କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ : ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅଞ୍ଚଳରେ ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ବିଜୁଳି ଆଲୁଅ ପାଇନାହାନ୍ତି ବୋର୍ଡିପଡା ଗ୍ରାମବାସୀ।
ଧର୍ମଗଡ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ଆଉ ଦିନ କେଇଟା ପରେ ସାରା ଦେଶ ଆମର ସ୍ଵାଧିନତା ଦିବସ ପାଳନ କରିବାକୁ ଯାଉଛି, କିନ୍ତୁ ବିଡମ୍ବନା ଯେ, ଆଜି ସ୍ୱାଧିନତାର ପ୍ରାୟ ୭୪ ବର୍ଷ ପରେ ମଧ୍ୟ ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଧିନସ୍ଥ ଡ଼ୁମେରଗୁଡା ପଞ୍ଚାୟତର ବୋର୍ଡିପଡା ଗାଁରେ BPL କାର୍ଡଧାରୀ ଗରିବ ଲୋକମାନେ ବିଦ୍ୟୁତ ଆଲୁଅ ପାଇପାରିନାହାନ୍ତି ।
ଟ୍ରାନ୍ସଫର୍ମର ଅଛି, ମିଟର ମଧ୍ୟ ଘରେ ଲାଗିଛି କିନ୍ତୁ ବିଜୁଳି ନାହିଁ – ଜଳୁ ନାହିଁ ବଲ ! ରାତି ହେଲା ବେଳକୁ ଅନ୍ଧାରରେ ବୁଦ୍ଧି ଦିଶୁ ନାହିଁ ଗ୍ରାମବାସୀ ଙ୍କୁ । ଗ୍ରାମ ଜଣେ ବୁଢୀମା’ ଙ୍କ କହିବା ଅନୁସାରେ, ତାଙ୍କ ବିବାହ ହୋଇ ନାତି, ନାତୁଣୀ ଦେଖି ସାରିଲାଣି କିନ୍ତୁ ନିଜ ଘରେ ବିଦ୍ୟୁତ ଆଲୁଅ ଦେଖିପାରିଲେ ନାହିଁ ।ବର୍ତ୍ତମାନ ବର୍ଷାୠତୁ ସମୟରେ ରାତିରେ ବିନା ବିଦ୍ୟୁତ ଆଲୋକରେ ଜୀବନଯାପନ କରିବା ଅତ୍ୟନ୍ତ କଷ୍ଟ ଦାୟକ ହୋଇପଡିଛି, ଚିନ୍ତା ଘାରୁଛି ବିଦ୍ୟୁତ ଆଲୋକ ପାଇବା ପାଇଁ ।
ଏହା ଖୋଦ ଆମ ରାଜ୍ୟର ଶକ୍ତିମନ୍ତ୍ରୀଙ୍କ ଅଞ୍ଚଳର ବ୍ୟଥା – ହୁଏତ ଶୁଣିବାକୁ ବହୁତ କଷ୍ଟ ଲାଗୁ ଥାଇପାରେ, କିନ୍ତୁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଧିନସ୍ଥ ଡ଼ୁମେରଗୁଡା ପଞ୍ଚାୟତର ବୋର୍ଡିପଡା ଗ୍ରାମରେ। ପ୍ରଶାସନ ନିକଟରେ ଗୁହାରି କରି ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଗ୍ରାମବାସୀମାନେ କହିଛନ୍ତି । ନିର୍ବାଚନ ସମୟରେ ନେତା ମାନେ “ଆମକୁ ଜିତେଇଲେ ବିଦ୍ୟୁତ ସଂଯୋଗ କରିଦେବୁ” ବୋଲି ମିଥ୍ୟା ପ୍ରତିଶୃତି ଦେଇ ଜିତିଲା ପରେ କିନ୍ତୁ ନେତା, ମନ୍ତ୍ରୀ ମାନଙ୍କର ଦେଖା ମିଳୁନାହିଁ, ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋର୍ଡିପଡା ଗ୍ରାମବାସୀ। ନିରୀହ ଜନତା କରିବେ କଣ ? ପ୍ରତିଶୃତି ଭରସାରେ ଅନାଇ ବସିଛନ୍ତି ନିରୀହ ଜନତା, ଦିନରେ ସୂର୍ଯ୍ୟ ଆଉ ରାତି ରେ ଚନ୍ଦ୍ର ଆଲୋକର ଭରଷାରେ ବଞ୍ଚୁଛନ୍ତି ବୋର୍ଡିପଡାବାସୀ।
ବର୍ଷାୠତୁ ହୋଇଥିବାରୁ ରାତିରେ ବିଭିନ୍ନ ପ୍ରକାରର ସରୀସୃପ ଘରକୁ ପ୍ରବେଶ କରୁଛି ଏବଂ ବିଦ୍ୟୁତ ଆଲୁଅ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବାରେ ମଧ୍ୟ ବହୁତ ଅସୁବିଧା ହେଉଛି ବୋଲି ଗ୍ରାମବାସୀ କହିଛନ୍ତି । ତଥାପି ଯେତେ କଷ୍ଟ ହେଲେ ମଧ୍ୟ ନିଜ ଭବିଷ୍ୟତ ଗଢିବା ପାଇଁ ଡ଼ିବିରି ସାହାଯ୍ୟରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏହା ଗ୍ରାମର ବିଡମ୍ବନା ଯେ, ଖୋଦ ଆମ ରାଜ୍ୟର ଶକ୍ତିମନ୍ତ୍ରୀ ଏହି କଳାହାଣ୍ଡି ଜିଲ୍ଲାରୁ ଥାଇ ମଧ୍ୟ ଶକ୍ତିମନ୍ତ୍ରୀଙ୍କ ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି, ଏହା ଠାରୁ ବଳି ଦୁଃଖର କାରଣ କ’ଣ ହୋଇପାରେ ? ଏପରି ଦୟନୀୟ ଅବସ୍ଥା କୁ ଦୃଷ୍ଟି ଦେଇ ପ୍ରଶାସନ ନିକଟରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବୀ ଜଣାଇଛନ୍ତି ।