ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ମହାମାରୀର ମୁକାବିଲା ପାଇଁ କୋଭିଡ ଟିକାକୁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଏବେ ଜୋରସୋରରେ ଚାଲିଛି। କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକା ଯୋଗାଣ ଜାରି ରଖିଥିବାରୁ ଯଥା ସମ୍ଭବ କମ୍ ସମୟ ମଧ୍ୟରେ ବହୁସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇ ପାରୁଛି। ସ୍ୱଚ୍ଛତାପୂର୍ବକ ରାଜ୍ୟମାନଙ୍କୁ ବହୁସଂଖ୍ୟାରେ ଟିକା ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଟିକା ଉପଲବ୍ଧତା ସଂକ୍ରାନ୍ତରେ ମଧ୍ୟ ରାଜ୍ୟମାନଙ୍କୁ ଆଗୁଆ ଜଣାଇ ଦିଆଯାଉଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୪ କୋଟି ୬୫ ଲକ୍ଷ ଟିକା ଯୋଗାଇ ଦିଆଯାଇ ସାରିଲାଣି। ୨୩ କୋଟି ୪୭ଲକ୍ଷ ଟିକା ବ୍ୟବହାର ହୋଇଥିଲାବେଳେ ୧ କୋଟି ୧୯ଲକ୍ଷରୁ ଅଧିକ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ରହିଛି।
ନିକଟ ଭବିଷ୍ୟତରେ ଟିକା ଉପଲବ୍ଧତା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଚଳିତବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ୨୦୦ କୋଟିରୁ ଊର୍ଦ୍ଧ୍ବ ପାନ ଟିକାର ବ୍ୟବସ୍ଥା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆସନ୍ତା ୨୧ ତାରିଖରୁ ୧୮ବର୍ଷରୁ ଊର୍ଦ୍ଧ୍ବ ବୟସ୍କମାନଙ୍କୁ ମାଗଣା ଟିକା ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକା ଯୋଗାଇ ଦେବେ। ଗତକାଲି ସନ୍ଧ୍ୟାରେ ଦେଶ ଉଦ୍ଦେଶ୍ୟରେ ଉଦବୋଧନ ଦେଲାବେଳେ ଶ୍ରୀ ମୋଦୀ କହିଛନ୍ତି ଦେଶର ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ। ଏଥିପାଇଁ ରାଜ୍ୟମାନଙ୍କୁ ଗୋଟିଏ ହେଲେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।