କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : କରୋନା ଭାଇରସ ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ହିଁ ଦେଶରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସବୁ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦ ହୋଇଯାଇଛି। ଏଣୁ ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ପରିସ୍ଥିତିରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଶିକ୍ଷଣାନୁଷ୍ଠାନ ଖୋଲିବା ଲାଗି ଏବେ ଅଭିଭାବକଙ୍କ ରାୟ ମାଗିଛନ୍ତି। ଅଗଷ୍ଟ, ସେପ୍ଟେମ୍ବର ଅଥବା ଅକ୍ଟୋବର କେବେ ଖୋଲିବ ସ୍କୁଲ ସେ ନେଇ ଅଭିଭାବକଙ୍କ ମତାମତ ଲୋଡିଛନ୍ତି।
ଏନେଇ ମନ୍ତ୍ରାଳୟଙ୍କ ପକ୍ଷରୁ ସବୁ ରାଜ୍ୟର ଶିକ୍ଷା ସଚିବମାନଙ୍କୁ ଏକ ପତ୍ର ଜାରି କରାଯାଇଛି। ଏଥିରେ ଅଭିଭାବକମାନେ କେବେଠାରୁ ଶିକ୍ଷଣାନୁଷ୍ଠାନ ଖୋଲୁ ବୋଲି ଚାହୁଁଛନ୍ତି ସେ ନେଇ ମତାମତ ସଂଗ୍ରହ କରିବାକୁ କୁହାଯାଇଛି। ସେହିପରି ଶିକ୍ଷଣାନୁଷ୍ଠାନ ଖୋଲିଲେ କେଉଁ ସବୁ ପରିବର୍ତ୍ତନର ଆବଶ୍ୟକତା ରହିଛି ସେ ନେଇ ମଧ୍ୟ ସେମାନଙ୍କ ମତାମତ ଲୋଡିବାକୁ ମନ୍ତ୍ରାଳୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ଶିକ୍ଷା ସଚିବମାନେ ଏ ନେଇ ଅଭିଭାବକଙ୍କ ମତାମତ ସମ୍ପର୍କିତ ସୂଚନା ଜୁଲାଇ ୨୦ ସୁଦ୍ଧା କେନ୍ଦ୍ରମନ୍ତ୍ରାଳୟଙ୍କୁ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ଅନୁମତି ମିଳିଲେ ହିଁ ଦେଶରେ ଶିକ୍ଷଣାନୁଷ୍ଠାନମାନେ ପୁଣି ଖୋଲିପାରିବେ।
ତେବେ ମାନବ ସମ୍ବଳ ମନ୍ତ୍ରାଳୟଙ୍କ ଫିଡବ୍ୟାକ୍ ପଦକ୍ଷେପ ଏ ଦିଗରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଏଥିରେ ଯଦି ଶିକ୍ଷଣାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆ ବି ଯାଏ ତେବେ କଣ ସବୁ ସତର୍କତା ଅବଲମ୍ବନ କରାଯିବ ସେ ନେଇ ମାନବ ସମ୍ବଳ ମନ୍ତ୍ରାଳୟ ବିସ୍ତୃତ ଦିଶା ନିର୍ଦ୍ଦେଶ ମଧ୍ୟ ପ୍ରସ୍ତୁତ କରିସାରିଥିବା ଜଣାପଡିଛି।