‘ଦିବ୍ୟ କାଶୀ-ଭବ୍ୟ କାଶୀ’ ପାଇଁ ଉତ୍ସବମୁଖର ବାରାଣସୀ: ଆଜି କାଶୀ ବିଶ୍ୱନାଥ କରିଡର ଉଦ୍‌ଘାଟନ କରିବେ ମୋଦି

0 402
greentech

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠାରୁ ଦୁଇଦିନିଆ ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତରେ ଯାଉଛନ୍ତି । ସେଠାରେ ସେ ଶ୍ରୀ କାଶୀ ବିଶ୍ୱନାଥ ଧାମ କରିଡର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି ।

ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀ ତଥା ଶ୍ରଦ୍ଧାଳୁମାନେ ପବିତ୍ର ଗଙ୍ଗାରେ ବୁଡ ପକାଇବାର ପରମ୍ପରା ରହିଛି । ଏପରିକି ଗଙ୍ଗାଜଳ ଆଣି ମନ୍ଦିରରେ ଅର୍ପଣ କରିବା ଲାଗି ଅନେକ ସମୟରେ ଶ୍ରଦ୍ଧାଳୁଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏସବୁ ସମସ୍ୟା ଦୂର କରିବା ପ୍ରଧାନମନ୍ତ୍ରୀଙ୍କର ବହୁଦିନର ସ୍ୱପ୍ନ ଥିଲା । ସେଥିପାଇଁ ମନ୍ଦିରଠାରୁ ଗଙ୍ଗାନଦୀ ତଟ ପର୍ଯ୍ୟନ୍ତ ଏକ ସୁଗମ ମାର୍ଗ ବା କରିଡର ନିର୍ମାଣ କରିବା ଲାଗି ପରିକଳ୍ପନା କରାଯାଇଥିଲା । ୨୦୧୯ ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ୭୫ ମିଟର ପ୍ରଶସ୍ଥ ବିଶିଷ୍ଟ ଏହି କରିଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପର ନିର୍ମାଣ ଠାରୁ ଆରମ୍ଭ କରି ଶେଷ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପ୍ରତିଟି କାର୍ଯ୍ୟର ତଦାରଖ କରୁଥିଲେ । ର‌୍ୟାମ୍ପ, ଏସ୍କାଲେଟର ସହିତ ଅନ୍ୟାନ୍ୟ ଅତ୍ୟାଧୁନିକ ସେବା ଏହି ପ୍ରକଳ୍ପରେ ରହିଛି । ଯାହାଫଳରେ ଗଙ୍ଗାନଦୀ ଠାରୁ ମନ୍ଦିର ପର୍ଯ୍ୟନ୍ତ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଆଦି ସମସ୍ତ ଶ୍ରଦ୍ଧାଳୁମାନେ ଅତି ସହଜରେ ଯିବାଆସିବା କରିପାରିବେ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ନାମ ରଖାଯାଇଛି ‘ଦିବ୍ୟ କାଶୀ-ଭବ୍ୟ କାଶୀ । ତାଙ୍କ ଗସ୍ତ ପାଇଁ ବାରାଣସୀ ଉତ୍ସବମୁଖର ହୋଇଉଠିଛି । ସହରର ୨୯୫ଟି ସ୍ଥାନରେ ଏଲ୍‌ଇଡି ଲଗାଯାଇଛି । ଯେଉଁଥିରେ କି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ । ମୁଖ୍ୟ ମନ୍ଦିରର ରାସ୍ତାରେ ଥିବା କୋଠାକୁ ବିଭିନ୍ନ ରଙ୍ଗର ଆଲୋକମାଳା ଓ ଫୁଲରେ ସୁସଜ୍ଜିତ କରାଯାଇଛି । ବାରାଣସୀବାସୀ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ପ୍ରକଳ୍ପ ଅଧୀନରେ ପ୍ରାଥମିକ ପର୍ଯ୍ୟାୟରେ ୨୩ଟି ଭବନର ଉଦ୍‌ଘାଟନ କରାଯିବ । ସେଥିରେ ଯାତ୍ରୀ ସୁବିଧା କେନ୍ଦ୍ର, ପର୍ଯ୍ୟଟକ ସହାୟକ କେନ୍ଦ୍ର, ବୈଦିକ କେନ୍ଦ୍ର, ମୁମୁକ୍ଷୁ ଭବନ, ଭୋଗଶାଳା, ସିଟି ମ୍ୟୁଜିୟମ, ଦର୍ଶକ ଦୀର୍ଘା, ଗ୍ୟାଲେରି, ଫୁଡକୋର୍ଟ ଓ ଅନ୍ୟାନ୍ୟ କେନ୍ଦ୍ର ରହିଛି । ପ୍ରତିଦିନ ଏଠାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ସବୁ ଭବନର ନିର୍ମାଣ କରାଯାଇଛି । ମନ୍ଦିର ନିକଟସ୍ଥ ପ୍ରାୟ ୩୦୦ ସମ୍ପତ୍ତି ଅଧିଗ୍ରହଣ କରାଯାଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏସବୁ ସମ୍ପତ୍ତିର ମାଲିକ ଥିବା ୧୪୦୦ ଦୋକାନୀ, ପଟ୍ଟାଦାରୀ ଓ ଜମି ମାଲିକଙ୍କୁ ଆପୋସ ବୁଝାମଣା ଅନୁସାରେ ଥଇଥାନ କରାଯାଇଛି । ମନ୍ଦିର ନିକଟରେ ଥିବା ବିଲ୍ଡିଂ କିଣାରେ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଉକ୍ତ ବିଲ୍‌ଡିଂ ଭଙ୍ଗାଯିବା ଓ ସେଠାରେ ଖନନ କାର୍ଯ୍ୟ କରାଯିବା ବେଳେ ୪୦ ପ୍ରାଚୀନ କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା । ତାକୁ ସଂରକ୍ଷିତ ରଖାଯାଇଛି ।

ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଦାୟିତ୍ୱରେ ଥିବା ବିମଳ ପଟେଲ ଏହି କାଶୀ ବିଶ୍ୱନାଥ ଧାମ କରିଡର ପ୍ରକଳ୍ପର ମୁଖ୍ୟ ସ୍ଥପତି । ପୂର୍ବରୁ ମନ୍ଦିର ପରିସର ପ୍ରକଳ୍ପ ମାତ୍ର ୩ ହଜାର ଫୁଟ ଭିତରେ ସୀମିତ ରହିଥିଲା । ମାତ୍ର ବର୍ତ୍ତମାନ ତାହା ୫.୫୦ ଲକ୍ଷ ବର୍ଗଫୁଟକୁ ବୃଦ୍ଧି ପାଇଛି । ସେଥିରୁ ୭୦ ପ୍ରତିଶତ ଅଞ୍ଚଳକୁ ସବୁଜ ବଳୟ ଭିତରେ ରଖାଯାଇଛି । ବାରାଣସୀ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ନିର୍ବାଚନମଣ୍ଡଳୀ ।ସୋମବାର ମଧ୍ୟାହ୍ନ ୧୨ଟାରେ କାଳ ଭୈରବ ମନ୍ଦିର ପରିଦର୍ଶନ କରିବା ସହ ଅପରାହ୍ନ ୧ଟାରେ କାଶୀ ବିଶ୍ୱନାଥ ମନ୍ଦିର ଯିବେ । ସେଠାରେ ପୂଜାର୍ଚ୍ଚନା କରିବେ । ଏହା ପରେ ପ୍ରାୟ ୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ କରିଡରର ପ୍ରଥମ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ । ସନ୍ଧ୍ୟା ୬ଟାରେ ରୋ-ରୋ ଜାହାଜରେ ବସି ଗଙ୍ଗା ଆରତି ଦେଖିବେ । ଏହି ଦୁଇ ଦିନିଆ ଯାତ୍ରା ଅବସରରେ ସେ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ସାମିଲ ହେବେ ।

Leave A Reply

Your email address will not be published.

3 + 20 =

error: Content is protected !!
Open chat