ଼ିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପୂର୍ବାନୁମାନ ଥିବାରୁ ବନ୍ୟା ସମ୍ଭାବନା ଦୃଷ୍ଟିରୁ ଆହୁରି ଅଧିକ ପ୍ରସ୍ତୁତ ଓ ସତର୍କରହିବା ନିତାନ୍ତ ଆବଶ୍ୟକ ।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଆପଣମାନେ ସତର୍କ ଥିବେ, ମାତ୍ର ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ଅନୁରୋଧ । ଏଭଳି ପରିସ୍ଥିତିରେ ଆମ ଦଳର କାର୍ଯ୍ୟକର୍ତାମାନେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବା କାମରେ ଲାଗିଛନ୍ତି । ଅଧିକରୁ ଅଧିକ କାର୍ଯ୍ୟକର୍ତା ଏହି କାମରେ ସହଯୋଗୀ ହୋଇ ଲୋକମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଅନୁରୋଧ କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ।