ନୂଆଦିଲ୍ଲୀ ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଂଶବାଦୀ ରାଜନୀତି ଗଣତନ୍ତ୍ର ପାଇଁ ବିପଦ। ଏଭଳି ରାଜନୀତି ରାଷ୍ଟ୍ର ହିତରେ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୨୪ ଘଣ୍ଟାରୁ କମ୍ ସମୟ ପୂର୍ବରୁ ଏଏନ୍ଆଇକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ବଂଶବାଦୀ ରାଜନୀତି ଏବଂ ଦୁର୍ନୀତି ପାଇଁ ବିରୋଧୀ ଦଳଗୁଡିକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କେହି ସମାଜବାଦୀ ବୋଲି କହିଲେ ସେ ତାହା ଗ୍ରହଣ କରନ୍ତି। ଯେ ଯେତେବେଳେ ନକଲି ସମାଜବାଦ କଥା କହନ୍ତି ସେତେବେଳେ ତାହା ବଂଶବାଦ ସମ୍ପର୍କରେ ହୋଇଥାଏ। ଲୋହିଆ, ଜର୍ଜ ଫର୍ଣ୍ଣାଣ୍ଡିଜ, ନିତିଶ କୁମାରଙ୍କ ପରିବାରଙ୍କୁ ଦେଖିବାକୁ ମିଳୁଛି କି ବୋଲି ସେ ପ୍ରଶ୍ନ କରିବା ସହିତ ସେମାନେ ସମାଜବାଦୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଶ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କର ବ୍ୟବସାୟ କ୍ଷେତ୍ରରେ କୋୖଣସି କାମ ନାହିଁ ବୋଲି ବିଜେପିର ମତ। ଏହାର କାମ ହେଉଛି ଦରିଦ୍ରଙ୍କ ପାଇଁ ଖାଦ୍ୟ ଚିନ୍ତା କରିବା, ସେମାନଙ୍କ ପାଇଁ ବାସଗୃହ ଓ ପାଇଖାନା ନିର୍ମାଣ କରିବା, ସେମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟସେବା ବ୍ୟବସ୍ଥା କରିବା, ସଡ଼କ ନିର୍ମାଣ କରିବା ଏବଂ କ୍ଷୁଦ୍ର ଚାଷୀଙ୍କ ସମ୍ପର୍କରେ ଚିନ୍ତା କରିବା। ଏହା ତାଙ୍କ ପାଇଁ ଅଗ୍ରାଧିକାର ବିଷୟ ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ, ଜାତୀୟ ସ୍ବାର୍ଥ ଦୃଷ୍ଟିରୁ କୃଷି ଆଇନକୁ ସରକାର ପ୍ରତ୍ୟାହାର କରିଥିଲେ। ସେ କୃଷକଙ୍କ ହୃଦୟ ଜିତିବାକୁ ଆସିଛନ୍ତି ଏବଂ ତାହା କରିଛନ୍ତି। ସେ କ୍ଷୁଦ୍ର ଚାଷୀଙ୍କ ଯନ୍ତ୍ରଣାକୁ ବୁଝିଛନ୍ତି।
ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ,ସେ ଗଣମାଧ୍ୟମର ଶିରୋନାମା ପାଲଟିବାକୁ ଚାହୁଁନାହାନ୍ତି। ଭାରତକୁ ଆଗକୁ ବଢାଇବା ପ୍ରୟାସ କରୁଛନ୍ତି। କିଛି ଗଣମାଧ୍ୟମ ସଂସ୍ଥାକୁ ଅଙ୍ଗୁଳି ନିେର୍ଦ୍ଦଶ କରି ସେ କହିଥିଲେ ଯେ କୋୖଣସି ରାଷ୍ଟ୍ରରେ ଗଣମାଧ୍ୟମ ରାଷ୍ଟ୍ରର କାର୍ଯ୍ୟକ୍ରମ ବିରୋଧରେ କାର୍ଯ୍ୟ କରୁଥିବା କେହି କେବେ ଦେଖିନାହାନ୍ତି। ଏହି ଅବସରରେ ସେ ଦେଶରେ ଜାତିଭିତ୍ତିକ ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ, ଟିକଟ ଆବଣ୍ଟନ ସମୟରେ ଅାମେ ଜାତି ଭିତ୍ତିରେ ଶ୍ରେଣୀ ବିଭାଗ କରୁ ଏବଂ କେଉଁ ସମୁଦାୟ କେତେ ଭୋଟ ଦେବେ ତାହାର ପ୍ରତିଶତ ସମ୍ପର୍କରେ ଆଲୋଚନା କରୁଛୁ। କିନ୍ତୁ ସେଥିରେ ପରିବର୍ତ୍ତନ ଆଣିବାକୁ ହେବ। ଆମକୁ ’ସବ୍କା ସାଥ, ସବ୍କା ବିକାଶ’ ମନ୍ତ୍ରକୁ ନେଇ ଆଗେଇବାକୁ ହେବ। ନିର୍ବାଚନ ଧ୍ରୁବୀକରଣ ଉପରେ ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନସାଧାରଣଙ୍କ ହୃଦୟ ଜିତିବା ପାଇଁ ବିଜେପି କୋୖଣସି ସୁଯୋଗକୁ ହାତଛଡା କରିବନାହିଁ। ବିଜେପି ବାରମ୍ବାର ହାରିବାପରେ ଜିତିବା ଆରମ୍ଭ କରିଥିଲା। ଏହା ଯେତେବେଳେ ଜିତେ, ସେତେବେଳେ ତୃଣମୂଳ ସ୍ତରର ଲୋକଙ୍କ ସହିତ ଯୋଡିହେବାକୁ ପ୍ରୟାସ କରେ। ଏହା ହାରିବାରେ ମଧ୍ୟ ଆଶାକୁ ଦେଖେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ବିଜେପି ପାଇଁ ନିର୍ବାଚନ ଏକ ମୁକ୍ତ ବିଶ୍ବବିଦ୍ୟାଳୟ ଭଳି, ଯେଉଁଠି ଏହା ନୂତନ ନିଯୁକ୍ତି ଏବଂ ଆତ୍ମସମୀକ୍ଷା ପାଇଁ ସୁଯୋଗ ପାଏ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ତଦନ୍ତକାରୀ ସଂସ୍ଥାଗୁଡିକ ଜାତୀୟ ସଂପତ୍ତି ଉଦ୍ଧାର କରୁଥିବାରୁ ସରକାରଙ୍କୁ ପ୍ରଶଂସା କରାଯିବା ଉଚିତ। ତଦନ୍ତକାରୀ ସଂସ୍ଥାଗୁଡିକ ଦୁର୍ନୀତିଗ୍ରସ୍ତ େଲାକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଅତୀତରେ ତଦନ୍ତକାରୀ ସଂସ୍ଥାଗୁଡିକର କାର୍ଯ୍ୟାନୁଷ୍ଠାନକୁ ନିର୍ବାଚନ ସହିତ ସଂଯୁକ୍ତ କରିଥିବା ବିରୋଧୀ ଦଳଗୁଡିକୁ ସମାଲୋଚନା କରି ଶ୍ରୀ ମୋଦୀ କହିଲେ ଯେ, ଭାରତରେ ଦୁର୍ନୀତି ଦେଶକୁ ଉଇ ଭଳି ଖାଇବାରେ ଲାଗିଛି। ସମୟାନ୍ତରରେ ଜନସାଧାରଣ ମଧ୍ୟ ଏଭଳି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ସେ ଯଦି ଏ କ୍ଷେତ୍ରରେ କିଛି ନକରିବେ ତେବେ ଜନସାଧାରଣ ତାଙ୍କୁ କ୍ଷମା ଦେବେନାହିଁ। ସେ ଏହା ମଧ୍ୟ କହିଥିଲେ ଯେ ସରକାର ତଦନ୍ତକାରୀ ସଂସ୍ଥାର କାର୍ଯ୍ୟକାରିତାରେ ହସ୍ତକ୍ଷେପ କରନ୍ତି ନାହିଁ। ଏହି ଅବସରରେ ନିର୍ବାଚନ ହେବାକୁ ଯାଉଥିବା ୫ଟି ରାଜ୍ୟରେ ବିଜେପି ବିଜୟ ହାସଲ କରିବା ନେଇ ସେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ।