ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନକାରୀ କୃଷକ ଏବେ ସଂଗ୍ରାମ ଜାରି ରଖିଛନ୍ତି। ଆଗକୁ ମଧ୍ୟ ଏହାକୁ ଆହୁରି ବଡ ଧରଣ କରିବାର ଯୋଜନାରେ ଅଛନ୍ତି। ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ବଲବୀର. ଏସ୍. ରାଜେଓ୍ବାଲ କହିଛନ୍ତି, ଆମେ ୧୨ ଡିସେମ୍ବରରୁ ଦିଲ୍ଳୀ-ଜୟପୁର ରୋଡ ବ୍ଲକ କରିବୁ। ଉପ-ଜିଲ୍ଲାପାଳଙ୍କ ଅଫିସ, ବିଜେପି ନେତାଙ୍କ ଘର ଆଗରେ ପ୍ରଦର୍ଶନ କରିବୁ। ଏହା ସହିତ ଆମେ ଟୋଲ୍ ପ୍ଲାଜା ବ୍ଲକ କରିଦେବୁ। ତେବେ ରେଲଓ୍ବେ ସେବା ଉପରେ କୌଣସି ପ୍ରକାର ପ୍ରଭାବ ନପକାଇବାର କଥା କହିଛନ୍ତି।
ଅନ୍ୟପକ୍ଷେ ପଞ୍ଜାବର ୭ଟି ଜିଲ୍ଲାର ପ୍ରାୟ ୧,୦୦୦ଗାଁ ରୁ ୧,୫୦୦ ଅଧିକ ବାହନ ଯେଉଁଥିରେ ୧୩୦୦ ଟ୍ରାକ୍ଟର-ଟ୍ରଲି ଦିଲ୍ଲୀ ଆଡକୁ ଆସୁଛି। ଏହା ସହିତ ଆହୁରି ୩୦ ହଜାର କୃଷକ ଆସୁଛନ୍ତି। କିସାନ୍ ମଜଦୁର ସଂଘର୍ଷ ସମିତି(କେଏମ୍ଏସ୍ସି)ର କହିବା ଅନୁସାରେ, ପଞ୍ଜାବର ପ୍ରଦର୍ଶନକାରୀଙ୍କ ଏକ ନୂଆ ଦଳ ଆସୁଛନ୍ତି, ଯାହାକି ରବିବାର ସୁଦ୍ଧା ଦିଲ୍ଲୀ ସୀମା ପର୍ଯ୍ୟନ୍ତ ପହଁଞ୍ଚିବାର ଆଶା କରାଯାଉଛି। ଉଲ୍ଲେଖନୀୟ ଯେ, କେଏମଏସ୍ସି ପ୍ରଥମ କୃଷକ ସଂଗଠନ ଥିଲା, ଯିଏକି କେନ୍ଦ୍ରର ମୋଦି ସରକାରଙ୍କ କୃଷକ ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା।
କେଏମ୍ଏସ୍ସିର ପ୍ରେସ ସଚିବ ବଲଜିନ୍ଦର ସିଂ ସନ୍ଧୁ କହିଛନ୍ତି, ଏଥର ଆମେ ରାସନ୍ ସାମଗ୍ରୀ, କମ୍ବଳ, କପଡା, ଏଲପିଜି ସିଲିଣ୍ଡର, ବାଲ୍ଟି ଆଦି ନେଇକି ଆସିଛୁ। ଆମର ଟ୍ରଲି ସବୁ ଓ୍ବାଟରପ୍ରୁଫ୍ ସିଟସ୍ରେ ଢଙ୍କା ହୋଇଛି ଓ ଆମେ ଦିଲ୍ଲୀର ପାଣିପାଗ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଆମର ଏହି ସବ ଗାଡି ଦିଲ୍ଲୀର ସୀମାରେ ପହଁଞ୍ଚିବା ପୂର୍ବରୁ ହରିୟାଣାର ଶାହବାଦ, ମାରକଣ୍ଡାରେ ରହିବ। ଏହି ଯାତ୍ରା ଅଟକିବ ନାହିଁ। କେନ୍ଦ୍ରକୁ ଜୁନ୍-ଜୁଲାଇରେ ଆମର କଥା ଶୁଣିବାର ଦରକାର ଥିଲା।