ଭୁବନେଶ୍ବର ୦୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସରକାରୀ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ସଂଶୋଧିତ ଦରମାହାର ନିୟମାବଳୀ ୨୦୧୭ରେ ଦରମାପାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା ୨୮ ପ୍ରତିଶତରୁ ବୃଦ୍ଧି ପାଇ ୩୧ ପ୍ରତିଶତରେ ପହଞ୍ଚିଛି । ଏହା ଜୁଲାଇ ୧,୨୦୨୧ରୁ ଲାଗୁ ହେବ ।
ଓଡ଼ିଶା ସରକାରଙ୍କ ପାଇଁ କାମ କରୁଥିବା ସର୍ବ ଭାରତୀୟ ସେବାର ଅଧିକାରୀମାନେ ବି ଏହି ମହଙ୍ଗା ଭତ୍ତା ବୃଦ୍ଧିର ଲାଭ ଉଠାଇପାରିବେ । ତେବେ ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଲଗାଭାବେ ଏକ ବିଜ୍ଞପ୍ତି ଜାରି ହେବ । ସେହିପରି ସଂପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ ଏହା ଲାଗୁ ହେବ । ସେହିପରି ବିଶ୍ବବିଦ୍ୟାଳୟର ଅଣ-ଟିଚିଂ କର୍ମଚାରୀମାନେ, ଯେଉଁମାନେ ନିୟମିତ ହାରରେ ଦରମା ପାଉଥିବେ ସେମାନଙ୍କ ପାଇଁ ବି ଏହା ଲାଗୁ ହେବ ।
ଜୁଲାଇ ୨୦୨୧ରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ମିଳିବାକୁ ଥିବା ଅତିରିକ୍ତ ମହଙ୍ଗା ଭତ୍ତା ନଗଦ ଟଙ୍କା ଆକାରରେ ଜାନୁଆରି ମାସରେ ମିଳିବ ।