ଜେନେଭା/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : କରୋନା ସଂକ୍ରମଣ ବୃଦ୍ଧି ଜନିତ ଆଶଙ୍କା, କରୋନା ଟୀକା ଉଦ୍ଭାବନ ଆଶା ମଧ୍ୟରେ ନିରାଶାବାଣୀ ଶୁଣାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ । ଆସନ୍ତା ବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା ନାହିଁ ବୋଲି କହିଛନ୍ତି ଡ଼ବ୍ଲ୍ୟୁ.ଏଚ.ଓ. (ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ)ର ମୁଖପାତ୍ର ମାର୍ଗାରେଟ ହ୍ୟାରିସ । ଟିକାର ଫଳପ୍ରଦତା ଏବଂ ସୁରକ୍ଷା ଆଦିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଉପରେ ଗୁରୁତ୍ୱାରୋପ କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏ ଭଳି ଆଶାପୋଷଣ କରୁଥିବା କଥା ସେ କହିଛନ୍ତି। ଜେନିଭା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖପାତ୍ରୀ ମାର୍ଗାରେଟ୍ ହ୍ୟାରିସ ଏହା କହିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ଉନ୍ନତ ନୈଦାନିକ ପରୀକ୍ଷା ଶେଷ ହୋଇଥିବା ଗୋଟିଏ ହେଲେ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ୍ ଏପର୍ଯ୍ୟନ୍ତ ଅନ୍ୟୂନ ୫୦% ସ୍ତରଯାଏଁ ଫଳପ୍ରସୂ ହୋଇଥିବାର ସ୍ପଷ୍ଟ ସଙ୍କେତ ନାହିଁ। ତେଣୁ, ଆସନ୍ତାବର୍ଷ ମଧ୍ୟ ଭାଗ ପର୍ଯ୍ୟନ୍ତ ସାର୍ବଜନୀନ ଟିକାକରଣ ସତରେ ଆମେ ଦେଖିବୁ ବୋଲି ଆଶା କରୁନାହୁଁ। ନିର୍ଦ୍ଦିଷ୍ଟ କୌଣସି ଟିକାର ନାଁ ନ ଧରି ହ୍ୟାରିସ୍ କହିଲେ, ତୃତୀୟ ପର୍ଯ୍ୟାୟ ପରୀକ୍ଷା ଦୀର୍ଘ ସମୟ ଧରି ଚାଲିବା ଉଚିତ। କାରଣ, ଟିକା କେତେ ସୁରକ୍ଷା ପ୍ରଦାୟୀ ଓ କେତେ ନିରାପଦ ଆମେ ଦେଖିବା ଆବଶ୍ୟକ। କରାଯାଉଥିବା ପରୀକ୍ଷାର ସମସ୍ତ ତଥ୍ୟ ଆଦାନ ପ୍ରଦାନ କରାଯାଇ ତୁଳନା କରାଯିବା ଉଚିତ। ଅନେକ ଲୋକ ଟିକା ନେଇଛନ୍ତି, କିନ୍ତୁ ଟିକା କାମ କରୁଛି କି ନାହିଁ, ଆମେ ଜାଣନ୍ତି ନାହିଁ। ଟିକାର ଫଳପ୍ରଦତା ଏବଂ ସୁରକ୍ଷା ସ୍ତର ସମ୍ବନ୍ଧରେ ଏ ସମୟରେ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ।
ଅନ୍ୟପକ୍ଷରେ ଆମେରିକାର ସଂସ୍ଥା ସେଣ୍ଟର ଫର ଡ଼ିଜିଜ୍ କଂଟ୍ରୋଲ ଏଣ୍ଡ ପ୍ରିଭେନସନ (ସିଡ଼ିସି) ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ବା ନଭେମ୍ବର ମାସ ମଧ୍ୟରେ ଦୁଇଟି କରୋନା ଟୀକା ପ୍ରସ୍ତୁତ ହୋଇପାରେ । ଗତ ୨ ସପ୍ତାହ ମଧ୍ୟରେ ସିଡ଼ିସି ଦ୍ବାରା ବିଭିନ୍ନ ଜନସ୍ବାସ୍ଥ୍ୟ ବିଭାଗ ସହ ଜଡ଼ିତ ସଂସ୍ଥାକୁ ପଠାଯାଇଥିବା ଦଲିଲରେ କରୋନା ଟୀକାକୁ ‘‘ଏ’’ ଓ ‘‘ବି’’ ନାମରେ ନାମିତ କରିଛି । ଏହି ଦଲିଲରେ ଟୀକା ସଂକ୍ରାନ୍ତ ଗୁରୁତ୍ବପୂର୍ର୍ଣ ସୂଚନା ଉପଲବ୍ଧ ରହିଛି । ଏହାର ଉଦ୍ଭାବନ, ସହନକ୍ଷମ ତାପମାନ, ମାନକ ଓ ଅନ୍ୟ ପ୍ରସଙ୍ଗ ଏଥିରେ ଉଲ୍ଲେଖ ରହିଛି ।
ମଡ଼ର୍ଣ୍ଣା ଓ ଫାଇଜର କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି । ଅନ୍ୟପକ୍ଷରେ ଏଷ୍ଟ୍ରଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟୀକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆମେରିକାର ୮୦ ସ୍ଥାନରେ ପ୍ରାୟ ୩୦ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷା କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ କିଛିଦିନ ତଳେ ଏ ସମ୍ପର୍କରେ ସୂଚନା ଦେଇ ଏହି ଟୀକା ଖୁବ୍ ଶୀଘ୍ର ବଜାରକୁ ଆସିବ ବୋଲି କହିଥିଲେ।