ଏକ ଟ୍ରାଏଲ କୋର୍ଟ ଦ୍ୱାରା ସାମ୍ବାଦିକ ପ୍ରିୟା ରମାଣୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବରଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଦାୟର ଆବେଦନର ଶୁଣାଣି ଆସନ୍ତା ଅଗଷ୍ଟ ୧୧ରେ ହେବ ବୋଲି ଜଣାପଡିଛି। ଆଜି ଦିଲ୍ଲୀ ହାଇକୋର୍ଟ ଆକବରଙ୍କ ଆବେଦନକୁ ସ୍ୱତନ୍ତ୍ର ମାମଲା ନୁହେଁ ବୋଲି କହିବା ସହ ଏହାର ଶୁଣାଣି ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଯୌନ ନିର୍ଯାତନା ମାମଲାରେ ସାମ୍ୱାଦିକ ପ୍ରିୟା ରମାଣୀ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଦୋଷୀ ଦର୍ଶାଇ କରିଥିବା ମାମଲାରେ ପରବର୍ତ୍ତୀ ସମୟରେ ଏମଜେ ଆକବର ମାନହାନି ମାମଲା ଦାୟର କରିଥିଲେ ଯେଉଁଥିରେ ଟ୍ରାଏଲ କୋର୍ଟ ରମାଣୀଙ୍କୁ ଦୋଷମୁକ୍ତ କରିଥିଲେ। ଜଷ୍ଟିସ ମୁକ୍ତା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ।
ଖଣ୍ଡପୀଠ କହିଛନ୍ତି, ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଶୁଣାଣି ପାଇଁ ଅଛି ଓ ଏହି ଘଟଣାରେ ତ୍ୱରିତ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ୨୦୧୮ରେ ଦେଶରେ ‘ମି ଠୁ’ ଅଭିଯାନ ମାଧ୍ୟମରେ ସାମ୍ବାଦିକ ରମାଣୀ ଆକବରଙ୍କ ଉପରେ ଶାରୀରିକ ନିର୍ଯାତନା ତଥା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ସେତେବେଳେ ଏହି ଘଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିଥିଲା।