ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ଡିଜିପିଙ୍କୁ ଦିଲ୍ଲୀ ସମନ୍‌

0 521
greentech

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଆକ୍ରମଣ ଘଟଣା ପରେ ପୁଣି ଥରେ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ତଲବ କରାଯାଇଥିଲା। ଶୁକ୍ରବାର ରାଜ୍ୟପାଳ ଜଗଦୀପ ଧନଖଡ଼ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇଛନ୍ତି। ଏହାର କିଛି ସମୟ ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକ(ଡିଜିପି)ଙ୍କୁ ଦିଲ୍ଲୀ ସମନ୍‌ କରାଯାଇଛି।

ରାଜ୍ୟପାଳ ଧନଖଡ଼ ଗୃହ ମନ୍ତ୍ରଣାଳୟକୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଜେ. ପି. ନଡ୍ଡାଙ୍କ ସୁରକ୍ଷାରେ ଅବହେଳା କରାଯାଇଛି। ତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଉପଯୁକ୍ତ ଧ୍ୟାନ ଦିଆଯାଇ ନାହିଁ। ଏଥିପାଇଁ ରାଜ୍ୟର ଦୁଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦିଲ୍ଲୀ ଡକାଯାଇଛି। ଦିଲ୍ଲୀ ଡକାଇ ସେମାନଙ୍କୁ ପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥା ସମ୍ପର୍କରେ ଜବାବ ତଲବ କରାଯିବ।

ସୂଚନାଯୋଗ୍ୟ, ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ବୁଧବାର ଏବଂ ଗୁରୁବାର ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଦଳୀୟ ରାଲିରେ ଯୋଗଦେବା ସହିତ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ। ତେବେ ଗସ୍ତ ସମୟରେ ତାଙ୍କ କାର୍‌କେଡ୍‌ରେ ସାମିଲ ଥିବା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଥିଲା। ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ ଏବଂ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଗତକାଲି ଆକ୍ରମଣ କରାଯାଇଥିଲା। ସମ୍ବିତଙ୍କ ଗାଡ଼ିରେ ଥିବା ଜଣେ କାର୍ଯ୍ୟକର୍ତ୍ତା ରକ୍ତାକ୍ତ ହୋଇଥିବାବେଳେ ବିଜୟବର୍ଗୀୟଙ୍କ ବାମ ହାତ ହାଡ଼ ଫ୍ରାକ୍‌ଚର ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.

19 − 14 =

error: Content is protected !!
Open chat