ଘାରିଲା ଓମିକ୍ରନ୍ ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0 437
greentech

ଶିଶୁଙ୍କ ଚିକିତ୍ସାକୁ ଗୁରୁତ୍ୱ

ଭୁବନେଶ୍ୱର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାରା ବିଶ୍ୱରେ ‘ଓମିକ୍ରନ’ ତା’ର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଜଣ ଏଥିରେ ଚିହ୍ନଟ ହୋଇ ସାରିଲେଣି। ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ। ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ। ବିଶେଷ କରି ପିଲାମାନଙ୍କ ମଧ୍ୟରେ ଅଧିକ ହସ୍ପିଟାଲ ଚିକିତ୍ସାର ଆବଶ୍ୟକତା ପଡ଼ୁଥିବା ନଜରକୁ ଆସୁଛି। ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଶିଶୁଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ସୋମବାର ଦିନ କୋଭିଡ ମହାମାରୀ ତଥା ଏହାର ନୂଆ ପ୍ରଜାତି ‘ଓମିକ୍ରନ’ ସଂପର୍କିତ ପ୍ରସ୍ତୁତି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସଂପର୍କରେ ସମୀକ୍ଷା କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନାର ଦ୍ବିତୀୟ ଲହର ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖାଯାଉ। ଏହାଦ୍ବାରା ହସ୍ପିଟାଲଗୁଡିକରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ। ରାଜ୍ୟରେ ଟୀକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଅଭିଯାନ କରନ୍ତୁ। ପୋଲିସ ବିଭାଗ ମଧ୍ୟ କୋଭିଡ ନିୟମ ଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରିବା ଜରୁରୀ। ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯିବା ସହିତ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ। ଜିଲ୍ଲାପାଳମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିସନ ଶକ୍ତି ଗୋଷ୍ଠୀ ଓ ଅନ୍ୟମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ। ହସ୍ପିଟାଲଗୁଡିକରେ ଅକ୍ସିଜେନ୍ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ। କରୋନାର ନୂଆ ପ୍ରଜାତି ଖୁବ ଜୋରରେ ବ୍ୟାପୁଥିବାରୁ ଆଉ ଗୋଟିଏ ନୂଆ ଲହର ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଜନସାଧାରଣମାନେ ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମର ଅନୁପାଳନ କରିବା ପାଇଁ ‌ସେ ପରାମର୍ଶ ଦେଇଛନ୍ତି।

ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଏହା ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା। ସ୍ମାର୍ଟ ହେଲ୍‌ଥ କାର୍ଡଗୁଡିକର ବଣ୍ଟନ ପାଇଁ ସଂପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ଏହି ଯୋଜନାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ପ୍ରଭାବ ରହିଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁବନ୍ଧିତ ବେସରକରୀ ହସ୍ପିଟାଲଗୁଡିକରେ ଯୋଜନାର କାର୍ଯ୍ୟା‌ନ୍ବୟନ ସଂପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସ୍‌ପିମାନଙ୍କୁ ନିର୍ଦେଶ ଦେଇଛନ୍ତି।https://7536c718a40ca48133ad9c4ff4dfbd99.safeframe.googlesyndication.com/safeframe/1-0-38/html/container.html

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌କେ ଶର୍ମା କହିଥିଲେ ଯେ ଓମିକ୍ରନର ପ୍ରସାରକୁ ରୋକିବା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ସହିତ ନିୟମର ଦୃଢ ଅନୁପାଳନ ଓ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି। ଆସନ୍ତା ୩ ସପ୍ତାହ ମଧ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ ନେଇ ନ ଥିବା ସମସ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଅକ୍ସିଜେନ୍ ପାଇଁ ୮୨ଟି ପିଏସ୍‌ଏ ପ୍ଲାଣ୍ଟ ଓ ୧୫ଟି ଏଲଏମ୍‌ଓ ପ୍ଲାଣ୍ଟ କରାଯିବ। ସବୁ ଚିକିତ୍ସାଳୟରେ ଆବଶ୍ୟକ ଅକ୍ସିଜେନ୍‌ର ବ୍ୟବସ୍ଥା ରହିଛି। କୋଭିଡ ହସ୍ପିଟାଲଗୁଡିକରେ ୬୬୮୪ଟି ଶଯ୍ୟା ଏବଂ ପିଲାଙ୍କ ପାଇଁ ୧୧୯୪ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଛି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଶ୍ରୀ ଶର୍ମା କହିଥିଲେ ଯେ ଏହି ଯୋଜନାରେ ଓଡିଶାର ୨୭୫ଟି ବେସରକାରୀ ହସ୍ପିଟାଲ ଅନୁବନ୍ଧିତ ହୋଇଛନ୍ତି। ୫୫ଟି ଜାତୀୟ ସ୍ତରର ହସ୍ପିଟାଲ ଖୁବ ଶୀଘ୍ର ଏହି ଯୋଜନାରେ ସେବା ଯୋଗାଇବେ। ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ସ୍ମାର୍ଟ କାର୍ଡ ପାଇସାରିଲେଣି ବୋଲି ସେ ସୂଚନା ଦେଇଛନ୍ତି। ପୁଲିସ ମହାନିର୍ଦେଶକ ଅଭୟ, କୋଭିଡ ପ୍ରୋଟୋକଲ ଅନୁପାଳନ ପାଇଁ ପୁଲିସର ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌ପିମାନେ ବେସରକାରୀ ହସ୍‌ପିଟାଲଗୁଡିକ ସହିତ ବିଏସ୍‌କେୱାଇ ଯୋଜନା ସଂପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ। ଏହାଦ୍ବାରା ଯୋଜନାର ସଫଳ ରୂପାୟନ ହୋଇପାରିବ। ଯେଉଁ ଜିଲ୍ଲା ଗୁଡିକରେ କମ୍ ହିତାଧିକାରୀ କାର୍ଡ ପାଇଛନ୍ତି ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହାକୁ ତ୍ବରାନ୍ବତ କରି ସମସ୍ତଙ୍କୁ କାର୍ଡ ଦେବା ପାଇଁ ସେ କହିଛନ୍ତି। ବୈଠକରେ ଉନ୍ନୟନ କମିସନର ଓ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ, ଜିଲ୍ଲାପାଳ ଓ ଏସ୍‌ପିମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.

14 − two =

error: Content is protected !!
Open chat