ଦେଶରେ ଆସନ୍ତା ବର୍ଷ ପ୍ରାରମ୍ଭରେ ଉପଲବ୍ଧ ହେବ କୋଭିଡ-୧୯ ଟିକା : ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ : ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଦେଶରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ ଆଶା ପ୍ରକଟ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ତିନିଟି ଟିକା ପ୍ରାର୍ଥୀ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ପହଞ୍ଚିଛି। ଟିକା ଆସିବା ପର୍ଯ୍ୟନ୍ତ ସାମାଜିକ ଦୂରତା ଏବଂ ଦୁଇ ଗଜର ଦୂରତାକୁ ସାମାଜିକ ଟିକା ଭାବରେ ଗ୍ରହଣ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।
ଦେଶର କୋଭିଡ-୧୯ ମହାମାରୀ ପରିସ୍ଥିତି ଉପରେ ରାଜ୍ୟସଭାରେ ହୋଇଥିବା ମନ୍ତବ୍ୟର ଆଲୋଚନାର ଉତ୍ତର ଦେଇ ସେ କହିଛନ୍ତି ଯେ ବିଭିନ୍ନ ସଂସ୍ଥାକୁ ଆବଶ୍ୟକ ସହାୟତା ଯୋଗାଇ ଏକ ବିଶେଷଜ୍ଞ କମିଟି ଟିକା ପ୍ରସ୍ତୁତି ଉପରେ କାର୍ଯ୍ୟ କରୁଛି। ସେ କହିଛନ୍ତି, ଟିକା ପ୍ରସ୍ତୁତି ଦିଗରେ ଭାରତ ‘ହୁ’ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନ ସହ କାର୍ଯ୍ୟ କରୁଛି। କୋଭିଡ-୧୯ ମହାମାରୀ ବିରୋଧରେ ଲଢ଼େରେ କୋଭିଡ ଯୋଦ୍ଧାମାନଙ୍କ ଭୂମିକାକୁ ପ୍ରଶଂସା କରି ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ସହାୟତାରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ନିଷ୍ପତ୍ତି ନେଇଛନ୍ତି ଏବଂ ସରକାର ଏହି ରୋଗ ସହ ଜଡିତ ପ୍ରତ୍ୟେକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି।