କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଇରଙ୍ଗପୁର ୩୧/୦୮ : ଦୀର୍ଘ ୩୨ ବର୍ଷ ପରେ ହାଇକୋର୍ଟରେ କନ୍ଧ ମାଝୀ ହତ୍ୟା ମାମଲାର ଶୁଣାଣି କରାଯାଇ ଚୁଡ଼ାନ୍ତ ରାୟ ଆସିଛି । ବିଚାରପତି ମାମଲାର ଶୁଣାଣି କରି ଅଭିଯୁକ୍ତ ଗୁଲାଇ ମାଝୀ(୬୫)ଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଦ୍ୱାରା ୭ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ ହୋଇଥିଲେ ସେ । ଏହି ଦଣ୍ଡାଦେଶକୁ ହାଇକୋର୍ଟ କାଏମ୍ ରଖିଥିଲେ ମଧ୍ୟ ଦଣ୍ଡ ଅବଧି ୨ ବର୍ଷ କୋହଳ କରିଛନ୍ତି ।
୩୨ ବର୍ଷ ତଳର ଏହି ମାମଲାରେ ଜାମିନ୍ରେ ଥିବା ଅଭିଯୁକ୍ତ ଗୁଲାଇ ମାଝୀଙ୍କ ବୟସ ଏବେ ୬୫ ବର୍ଷ । ଅଭିଯୁକ୍ତଙ୍କ ନାମରେ ଅନ୍ୟ କୌଣସି କେସ୍ ନ ଥିବା ଏବଂ ବୟସାଧିକ୍ୟ ଯୋଗୁଁ ବିଚାରପତି ତାଙ୍କୁ ୫ ବର୍ଷ ଜେଲ୍ଦଣ୍ଡ ଦେଇଛନ୍ତି । ଆସାମୀ ଗୁଲାଇ ମାଝୀଙ୍କ ଆବେଦନକୁ ଖାରଜ କରିବା ଅବସରରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘବର୍ଷ ପରେ ମିଳିଛି କନ୍ଧ ମାଝୀ ପରିବାରକୁ ନ୍ୟାୟ । ହେଲେ କୋର୍ଟଙ୍କ ନ୍ୟାୟ ବିଚାର ଶୁଣିବାକୁ କେହି ନାହାନ୍ତି ତାଙ୍କ ପରିବାରରେ ।
ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କେନ୍ଦୁଆ ଗାଁର ଘଟଣା । କେନାଲରେ ବନ୍ଧ ବାନ୍ଧିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ କନ୍ଧ ମାଝୀଙ୍କ ମୃତ୍ୟୁ ହୋଇଥିଲା । କନ୍ଧଙ୍କୁ ହତ୍ୟା ଅଭିଯୋଗରେ ଗୁଲାଇଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୟୂରଭଞ୍ଜ ଜିଲ୍ଲା ଦୌରାଜଜ୍ ୧୯୮୮ ମସିହା ଅକ୍ଟୋବର ୩ରେ ମାମଲାର ରାୟ ଶୁଣାଣି କରି ଗୁଲାଇଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ । ଗୁଲାଇ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସେହି ବର୍ଷ ନଭେମ୍ବର ୧୫ରେ ଗୁଲାଇଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ସେବେଠାରୁ ଏହି ମାମଲା କୋର୍ଟରେ ବିଚାରାଧୀନ ଥିଲା । ଘଟଣା ପରଠାରୁ ଜାମିନ୍ ମିଳିବା ଭିତରେ ଗୁଲାଇ ମୋଟ ୪ ମାସ ଜେଲ୍ ଦଣ୍ଡ ଭୋଗିଛନ୍ତି । ଏବେ ଜୀବନର ଶେଷ ଭାଗରେ ତାଙ୍କୁ ଭୋଗିବାକୁ ପଡ଼ିବ ୫ ବର୍ଷ ଜେଲ୍ଦଣ୍ଡ ।