![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଟକ,୦୭/୧୨: ନୟାସଡ଼କ ସ୍ଥିତ ଆଇଆଇଏଫ୍ଏଲ୍ ଫାଇନାନ୍ସ ଡକାୟତି ଘଟଣାରେ ପୁଲିସ ଦୀର୍ଘ ଦିନ ହେଲା ଲାଲା ଅମୃତ ସାଗର ରାଏ ଓ ତାର କିଛି ସହଯୋଗୀଙ୍କୁ ରିମାଣ୍ଡ୍ରେ ଆଣି ଜେରା କରୁଛି। ମାତ୍ର ସଂସ୍ଥାରେ ହୋଇଥିବା ଡକାୟତି ଘଟଣା ନେଇ ସେଭଳି ଆଉ କିଛି ନୂଆ ତଥ୍ୟ ଅଭିଯୁକ୍ତଙ୍କଠାରୁ ପୁଲିସ ହାସଲ କରିପାରୁନି। ଏପରିକି ଡକାୟତି ବେଳେ ଲୁଟ୍ ହୋଇଥିବା ସୁନା ମଧ୍ୟ ସବୁତକ ମିଳିସାରିଥିବା ପୁଲିସ ଅନୁମାନ କରୁଛି। ତେଣୁ ଏବେ କେବଳ ଦୀର୍ଘ ଦିନ ତଳୁ ସଂସ୍ଥାରେ ହୋଇଥିବା ହେରଫେର ନେଇ ପୁଲିସ ତଦନ୍ତ କରିବ ବୋଲି ସ୍ଥିର କରିଛି। ଏହା ମଧ୍ୟରେ ଗତକାଲି ଲାଲାର ସହଯୋଗୀ ମ୍ୟାନେଜର ନୀଳିମା ଲେଙ୍କାର ରିମାଣ୍ଡ ଅବଧି ଶେଷ ପରେ ତାକୁ ଜେଲ୍ ପଠାଇ ଦିଆଯାଇଛି। ତେବେ ଗଲା ୪ ଦିନର ତଦନ୍ତ ବେଳେ ପୁଲିସକୁ ହେରଫେର୍ ସୁନାର କିଛି ତଥ୍ୟ ମିଳିଛି । ଖୁବ୍ଶୀଘ୍ର ଏହି ସୁନାକୁ ପୁଲିସ ବିଭିନ୍ନ ଫାଇନାନ୍ସ ସଂସ୍ଥା, ବ୍ୟକ୍ତି ବିଶେଷ ଓ ବ୍ୟାଙ୍କ୍ରୁ ଜବତ କରିବ ବୋଲି ସୂଚନା ମିଳିଛି ।
ଫାଇନାନ୍ସ ସଂସ୍ଥାରୁ ହୋଇଥିବା ଡକାୟତି ଓ ହେରଫେର୍ ଘଟଣାର ମାଷ୍ଟରମାଇଣ୍ଡ୍ ଲାଲା ଅମୃତ ସାଗର ରାଏକୁ ଗଲା ୧୦ ଦିନ ହେଲା ପୁଲିସ୍ ରିମାଣ୍ଡରେ ଆଣି ଜେରା କରୁଛି । ପ୍ରଥମେ ୩ ଦିନ, ପରେ ଆଉ ୩ ଦିନ ଓ ଏବେ ୪ ଦିନ ହେବ ସେ ରିମାଣ୍ଡରେ ଆସି ଜେରାକୁ ସାମ୍ନା କରୁଛି । ତେବେ ତୃତୀୟ ଦଫାରେ ଲାଲା ସହିତ ମାନ୍ନାପୁରମ୍ ଗୋଲ୍ଡ ବଜ୍ରକବାଟି ରୋଡ୍ ଶାଖାର ମ୍ୟାନେଜର ପୀତାମ୍ବର ସାହୁ, ତାର ବାଲ୍ୟ ବନ୍ଧୁ ରଂଜନ ବେହେରା ଓ ମ୍ୟାନେଜର ନୀଳିମା ଲେଙ୍କାଙ୍କୁ ରିମାଣ୍ଡ୍ରେ ଆଣି ଜେରା କରାଯାଉଥିଲା । ଏହି ଜେରା ବେଳେ ସମସ୍ତ ଅଭିଯୁକ୍ତ କିଛି କିଛି ନୂଆ ସୂଚନା ଦେଇଛନ୍ତି ।
ସେମାନେ ଡାକୟତି ପୂର୍ବରୁ ହଡ଼ପ କରିଥିବା କିଛି ସୁନାକୁ ବିଭିନ୍ନ ଫାଇନାନ୍ସ ସଂସ୍ଥା, ବ୍ୟକ୍ତି ବିଶେଷ ଓ ବ୍ୟାଙ୍କ୍ରେ ରଖିଛନ୍ତି। ତେଣୁ ଏହି ତଥ୍ୟ ଅନୁସାରେ ଆସନ୍ତା କାଲି ଲାଲାବାଗ୍ ପୁଲିସ ଏହି ସବୁ ସୁନା ଖୋଜିବା କାମ କରିବ । ଦିନେ ଦୁଇ ଦିନ ମଧ୍ୟରେ ହେରଫେର୍ ସୁନାରୁ କିଛି ମାତ୍ରାରେ ସୁନା ପୁଲିସ ପାଇବ ବୋଲି ଆଶା ରଖିଛି । ଅନ୍ୟପଟେ ତିନି ଦିନର ରିମାଣ୍ଡ୍ ପରେ ଆଜି ମ୍ୟାନେଜର ନୀଳିମା ଲେଙ୍କାକୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଇ ଦିଆଯାଇଛି । ଜେରା ବେଳେ ନୀଳିମା ଦୀର୍ଘ ସମୟ କାନ୍ଦୁଥିଲେ । ଯାହାବି ପଚାରିଲେ ଲୁହ ଗଡ଼ାଉଥିଲେ । ତେବେ ସେ ଜାଣିଶୁଣି ଏହି ହେରଫେର୍ରେ ଲାଲାଙ୍କୁ ସହଯୋଗ କରି ନାହାନ୍ତି ବୋଲି ପୁଲିସକୁ କହିଛନ୍ତି । ବିଭିନ୍ନ ସମୟରେ ଲାଲାର ଅନୁରୋଧ କ୍ରମେ ଲକର ୍ଖୋଲିବା ମୋର ଭୁଲ୍ ଥିଲା ବୋଲି ନୀଳିମା ସ୍ୱୀକାର କରିଛନ୍ତି । ତେବେ ସେ ହେରଫେର ସୁନା ନେଇନାହାନ୍ତି ବୋଲି ବାରମ୍ବାର ଜେରା ବେଳେ କହିଛନ୍ତି ।
ଅନ୍ୟପଟେ ରଂଜନ ବେହେରା ଓ ପୀତାମ୍ବରଙ୍କ ସହିତ ଲାଲାର ମୁହାଁମୁହିଁ ଜେରା ବେଳେ ଡକାୟତି ନେଇ ସେଭଳି ଆଉ କିଛି ତଥ୍ୟ ମିଳିନି । ଏପରିକି ଡକାୟତି ବେଳର କିଛି ସୁନା ରଂଜନ ଲୁଚାଇ ରଖିଥିବା ନେଇ ପୁଲିସ ଯେଉଁ ସନ୍ଦେହ କରୁଥିଲା ତାହା ପ୍ରାୟ ଦୂର ହୋଇଛି । ତେଣୁ ଏବେ ପୁଲିସ ଡକାୟତି ଦିଗକୁ ଛାଡ଼ି କେବଳ ସଂସ୍ଥାରେ ହୋଇଥିବା ହେର୍ଫେରକୁ ତଦନ୍ତ ବେଳେ ଅଧିକ ଫୋକସ୍ କରିବ । ଆଇଆଇଏଫ୍ଏଲ୍ ସଂସ୍ଥାରେ ଏବେ ଅନ୍ତରୀଣ ଅଡିଟ୍ ହେଉଛି। ଏହି ଅଡିଟ୍ ରିପୋର୍ଟରେ ପ୍ରକୃତ ପକ୍ଷେ ସଂସ୍ଥାରେ କେତେ ସୁନା ଥିଲା ତାହା ଜଣାପଡ଼ିବ । ଏହି ଅନୁସାରେ ପୁଲିସ ବାକି ସୁନା କୁଆଡ଼େ ଗଲା ବୋଲି ତଦନ୍ତ କରିବ । ତେବେ ଆସନ୍ତା କାଲି ଲାଲା, ରଂଜନ ଓ ପୀତାମ୍ବରର ରିମାଣ୍ଡ ଅବଧି ଶେଷ ହେଉଥିବା ଜଣାଯାଇଛି ।