କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୧୧/୦୮: କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ମାସ ବନ୍ଦ ରହିବା ପରେ ଖୋଲିଥିଲା ଆନ୍ଧ୍ରପ୍ରଦେଶରେ ଥିବା ତିରୁମାଳା ତିରୁପତି ମନ୍ଦିର। ହେଲେ ଖୋଲିବା ପରଠାରୁ ଏ ପର୍ଯ୍ୟନ୍ତ ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ଭୂତାଣୁ ଦ୍ବାରା କବଳିତ ହୋଇସାରିଛନ୍ତି। ସେ ମଧ୍ୟରୁ ୪୦୨ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ତେବେ ଏତେ ଜଣ କର୍ମଚାରୀ ସଂକ୍ରମିତ ହୋଇସାରିଥିଲେ ମଧ୍ୟ ମନ୍ଦିର କର୍ତ୍ତୃପକ୍ଷ ଦର୍ଶନ ବନ୍ଦ କରିବାକୁ କୌଣସି ଯୋଜନା କରିନାହାଁନ୍ତି। ଅଧିକ ଆୟ କରିବା ଉଦ୍ଦେଶ୍ୟରେ ତିରୁପତି ତିରୁମାଳା ଦେବସ୍ଥାନମ୍ ମନ୍ଦିର ଖୋଲା ରଖୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.କେ ସିଙ୍ଘଲ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି।
ସେ କହିଛନ୍ତି ଯେ, ୮୦ ଦିନ ବନ୍ଦ ରହିବା ପରେ ଦର୍ଶନ ପାଇଁ ଇଚ୍ଛା ରଖୁଥିବା ଭକ୍ତମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ଦିର ଖୋଲା ଯାଇଥିଲା | ମନ୍ଦିର ପ୍ରଶାସନ କୋଭିଡର ସମସ୍ତ ସୁବିଧା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରୁଛି | ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ଦାବି କରାଯାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏହାକୁ ବନ୍ଦ କରିବା ପାଇଁ ଦାବି ଆରମ୍ଭ ହୋଇଛି।