ପିଉସାଙ୍କୁ ହତ୍ୟା କରାଯିବା ପରେ ନ୍ୟାୟ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ କ୍ରିକେଟର ସୁରେଶ ରାଇନା :‘ବେଟା, ଦୋଷୀଙ୍କୁ ଦଣ୍ଡ ମିଳିବ’: ରାଇନାଙ୍କୁ ଟ୍ଵିଟ୍ କରି କହିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ :ଭାରତୀୟ କ୍ରିକେଟର ସୁରେଶ ରାଇନା ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୁଲିସ ନିକଟରେ ପିଉସାଙ୍କ ହତ୍ୟା ପାଇଁ ନ୍ୟାୟ ଦାବି କରିଛନ୍ତି। ଅଗଷ୍ଟ ୧୯ରେ ପଠାନକୋଟରେ ସୁରେଶ ରାଇନାଙ୍କ ପିଉସୀ ଘର ଉପରେ କିଛି ଅଜଣା ଯୁବକ ଆକ୍ରମଣ କରିଥିଲେ। ଅଜ୍ଞାତ ଆକ୍ରମଣକାରୀମାନେ ପଠାନକୋଟ ଅନ୍ତର୍ଗତ ମାଧୋପୁର ଅଞ୍ଚଳର ଥାରିଆଲ ଗ୍ରାମରେ ସୁରେଶ ରାଇନାଙ୍କ ପିଉସୀଙ୍କ ଘରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁରେଶ ରାଇନାଙ୍କ ପିଉସାଙ୍କର ମୃତ୍ୟୁ ହୋଇଥିବାବେଳେ ପରିବାରର ଅନ୍ୟ ସଦସ୍ୟ ଗୁରୁତର ଆହତ ହୋଇଥିଲେ।
![](https://i0.wp.com/kalingajyoti.com/wp-content/uploads/2020/09/Raina-750x430-1.jpg?resize=750%2C430&ssl=1)
ରାଇନାଙ୍କ ପିଉସୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ଏବଂ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏତେ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ। ଏ ନେଇ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବ ସରକାରଙ୍କୁ ଗୁହାରି କରିଛନ୍ତି ରାଇନା ।
ସୁରେଶ ରାଇନା ଟ୍ୱିଟ୍ କରି କହିଛନ୍ତି, ପଞ୍ଜାବରେ ମୋ ପରିବାର ସହିତ ଯାହା ଘଟିଲା ତାହା ଅତ୍ୟନ୍ତ ଭୟଙ୍କର ଥିଲା। ସେହି ଘଟଣାରେ ମୋର ପିଉସାଙ୍କୁ ହତ୍ୟା କରାଯାଇଥିବା ବେଳେ ପିଉସୀ ଏବଂ ମୋର ଦୁଇ ସମ୍ପର୍କୀୟ ଭଉଣୀ ଗୁରୁତର ଆହତ ହୋଇଥିଲେ। ଦୁର୍ଭାଗ୍ୟବଶତଃ ଗତ ରାତିରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମୋର ସମ୍ପର୍କୀୟ ଭଉଣୀଙ୍କର ମୃତ୍ୟୁ ଘଟିଛି | ମୋର ପିଉସୀ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ଅନ୍ୟ ଏକ ଟୁଇଟରେ ସୁରେଶ ରାଇନା ଲେଖିଛନ୍ତି, ‘ଆଜି ପର୍ଯ୍ୟନ୍ତ ଆମେ ଜାଣିପାରି ନାହୁଁ ଯେ, ସେହି ରାତିରେ କ’ଣ ଘଟିଥିଲା ଏବଂ କିଏ ଏହି ନୃଶଂସ କାମ କରିଛି। ମୁଁ ପଞ୍ଜାବ ପୁଲିସକୁ ଏହି ଘଟଣାର ଦୃଷ୍ଟି ଦେବାକୁ ଅନୁରୋଧ କରୁଛି। ଏଭଳି ନୃଶଂସ କାମ କିଏ କରିଛି, ତାହା ଜାଣିବା ଆମର ଅଧିକାର। ସେମାନଙ୍କୁ ଏଭଳି ଅପରାଧ କରିବା ପାଇଁ ଛଡ଼ା ନଯାଇ ତୁରନ୍ତ ଗିରଫ କରାଯିବା ଆବଶ୍ୟକ ବୋଲି ଲେଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୁଲିସକୁ ଟ୍ୟାଗ କରିଛନ୍ତି ରାଇନା।
ପଞ୍ଜାବର ପଠାନକୋଟରେ କ୍ରିକେଟର ସୁରେଶ ରାଇନାଙ୍କ ପରିବାର ସଦସ୍ୟଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣ ଘଟଣାକୁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ତଦନ୍ତ କରିବ। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶ୍ରୀ ରାଇନାଙ୍କୁ ଆଜି ସମବେଦନା ଜଣାଇବା ସହ କରିଥିବା ଟୁଇଟ୍ରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ।
ଏହାପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏହି ଘଟଣାରେ ଏସଆଇଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଶୀଘ୍ର ଦୋଷୀଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପଞ୍ଜାବ ପୁଲିସ୍କୁ କହିଛନ୍ତି। ଏହାପରେ ରାଇନାଙ୍କୁ ଟୁଇଟ କରି ମୁଖ୍ୟମନ୍ତ୍ରୀ ଅମରିନ୍ଦର ଲେଖିଛନ୍ତି, ‘ବେଟା, ମୋର ଡିସି ଏବଂ ଏସଏସପି ତୁମ ପରିବାରକୁ ଯାଇ ଭେଟିଛନ୍ତି ଏବଂ ଆମେ ନିଶ୍ଚିତ କରିବୁ ଦୋଷୀଙ୍କୁ ଯେପରି ଉପଯୁକ୍ତ ଦଣ୍ଡ ମିଳିବ’।