ଭାରତ ବାୟୋଟେକ୍ର ଘୋଷଣା: କୋଭାକ୍ସିନର ସାଇଡ ଇଫେକ୍ଟ ପଡିଲେ କମ୍ପାନୀ ଦେବ କ୍ଷତିପୂରଣ,ଫର୍ମରେ ଲେଖିବାକୁ ହେବ ଲକ୍ଷଣ
ନୂଆଦିଲ୍ଲୀ,୧୬।୧: ଭାରତ ବାୟୋଟେକର ଭ୍ୟାକସିନ୍-କୋଭାକ୍ସିନ୍କୁ ନେଇ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି। ଏହା ଭିତରେ କମ୍ପାନୀ ସ୍ପଷ୍ଟ କରି ଦେଇଛି ଯେ, ଭ୍ୟାକସିନର ଖରାପ ପ୍ରଭାବ ଯଦି ପଡୁଛି ତେବେ ଲାଭାର୍ଥୀଙ୍କୁ କ୍ଷତିପୂରଣ ଦିଆଯିବ। କେବଳ ସେତିକି ନୁହେଁ, କମ୍ପାନୀ ନିଜର ଫର୍ମରେ ଏ ବିଷୟରେ ସ୍ପଷ୍ଟ ଭାବରେ ଲେଖିଛି। ଆଜି ଦେଶରେ ଭ୍ୟାକସିନ୍ ପୋଗ୍ରାମର ଶୁଭାରମ୍ଭ ହୋଇସାରିଛି,ଯାହା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଭ୍ୟାକସିନ୍ ଦିଆଯାଇଛି। ସରକାର ପ୍ରଥମ ୩ ଦିନ ଲକ୍ଷାଧିକ ଲୋକଙ୍କୁ ଟିକା ଲଗାଇବେ।
ମୁମ୍ବାଇର ୬ଟି କେନ୍ଦ୍ର ସରକାରୀ ହସ୍ପିଟାଲରେ କୋଭାକ୍ସିନ୍ ଦିଆଯାଉଛି। ଶୁକ୍ରବାର ଜାରି କରି Consent Form ସମ୍ମତି ପତ୍ରରେ ଲେଖା ହୋଇଛି ଯେ, ଭ୍ୟାକସିନ୍ କାରଣରୁ କୌଣସି ଗମ୍ଭୀର ସାଇଡ୍ ଇଫେକ୍ଟ ହେଲେ ଲାଭାର୍ଥୀଙ୍କୁ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ହସ୍ପିଟାଲରେ ସ୍ବାସ୍ଥ୍ୟ ସୁବିଧା ଦିଆଯିବ। ମହାରାଷ୍ଟ୍ର ସହିତ ୧୧ଟି ରାଜ୍ୟ କୋଭାକ୍ସିନକୁ ସ୍ବୀକାର କରିନେଇଛି। ତେବେ କମ୍ପାନୀ ଏପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରି ନାହିଁ।
ରିପୋର୍ଟ ଅନୁସାରେ, ଭ୍ୟାକ୍ସିନ ପାଇବା ପାଇଁ ଏକ ଫାକ୍ଟ ସିଟ୍ ଓ ଖରାପ ପରିଣାମ ସମ୍ପର୍କିତ ଏକ ଫର୍ମ ଦିଆଯିବ। ଏହି ଫର୍ମରେ ଲାଭାର୍ଥୀଙ୍କୁ ୭ ଦିନ ଭିତରେ କୌଣସି ଲକ୍ଷଣ ଦେଖାଗଲେ ଲେଖିବାକୁ ହେବ। ସମ୍ମତି ପତ୍ରରେ ଲେଖା ହୋଇଛି ଯେ, ଫେଜ୍-୧ ଓ ଫେଜ୍-୨ରେ କରୋନା ଭାଇରସ୍ ବିରୋଧରେ ଭ୍ୟାକସିନ୍ ଆଣ୍ଟିବଡି ପ୍ରସ୍ତୁତ କରିବାର ରହିଛି। ସେଭଳି ଫେଜ୍-୩ ଟ୍ରାଏଲ ଜାରି ହେବା କାରଣରୁ କୋଭାକ୍ସିନ୍ କେତେ ଫଳପ୍ରଦ ତାହା ଧାର୍ଯ୍ୟ କରିହେବନି।’